Videos
|
National

ନାଗା ସାଧୁଙ୍କ ରହସ୍ୟ, କେଉଁଠୁ ଆସନ୍ତି ଓ କୁମ୍ଭ ମେଳା ପରେ କୁଆଡେ ଯାଆନ୍ତି

Rashmita Mishra
Browse all articles by Rashmita Mishra
·1 year ago·2 min read
ନାଗା ସାଧୁଙ୍କ ରହସ୍ୟ, କେଉଁଠୁ ଆସନ୍ତି ଓ କୁମ୍ଭ ମେଳା ପରେ କୁଆଡେ ଯାଆନ୍ତି

ଅର୍ଗସ ବ୍ୟୁରୋ: ପ୍ରାୟଗରାଜରେ ମହାକୁମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଧାର୍ମିକ ପରିବେଶ। ମହାକୁମ୍ଭକୁ ନେଇ ବେଶ ଖୁସି ଅଛନ୍ତି ସାଧୁ ସନ୍ଥ। ହେଲେ ଏହି ସବୁ ମଧ୍ୟରେ ନାଗା ସାଧୁଙ୍କ ପରମ୍ପରା ଚର୍ଚ୍ଚାର ବିଷୟ ହୋଇଛି । କେମିତି ହୁଅନ୍ତି ନାଗା ସାଧୁ ? ନାଗା ସାଧୁ ହେବା ପାଇଁ କ'ଣ ରହିଛି ପ୍ରକ୍ରିୟା, ଆସନ୍ତୁ ଜାଣିବା..


କୁମ୍ଭମେଳାରେ ନାଗା ସାଧୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ଥାନ୍ତି। କୁମ୍ଭ ମେଳାକୁ ବହୁ ସଂଖ୍ୟାରେ ନାଗା ସାଧୁ ଆସନ୍ତି, ତେବେ ମେଳା ପରେ କେମିତି କୁଆଡେ ଯାଆନ୍ତି କେହି ଜାଣନ୍ତିନି। ବିନା ଯାନବାହନରେ ଲକ୍ଷଲକ୍ଷ ନାଗା ସାଧୁ ଲୋକଙ୍କ ନଜର ଆଢୁଆଳରେ କୁମ୍ଭ ମେଳାକୁ ଆସିଥାନ୍ତି। କୁହାଯାଏ ସେମାନେ ହିମାଳୟରେ ରହନ୍ତି ଓ କେବଳ କୁମ୍ଭମେଳାରେ ହିଁ ସାଧାରଣ ଲୋକଙ୍କ ଗହଣରେ ଦେଖାଯାଆନ୍ତି।କୁମ୍ଭରେ ସବୁଠୁ ବଡ଼ ଦୁଇ ନାଗା ଆଖଡା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରନ୍ତି। ଏଥିରେ ବାରଣାସୀର ମହାପରିନିର୍ବାଣ ଆଖଡା ଓ ପଞ୍ଚଦଶନାମ ଜୁନା ଆଖଡା ଅଛନ୍ତି। ଅଧିକାଂଶ ନାଗା ସାଧୁ ଏହି ଦୁଇ ଆଖଡ଼ାରୁ ଆସିଥାନ୍ତି। ନାଗା ସାଧୁ କେବଳ ଦେଖିବାରେ ଅସାଧାରଣ ନୁହଁନ୍ତି, ବେଦ, ତନ୍ତ୍ର ଏବଂ ଧ୍ୟାନର ପ୍ରାଚୀନ ବିଧିରେ ସେମାନେ ବିଶାରଦ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନାଗା ସାଧୁ ବିଭିନ୍ନ ଆଖଡ଼ା ଓ ମଠବାସୀ ସମ୍ପ୍ରଦାୟର ସଦସ୍ୟ ଅଟନ୍ତି । ସମସ୍ତ ଭୌତିକ ସୁଖ-ସୁବିଧାକୁ ତ୍ୟାଗ କରି ଆଧ୍ୟାତ୍ମିକ ଜ୍ଞାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି । ନାଗା ସାଧୁ ହେବା ସାଧାରଣ କଥା ନୁହେଁ । ସେମାନଙ୍କ ଦୀକ୍ଷାଗ୍ରହଣ ପ୍ରକ୍ରିୟା ଖୁବ କଠୋର ଓ ରହସ୍ୟମୟ । ତ୍ୟାଗ ଓ ତପସ୍ୟାର ଉଦାହରଣ ହେଉଛନ୍ତି ନାଗା ସାଧୁ । ନାଗା ସାଧୁଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ପରମ୍ପରା ଓ ତପସ୍ୟା ଆଧାରିତ। ସେମାନେ କପଡ଼ା ବଦଳରେ ଶରୀରରେ ଭସ୍ମ ଲେପନ କରିଥାନ୍ତି । ଜନ୍ମ ମୃତ୍ୟୁ ଚକ୍ରରୁ ଉର୍ଦ୍ଧ୍ୱକୁ ଯାଇ ସାଧୁମାନେ ନାଗା ଭାବରେ ଦୀକ୍ଷା ଗ୍ରହଣ କରିଥାନ୍ତି।


ଜଣେ ସାଧୁଙ୍କ କହିବା ଅନୁସାରେ ନାଗା ସାଧୁ ହେବାର ପ୍ରକ୍ରିୟା ଅତ୍ୟନ୍ତ ଗୁପ୍ତ ଏବଂ କଠିନ। ରାତି ସମୟରେ ସାଧୁମାନଙ୍କୁ ଏହି ଦୀକ୍ଷା ଦିଆଯାଇଥାଏ। ଏହି ଦୀକ୍ଷା ଅର୍ଦ୍ଧ ରାତ୍ରରୁ ଆରମ୍ଭ ହୋଇ ଲଗାତର ୪୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ଏହି ଦୀକ୍ଷା ସମୟରେ ବାହାର ଦୁନିଆ ସହିତ କୌଣସି ସମ୍ପର୍କ ରଖାଯାଇ ନଥାଏ। ମନକୁ ସଂଯମ ଓ କାମବାସନା ଠାରୁ ଦୂରେଇ ରହିବାକୁ ସାଧୁମାନେ ନାଗା ଭାବରେ ଦୀକ୍ଷା ଗ୍ରହଣ କରିଥାନ୍ତି। ଦୀକ୍ଷା ଗ୍ରହଣ ସମୟରେ ସାଧୁମାନଙ୍କୁ ଆୟୁର୍ବେଦିକ ଔଷଧ ଦିଆଯାଇଥାଏ। ଏହି ଔଷଧ ଦ୍ଵାରା ସେମାନଙ୍କ ମନ ଓ ଶରୀରରେ ନିୟନ୍ତ୍ରଣ ରକ୍ଷା ହୋଇଥାଏ। ପୂର୍ବରୁ ଏହି ଦୀକ୍ଷା ସମୟରେ ଶାରୀରିକ କଷ୍ଟ ମଧ୍ୟ ଦିଆଯାଉଥିଲା।


କିଛି ନାଗା ସାଧୁ କାଶୀ (ବାରଣାସୀ), ହରିଦ୍ୱାର, ଋଷିକେଶ, ଉଜ୍ଜୈନ ଓ ପ୍ରୟାଗରାଜ ଭଳି ପ୍ରସିଦ୍ଧ ତୀର୍ଥ ସ୍ଥାନମାନଙ୍କରେ ରହନ୍ତି। ଏହିସବୁ ସ୍ଥାନ ସେମାନଙ୍କ ଧାର୍ମିକ ଓ ସାମାଜିକ ଗତିବିଦ୍ଧିର କେନ୍ଦ୍ର। ନାଗା ସାଧୁମାନେ ସାରା ଭାରତରେ ଧାର୍ମିକ ଯାତ୍ରାମାନ କରନ୍ତି। ସେମାନେ ଅଲଗା ଅଲଗା ମନ୍ଦିର ଓ ଧାର୍ମିକ ସ୍ଥଳମାନଙ୍କୁ ଯାଇ ଧାର୍ମିକ ଆୟୋଜନମାନଙ୍କରେ ଯୋଗ ଦେଇ ନିଜର ଉପସ୍ଥିତି ଜାହିର କରିଥାନ୍ତି। ଅନେକ ନାଗା ସାଧୁ ଗୁପ୍ତ ରହନ୍ତି ଓ ମଣିଷ ସମାଜ ଠୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ସେମାନଙ୍କ ସାଧନା ଓ ଜୀବନ ଶୈଳୀ ସେମାନଙ୍କୁ ସମାଜରୁ ପୃଥକ ଓ ସ୍ୱତନ୍ତ୍ର କରିଥାଏ।

the-secret-of-naga-saints-where-they-come-from-and-where-they-go-after-the-kumbh-mela | Argus News