Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜଣେ ନରରାକ୍ଷଣ ଆଉ ଜଣେ ଦେବ ଦୂତ

National

ଜଣେ ନରରାକ୍ଷଣ ଆଉ ଜଣେ ଦେବ ଦୂତ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·3 min read
 ଜଣେ ନରରାକ୍ଷଣ ଆଉ ଜଣେ ଦେବ ଦୂତ

ଦୁଇଜଣ ମୁସଲମାନ, ଦୁଇ ଜଣଙ୍କ ଧର୍ମ ସମାନ। ସେ ବି କୋରାନ ପଢୁଥିବେ ଇଏ ବି ନିଇତି କୋରାନ ପଢନ୍ତି। ମସଜିଦ୍ ଯାଆନ୍ତି ଆଲ୍ଲାଙ୍କୁ ଡାକନ୍ତି। ନମାଜ ପଢନ୍ତି। ହେଲେ ଦୁଇ ଜଣଙ୍କ ଚରିତ୍ର ଭିନ୍ନ। ଜଣେ ନରରାକ୍ଷଶ ହୋଇ ନରସଂହାର କରୁଥିବା ବେଳେ ଆଉ ଜଣେ ନିଜ ପାରୁପର୍ଯ୍ୟନ୍ତ ଜହ୍ଲାଦଙ୍କ ସହ ଲଢୁଥିଲେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ। ସିଏ ପର୍ଯ୍ୟଟକଙ୍କ ରକ୍ତରେ ହୋଲି ଖେଳୁଥିଲେ, ଆଉ ଇଏ କାଶ୍ମୀର ଅତିଥିଙ୍କ ଜୀବନ ବଞ୍ଚାଇବାକୁ ଆତଙ୍କବାଦୀଙ୍କ ସହ ଲଢୁଥିଲେ।


କାଶ୍ମୀର କଳା କହାଣୀର ସେ କାଳଖଣ୍ଡକୁ ନେଇ ପ୍ରତିଶୋଧର ନିଆଁରେ ଜଳୁଥିବା ଭାରତରେ ଏବେ ଆଦିଲ ନାଁକୁ ନେଇ ଚର୍ଚ୍ଚା, ତର୍କ ବିତର୍କ। କିଏ କହୁଛି ଆତଙ୍କବାଦୀର ଧର୍ମ ନାହିଁ, ଆଉ କିଏ କହୁଛି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମରୁ ଆତଙ୍କବାଦର ଜନ୍ମ। ଯାହାର ଚେର ମାଡି ଚାଲିଛି ସାରା ବିଶ୍ବରେ। ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ସମାନ ନାମ ଥିବା ଦୁଇଜଣ ମୁସଲମାନ ଯୁବକଙ୍କ ନାମ। ଜଣେ ଲସ୍କର-ଇ-ତୋଏବାର ଆତଙ୍କବାଦୀ ଆଦିଲ ହୁସେନ ଠୋକର । ଅନ୍ୟ ଜଣେ ହେଉଛନ୍ତି ପହଲଗାମରେ ଘୋଡା ଚଲାଉଥିବା ଗରିବ ଶ୍ରମିକ ଶାହିଦ୍ ଆଦିଲ୍ ହୁସେନ।


ପ୍ରତିଦିନ ଭଳି ସେଦିନ ସବୁକିଛି ଥାଏ ସ୍ବାଭାବିକ। ଶାହିଦ୍‌ ଆଦିଲ ହୁସେନ ପର୍ଯ୍ୟଟକଙ୍କୁ ଘୋଡାରେ ବସାଇ ବୁଲାଇବୁଲାଇ ଦେଖାଉଥାନ୍ତି ସୁନ୍ଦରୀ କାଶ୍ମୀରର ସୁନ୍ଦର ରୂପ। ଆଉ ଠିକ୍ ଏଇ ସମୟରେ ସୁରକ୍ଷା କର୍ମୀଙ୍କ ପୋଷାକ ପିନ୍ଧା କିଛି ଲୋକ ମାଡି ଆସନ୍ତି ପର୍ଯ୍ୟଟକଙ୍କ ପାଖକୁ। ହାତରେ ଥାଏ ଏକେ ୪୭। ଧମକ ଚମକ ଦେଇ ପଚରା ଉଚରା କରନ୍ତି । ପ୍ରଶ୍ନ କେବଳ ଗୋଟିଏ ତମେ ହିନ୍ଦୁ ନା ମୁସଲମାନ। ଆଉ ଯିଏ କହିଲା ମୁସଲିମ୍ ତାକୁ କୁହାଗଲା ତୁ କଲମା ପଢ। ଯିଏ ମୁସଲମାନ ସିଏ ପଢିଲା ଆଉ ଯିଏ ହିନ୍ଦୁ ସିଏ ମଲା। ମାତ୍ର କେଇ ମିନିଟ ମଧ୍ୟରେ ପର୍ଯ୍ୟଟକଙ୍କୁ କୋଳେଇ ନେଇଥିବା କାଶ୍ମୀରର ପହଲଗାମ ହୋଇଗଲା କୋଳ ଶୂନ୍ୟ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଶାହିଦ୍ ଆଦିଲ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ। ଏମିତିକି ଆତଙ୍କବାଦୀଙ୍କ ବନ୍ଧୁକ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ଆଉ ଏତିକିରେ ମୁସଲମାନଙ୍କୁ ବନ୍ଧୁ କହୁଥିବା ଆତଙ୍କବାଦୀ ପାଲଟି ଯାଇଥିଲେ ଘୋଡା ଚଳାଳି ଆଦିଲଙ୍କ ଶତ୍ରୁ। ଶେଷରେ ଆତଙ୍କୀ ଆଦିଲ ଗୁଳିରେ ଟଳିପଡିଲେ ଦେବଦୂତ ଆଦିଲ୍। ମୃତ ଆଦିଲ ତାଙ୍କ ଭଉଣୀ ବାହାଘର ପାଇଁ ଘୋଡାରେ ପର୍ଯ୍ୟଟକଙ୍କୁ ବୁଲାଇ ଟଙ୍କା ସଞ୍ଚୟ କରୁଥିବା କହିଛନ୍ତି ତାଙ୍କ ପରିବାର । ସେଠାରେ ଥିବା କିଛି ପର୍ଯ୍ୟଟକଙ୍କ ଠାରୁ ଆଦିଲଙ୍କ ସାହସିକତା କଥା ଶୁଣିବା ପରେ ଏବେ ଆଦିଲଙ୍କ ଭୁରିଭୁରି ପ୍ରଶଂସା। ଆଦିଲଙ୍କ ବାହାଦୁରିର ତଥ୍ୟ ସଂଗ୍ରହ କରୁଛନ୍ତି ପ୍ରଶାସନିକ ଅଧିକାରୀ।


