ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ। ସଫଳତା ପାଇଁ ଅଲିମ୍ପିଆନଙ୍କୁ ସାବାସୀ ଦେବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛନ୍ତି ନରେନ୍ଦ୍ର ମୋଦି। ପ୍ୟାରିସରେ ଇତିହାସ ରଚିଥିବା ଭାରତୀୟ ପୁରୁଷ ହକି ଟିମ୍, ସୁଟର ମନୁ ଭାକର ଓ କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଛସ୍ବିତ ପ୍ରଶଂସା କରିଛନ୍ତି। କ୍ରୀଡ଼ାବିତମାନେ ସେମାନଙ୍କର ଅଲିମ୍ପିକ୍ସ ଅନୁଭୂତି ବାଣ୍ଟିଛନ୍ତି। ଏଥିସହ PMଙ୍କୁ କିଏ ପିସ୍ତଲ, କିଏ ଜର୍ସି ତ କିଏ ର୍ୟାକେଟ୍ ଉପହାର ଦେଇଛନ୍ତି। ସଫଳତା ପରେ ଅଟକିଯାଅନି, ବିଫଳତା ପରେ ହତାଶ ବି ହୁଅନି । ଅଭ୍ୟାସ ଜାରି ରଖ, ପରିଶ୍ରମ କରି ଚାଲ । ସଫଳତା ଆପେଆପେ ଆସିବ । ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଭେଟି ଏମିତି କିଛି ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି । ସମସ୍ତଙ୍କ ସହ ଆଲୋଚନା କଲେ, ପିଠି ଥାପୁଡ଼େଇ ସାବାସୀ ଦେଲେ, ପ୍ରେରଣା ଯୋଗାଇଲେ । ଗୁରୁବାର ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଅଲିମ୍ପିଆନମାନଙ୍କ ସହ ସାକ୍ଷାତର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢ଼ାଇଛନ୍ତି ମୋଦି । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।
ସେହିପରି ରେସଲର ଅମାନ ଶେରାୱତ ଏବଂ ହକି ଲିଜେଣ୍ଡ ପିଆର୍ ଶ୍ରୀଜେଶ ପ୍ରଧାନମନ୍ତ୍ରୀଙ୍କୁ ଜର୍ସି ଦେଇଥିଲେ । ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦସ୍ତଖତ ଥିଲା । ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ତାଙ୍କ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ହକି ଷ୍ଟିକ୍ ଦେଇଥିଲେ । ସଟଲ୍ ସେନସେସନ ଲକ୍ଷ୍ୟ ସେନ ପିଏମ୍ ମୋଦିଙ୍କୁ ଦେଇଥିଲେ ଏକ ର୍ୟାକେଟ୍ ଉପହାର । ଖେଳାଳିମାନଙ୍କ ଠାରୁ ଅଲିମ୍ପିକ୍ସର ଅନୁଭୂତି ପଚାରି ବୁଝିଥିଲେ ପିଏମ୍ । ବିଶେଷ କରି ହକି ଖେଳାଳି ୫୨ ବର୍ଷ ପରେ ଦୋହରାଇଥିବା କାରନାମାକୁ ହୃଦୟଖୋଲା ପ୍ରଶଂସା କରିଛନ୍ତି । ଭିନେଶ ଫୋଗଟଙ୍କ ସଫଳତାକୁ ପ୍ରଶଂସା କରିବା ସହ ଫାଇନାଲରେ ପହଞ୍ଚି ସେ ଇତିହାସ ରଚିଥିବା କହିଛନ୍ତି ମୋଦି ।
ସେପଟେ ପ୍ୟାରିସରେ କମାଲ କରି ଓଡ଼ିଶା ଫେରିଛନ୍ତି ବ୍ରୋଞ୍ଜ ପ୍ରଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲତୋଡ଼ା ଓ ଉପଢୌକନ ଦେଇ ଅଭ୍ୟର୍ଥନା କରିଛନ୍ତି । ଏହି ଅବସରରେ ଅମିତ ରୋହିଦାସ ମଧ୍ୟ ଭାରତୀୟ ହକି ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ଥିବା ଟି-ସାର୍ଟ ଏବଂ ପ୍ୟାରିସରୁ ଆଣିଥିବା ମାସ୍କଟକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଅମିତ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି କହିବା ସହ ଆଗାମୀ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ । ଆଉ ଅଲିମ୍ପିକ୍ସରେ ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଏଥିସହ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଦେବେ ମୋହନ ସରକାର ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର