ପଶ୍ଚିମବଂଗ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

- କୋଲକାତା ଲଜ୍ଜାକୁ ନେଇ କାଠଗଡାରେ ମମତା ସରକାର
- ପଶ୍ଚିମବଂଗ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
- ଦୁଷ୍କର୍ମର ବର୍ବରତା ବିବେକକୁ ଦଂଶନ କରୁଛି
- ହତ୍ୟାକାରୀ ଓ ଦୁଷ୍କର୍ମକାରୀଙ୍କ ସପକ୍ଷରେ ମମତା ସରକାର
- ତତନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଟାସ୍କଫୋର୍ସ
- ଟାକ୍ସ ଫୋର୍ସ ଗଠନ ପରେ କାହାର କାହାର ଗଡ଼ିବ ମୁଣ୍ଡ ?
ଅର୍ଗସ ବ୍ୟୁରୋ: କୋଲକାତା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ମାମଲାରେ ମମତା ସରକାର ସହ ପଶ୍ଚିମବଙ୍ଗ ପୋଲିସକୁ ତୀବ୍ର ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। କାଠଗଡାରେ ମମତା ସରକାର ଓ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ଭୂମିକା । ପ୍ରଥମେ ମାମଲାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ପ୍ରିନ୍ସିପାଲ। ତେବେ ତାଙ୍କୁ କାହିଁକି ଅନ୍ୟ କଲେଜକୁ ଟ୍ରାନ୍ସଫର୍ କରାଗଲା ବୋଲି ପ୍ରଶ୍ନ କରି ସିଧାସଳଖ ମମତା ସରକାରର ଅଭିମୁଖ୍ୟକୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହାଛଡ଼ା କାହିଁକି ପ୍ରଥମେ ପୀଡିତାଙ୍କ ପରିବାରକୁ ମୃତଦେହ ଦେଖିବାକୁ ଦିଆଗଲା ନାହିଁ । ସେମାନଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା । ଏଥିସହ କାହିଁକି ଏଫଆଇଆର ବିଳମ୍ବରେ ଗ୍ରହଣ କରାଗଲା ବୋଲି ପ୍ରଶ୍ନ କରି ପୋଲିସର ଆଭିମୁଖ୍ୟକୁ ଟାର୍ଗେଟ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଏଥିସହ ମାମଲାର ତଦନ୍ତ ନେଇ ଜାତୀୟ ସ୍ତରରେ ଏକ ଟାସ୍କଫୋର୍ସ ଗଠନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ଅନ୍ତରୀଣ ରିପୋର୍ଟ ଦାଖଲ ସହ ଦୁଇ ମାସ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ନେଇ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଆରିଜି କର ହସ୍ପିଟାଲ ଉପରେ ଭଙ୍ଗାରୁଜା ଉପରେ ମମତା ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଡାକ୍ତର ମାନଙ୍କୁ ସର୍ବୋଚ୍ଚ ଅଦାଲତ ଉପରେ ଭରସା ରଖିବାକୁ ଅପିଲ୍ କରିଛନ୍ତି ସୁପ୍ରିମକୋର୍ଟ। ଡାକ୍ତରଙ୍କ ସୁରକ୍ଷା ପାଇଁ ଆମେ ରହିଛୁ। ତେଣୁ ଆପଣ ଆମ ଉପରେ ଭରସା ରଖନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପୀଡିତାଙ୍କ ନାମ ଓ ଫଟୋକୁ ପ୍ରସାରଣ କରାଯାଇଥିବାରୁ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ ।
ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ଚେତିବେ କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟପାଳ ସିଭି. ଆନନ୍ଦବୋଷ । କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି କୋଲକାତା ହସ୍ପିଟାଲରେ ହୋଇଥିବା ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ। ପୀଡ଼ିତା, ତାଙ୍କ ପରିବାରର ଯେଉଁ କ୍ଷତି ହୋଇଛି, ପୁରା ସମାଜକୁ ଯେଉଁଭଳି ଆଘାତ ଲାଗିଛି ତାହା ଅବର୍ଣ୍ଣନୀୟ । ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ଚିନ୍ତାଜନକ। ସଭ୍ୟ ସମାଜ ପାଇଁ ଏହା ବିପଜ୍ଜନକ । ଏ ସବୁ ପ୍ରସଙ୍ଗକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରୁଛନ୍ତି ।କୋଲକତା ଲଜ୍ଜାକୁ ନେଇ ବିତଣ୍ଡା ଯୁକ୍ତି କରିଛନ୍ତି ସମାଜବାଦି ପାର୍ଟ ମୁଖ୍ୟ ଅଖିଳେଶ ଯାଦବ । ମମତା ଜଣେ ମହିଳା । ସେ ଜଣେ ମହିଳାଙ୍କ ଦୁଃଖକୁ ବୁଝିପାରିଛନ୍ତି । ଡାକ୍ତରୀଛାତ୍ରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଜାଣିଶୁଣି ଆରଜି କର ମେଡିକାଲ ପରିସରରେ ଭଙ୍ଗାରୁଜା କରାଯାଇଥିଲା । ଏଥିରେ ମମତା ବାନାର୍ଜୀ, ପଶ୍ଚିମବଂଗ ସରକାର ଓ ପୋଲିସର ହାତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।
କୋଲକାତା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି । କଟକ ଏସସିବି ଓ ଭୁବନେଶ୍ବର ଏମସ ମେଡିକାଲରେ ଜୁନିୟର ଡାକ୍ତରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି । ପୀଡିତାଙ୍କ ପରିବାରକୁ ନ୍ୟାୟ ସହ ପ୍ରତ୍ୟେକ ଡାକ୍ତରଙ୍କ ସୁରକ୍ଷା ପାଇଁ ଦାବିରେ ହାତରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ । ସେପଟେ କୋଲକାତାରେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦାବିରେ ତେଜିଛି ପ୍ରତିବାଦ । ଏହାକୁ ନେଇ ଏବିଭିପି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ ।