ମାଓ ଦମନ ନେଇ ମୋଦି ସରକାରଙ୍କ ପ୍ରତିବଦ୍ଧତା ଫଳରେ ଏବେ ହତାଶ ଲାଲ୍ ବାହିନୀ

Key Points
ମାଓ ଦମନ ନେଇ ମୋଦି ସରକାରଙ୍କ ପ୍ରତିବଦ୍ଧତା ଫଳରେ ଏବେ ହତାଶ ଲାଲ୍ ବାହିନୀ
ମାଓବାଦ ଶେଷ ନିଃଶ୍ବାସ ନେବା ବେଳେ ଶେଷ ଉପସ୍ଥିତି ଜାହିର କରୁଛନ୍ତି କି ମାଓବାଦୀ ?
ଝାଡ଼ଖଣ୍ଡ ବଲିବା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ନକ୍ସଲ ଖଞ୍ଜିଥିବା ୧୦ଟି ବୋମା ନିଷ୍କ୍ରିୟ କଲେ ଯବାନ
ସୁନ୍ଦରଗଡ଼ରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାର ତଦନ୍ତ କରୁଛି SIT
ରାଉରକେଲାରେ ପେଟ୍ରୋଲ୍ ପମ୍ପରୁ ଜବତ ହେଲା 2ଟି ବିସ୍ଫୋରକ ଭର୍ତ୍ତି ଟ୍ରକ୍
ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟନାଗରା ଥାନା ବଲିବା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ହୋଇଛି ଜଣେ ଯୁବକଙ୍କର ମୃତ୍ୟୁ । ଜଙ୍ଗଲରେ ଲ୍ୟାଣ୍ଡମାଇନ ବିଛାଇଥିଲେ ମାଓବାଦୀ। ଗତକାଲି ଅପରାହ୍ନରେ ଜଙ୍ଗଲକୁ ଯାଇଥିବା ସୁରଜ୍ ବ୍ରଜୁ ନାମକ ଏ ଯୁବକଙ୍କ ଗୋଡ଼ ପଡ଼ିଯିବାରୁ ହୋଇଥିଲା ବିସ୍ଫୋରଣ। ସେପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଅବୁଝମାଡ଼ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିବା ୧୦ଟି ବୋମାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା ବାହିନୀ। ଆଜି ଅବୁଝମାଡ଼ ଜଙ୍ଗଲରେ ଯବାନ ମାନେ ତଲାସୀ ଅଭିଯାନ ଜାରି ରଖିଥିବାବେଳେ ବୋମା ଠାବ କରିଥିଲେ।
ସେପଟେ ସୁନ୍ଦରଗଡ଼ରୁ ମାଓବାଦୀ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ବଡ଼ଗାଁ ଇତମାରେ ପହଞ୍ଚି ତନାଘନା କରିଛି SIT ଟିମ୍ । ଏ ନେଇ ବୈଠକ କରିଛନ୍ତି ଗୃହ ସଚିବ । ଓଡ଼ିଶା ପୋଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି, ‘ମାଓବାଦୀ ଲୁଟ କରି ବିସ୍ଫୋରକ ନେଇଥିବାବେଳେ କିଛି ଉଦ୍ଧାର ହୋଇଛି । ବିସ୍ଫୋରକ ସାମଗ୍ରୀ ଖୋଜିବାକୁ CRPF ଓ ଅନ୍ୟ କେନ୍ଦ୍ରୀୟ ସୁରକ୍ଷା ଦଳ ଅପରେସନରେ ସାମିଲ ଅଛନ୍ତି । ପଡୋଶୀ ରାଜ୍ୟର ସହଯୋଗ ନିଆଯାଉଛି । ସମସ୍ତ ବିସ୍ଫୋରକ ସାମଗ୍ରୀ ଜବତ ହେବା ଯାଏଁ ଅପରେସନ ଚାଲିବ ।’ ସେପଟେ ରାଉରକେଲା ରଘୁନାଥପାଲି ଥାନା ଅଧୀନ ବାଲୁଘାଟ ନିକଟରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପରୁ ବିସ୍ଫୋରକ ଭର୍ତ୍ତି ଦୁଇଟି ଟ୍ରକ୍ ଜବତ କରିଛି ରାଉରକେଲା ପୋଲିସର ସ୍ଵତନ୍ତ୍ର ଟିମ । ଦୁଇ ଦିନ ହେଲା ପେଟ୍ରୋଲ ପମ୍ପରେ ବିସ୍ଫୋରକ ଭର୍ତ୍ତି ଦୁଇଟି ମିନି ଟ୍ରକ୍ ରଖାଯାଇଥିଲା । ବଡ ଗାଁ ଇତମା ବିସ୍ପୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ବାହାର ରାଜ୍ୟକୁ ଚାଲାଣ କରିବାକୁ ବେଆଇନ ଭାବେ ବିସ୍ଫୋରକ ଗଚ୍ଛିତ ରଖିଥିଲା। ଶ୍ରବଣ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖିଛି । ସମସ୍ତ ବିସ୍ଫୋରକ ସାମଗ୍ରୀ ଜବତ ହେବା ଯାଏଁ ଅପରେସନ ଚାଲିବ । ବିସ୍ଫୋରକ ଠାବ ବେଳେ ମାଓ ଆକ୍ରମଣର ଭୟ ଥିବାରୁ ସୁରୁଖୁରୁରେ ଅପରେସନ ହେବା ନେଇ ପ୍ରସ୍ତୁତି କରାଯାଉଛି ।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରୁ ନେଇ ବୋମା ଠାବ, ଆଉ ଏପଟେ ବିସ୍ଫୋରକ ଜବତ, ପୁରା ଘଟଣାକ୍ରମ ସ୍ପଷ୍ଟ କରୁଛି ମାଓବାଦର ମୂଳୋତ୍ପାଟନ ପାଇଁ ଚାଲିଥିବା ଅପରେସନ ଫଳରେ ଏବେ ହତାଶ ହୋଇପଡ଼ିଛି ଲାଲ୍ ବାହିନୀ। ମାଓବାଦ ଶେଷ ନିଃଶ୍ବାସ ନେବା ବେଳେ ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ। ସେପଟେ ମାଓ ଦମନ ଓ ମାଓବାଦକୁ ସମୂଳେ ନାଶ କରିବାକୁ ମୋଦି ସରକାର ଦୃଢ଼ ପ୍ରତିବଦ୍ଧ । ଗତ ମେ 20 ତାରିଖରେ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଯବାନଙ୍କ ଗୁଳିରେ ନିପାତ ହୋଇଥିଲା ମାଓ ସଂଗଠନର ମୁଖିଆ ବାସବରାଜ। ଯାହା ଉପରେ ଥିଲା ଦେଢ଼ କୋଟି ଟଙ୍କାର ପୁରସ୍କାର । ତାକୁ ମିଶାଇ 27 ଜଣ ନକ୍ସଲ ନିପାତ ହେଲେ। 2026 ମାର୍ଚ୍ଚ 31 ସୁଦ୍ଧା ମାଓବାଦର ମୂଳୋତ୍ପାଟନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଆହ୍ବାନ ଦେଇଥିବାବେଳେ ଗତ କିଛି ହେଲା ଲଗାତାର ଚାଲିଥିବା ଅପରେସନରେ ଶତାଧିକ ମାଓବାଦୀ ନିପାତ ହୋଇଥିବାବେଳେ ଲାଲ୍ ବାହିନୀ ଛାଡୁଛନ୍ତି ଶହ ଶହ ସଂଖ୍ୟାରେ ନକ୍ସଲ ।