ସେପଟେ ଆତଙ୍କୀ ଆଦିଲ ଠୋକରକୁ ରକ୍ତମୁଖା ହୋଇ ଖୋଜୁଛି ଭାରତୀୟ ସେନା। କୁହାଯାଉଛି ଆଦିଲ ଠୋକର ୨୦୧୮ ରେ ବୈଧ କାଗଜପତ୍ର ଭିସା ନେଇ ପାକିସ୍ତାନ ଯାଇଥିଲା। ଆଉ ଭାରତ ଫେରି ନଥିଲା। ପରେ ଗୁଇନ୍ଦା ସୁତ୍ରରୁ ଜଣା ପଡିଥିଲା ସେ ଆତଙ୍କୀ ସଂଗଠନ ଲସ୍କରରେ ଯୋଗ ଦେଇଛି। ସେଠାରୁ ତାଲିମ ନେଇ ୨୦୨୪ ରେ ନିୟନ୍ତ୍ରଣ ରେଖା ଦେଇ ଭାରତକୁ ଅନୁପ୍ରବେଶ କରିଥିଲା।


ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଜଣଙ୍କ ପତ୍ନୀ ଆଦିଲ ଠୋକରକୁ ଆକ୍ରମଣକାରୀ ଭାବରେ ଚିହ୍ନଟ କରିଛନ୍ତି। ଆକ୍ରମଣରେ ତା ନାଁ ଆସିବା ପରେ,ସୁରକ୍ଷା ବାହିନୀ ଗୁରୁବାର ସନ୍ଧ୍ୟାରେ ତାଙ୍କ ମାଆ ଶାହଜାଦା ବାନୋଙ୍କୁ କିଛି ଫଟୋ ଦେଖାଇଥିଲେ। ଶାହଜାଦା କହିଛନ୍ତି, ଯଦି ସେ ଜିବିତ ଅଛି ଆଉ ଆକ୍ରମଣରେ ସାମିଲ ଅଛି ତାକୁ ଗୁଳି କରି ମାରି ଦିଆଯାଉ।


ଗୋଟିଏ କୁଳ କଳଙ୍କ ପୁଅକୁ ମାରଦେବା ପାଇଁ ଏଠି ମା'ଟିଏ ସରକାରଙ୍କୁ ଯାଚନା କରୁଥିବା ବେଳେ ସେପଟେ ପୋଷିଲା ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନି ଆଉ ଗୋଟେ ମା। ବୁକୁଫଟାଇ କାନ୍ଦିକାନ୍ଦି ବୁଡି ଯାଉଛି ଚେତା। ସେପଟେ ଭାଇର ଫେରିବା ବାଟକୁ ଚାହିଁ ରହିଥିବା ଭଉଣୀ ଭାବୁଛି ଭାଇ ଘୋଡା ନେଇ ଫେରି ଆସିବ ଆଉ ଧୂମଧାମରେ ତାର ବାହାଘର କରିବ। ହେଲେ ନିରବୀ ଯାଇଥିବା ଭାଇ ଆଉ କେବେ ଫେରିବନି ଭଉଣୀ ପାଖକୁ, ମା କୋଳକୁ। ଶେଷରେ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଆତଙ୍କବାଦର କ'ଣ ଧର୍ମ ଥାଏ ? ଗୁଳିରେ ଉଭୟ ହିନ୍ଦୁ ଓ ମୁସଲମାନ ମଲେ କେମିତି ? ଆତଙ୍କବାଦ କେବଳ ମାନବବାଦ ଉପରେ ହିଁ ପ୍ରହାର କରେ। ବିଶ୍ବଗୁରୁ ଭାରତର ଧର୍ମ ନିରପେକ୍ଷତାର ଆତ୍ମା ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କର ଓ ତାଙ୍କୁ ପରିଚାଳିତ କରୁଥିବା ଉଗ୍ର ମୌଳବାଦୀଙ୍କର ଏହା ଚାଲ୍ ନୁହେଁତ? ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ଏହା ଏକ ଯୋଜନା ନୁହେଁତ ?

Sponsored
The story of Shahid Adil, who fought with terrorists in Pahalgam | Argus News