୨୪ଘଣ୍ଟା ମଧ୍ୟରେ ଆରମ୍ଭ ହେବ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା

Key Points
୨୪ଘଣ୍ଟା ମଧ୍ୟରେ ଆରମ୍ଭ ହେବ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା
ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ
ନିର୍ବାଚନ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି
ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଯଥାଶୀଘ୍ର ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ନିର୍ବାଚନ ହେବ। ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି। ଏହି ପଦ ପାଇଁ ନିର୍ବାଚିତ ବ୍ୟକ୍ତି ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ପୂରା ୫ ବର୍ଷ ପର୍ଯ୍ୟନ୍ତ ପଦରେ ରହିବେ। ତେବେ ସୂଚନା ମିଳିଛି ଯେ, ଆଜିଠାରୁ କିମ୍ବା ଆଗାମୀ ୨୪ଘଣ୍ଟା ମଧ୍ୟରେ ଭାରତୀୟ ନିର୍ବାଚନ କମିଶନ ଏହି ପ୍ରକ୍ରିୟା ଆରମ୍ଭ କରିବାର ସମ୍ଭାବନା ରହିଛି। ନୂତନ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି।
ହେଲେ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ। ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ଚିକିତ୍ସାଗତ କାରଣ ଦର୍ଶାଇ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ କହିଥିଲେ ଯେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଏହା ପରେ ମଙ୍ଗଳବାର ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିଲେ। ଏବେ କାହାକୁ ଦେଶର ଉପରାଷ୍ଟ୍ରପତି କରାଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।