Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପରୀକ୍ଷା ପରିଚାଳନାରେ ଏସଓପି ପାଳିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

National

ପରୀକ୍ଷା ପରିଚାଳନାରେ ଏସଓପି ପାଳିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

Manini Pattanayak
Browse all articles by Manini Pattanayak
·1 year ago·2 min read
ପରୀକ୍ଷା ପରିଚାଳନାରେ ଏସଓପି ପାଳିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ବହୁ ଚର୍ଚ୍ଚିତ ନିଟ୍ ପରୀକ୍ଷା ମାମଲା ନେଇ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ନିଟ୍ ପରୀକ୍ଷାରେ କୌଣସି ବଡ଼ ଲିକ୍ ହୋଇନାହିଁ। ପୁନଃ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ଖାରଜ କରିବା ସହ ପରୀକ୍ଷା ପରିଚାଳନାରେ ଏସଓପି ପାଳିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏ ନେଇ ସୁପ୍ରିମକୋର୍ଟଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସତ୍ୟର ଜୟ ହୋଇଛି।   ନିଟ୍ 2024 ପେପର ଲିକ୍ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ। ମାମଲାରେ କୌଣସି ବଡ଼ ଧରଣର ଲିକ୍ ହୋଇନି,କେବଳ ପାଟନା ଓ ହଜାରୀବାଗରେ ଲିକ୍‌ ହୋଇଛି, ତେଣୁ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରିନିଟ୍ ବା ପୁନଃ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ ଏକ୍ସପୋଷ୍ଟରେ ସେ ଲେଖିଛନ୍ତି କି ?   ସତ୍ୟର ସୂର୍ଯ୍ୟ କିଛି ସମୟ ପାଇଁ ମିଛର ବାଦଲରେ ଲୁଚି ରହିପାରେ, କିନ୍ତୁ ସତ୍ୟର ସର୍ବଦା ବିଜୟ ହୋଇଥାଏ। ନିଟ୍-ୟୁଜି ପରୀକ୍ଷାରେ କୌଣସି ବ୍ୟବସ୍ଥାଗତ ଉଲ୍ଲଂଘନ ନମିଳିବା ଓ ପୁନଃ ପରୀକ୍ଷା ନ କରିବାକୁ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତି ଆମ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଭାରତ ସରକାର 'ଟ୍ୟାମ୍ପର ମୁକ୍ତ, ସ୍ୱଚ୍ଛ ଏବଂ ଜିରୋ ଏରର ପରୀକ୍ଷା ବ୍ୟବସ୍ଥା' ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏହାକୁ ସୁନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଦେଇଥିବା ସୁପାରିସକୁ ସରକାର ଯଥାଶୀଘ୍ର କାର୍ଯ୍ୟକାରୀ କରିବେ।' କଂଗ୍ରେସ ଏହି ରାୟକୁ ମାନୁନଥିବା ବେଳେ ବିଜେପି କହିଛି ଯାହା ସରକାର କହି ଆସୁଥିଲେ ଆଜି ତା ଉପରେ ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ। 

ନିଟ୍ ୟୁଜି ପେପର ଲିକ୍ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଏହି ଚାର୍ଜସିଟରେ ରହିଛି ୧୩ ଅଭିଯୁକ୍ତଙ୍କ ନାଁ । ଅଭିଯୁକ୍ତମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିବା ନେଇ ମଧ୍ୟ ଚାର୍ଜସିଟରେ ଦର୍ଶା ଯାଇଛି। ଅତ୍ୟାଧୁନିକ ଫୋରେନସିକ୍ ଟେକନିକ୍, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଥିବା ବେଳେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪୦ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ସିବିଆଇ। ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଗିରଫ କରିଛି ବିହାର ପୋଲିସ। ମାମଲାର ତଦନ୍ତ ବେଳେ ସିବିଆଇ ୫୮ଟି ସ୍ଥାନରେ ଯାଞ୍ଚ କରିଥିବା ବେଳେ ୬ଟି ଏଫଆଇଆର ରୁଜୁ କରିଛି। କିଛି ଦିନ ତଳେ ସଂସଦରେ ଏହି ପ୍ରସଙ୍ଗ ଉଠାଇ ଦେଶବାସୀଙ୍କ ଭିତରେ କେନ୍ଦ୍ର ସରକାରଙ୍କ ପ୍ରତି ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଯାହାର ମୁହଁତୋଡ୍ ଜବାବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ 2010 ମସିହାରେ 3ଟି ଆଇନ ଆଣିଥିଲେ କେନ୍ଦ୍ର ସରକାର । ଏଥିରୁ ଗୋଟିଏ ଥିଲା ପ୍ରୋହିବିସନ୍ ଅଫ୍ ଅନ୍ ଫେୟାର ପ୍ରାକ୍ଟିସ୍ ବିଲ୍ । ଯାହାର ଉଦ୍ଦେଶ୍ୟ ଥିଲା ଶିକ୍ଷାନୁଷ୍ଠାନରେ ପରୀକ୍ଷାରେ କପି ରୋକିବା । କିନ୍ତୁ ଚାପରେ ପଡ଼ି ଏହି ବିଲକୁ ପ୍ରତ୍ୟାହାର କରିନେଇଥିଲେ ୟୁପିଏ ସରକାର। ଯାହାକୁ ନେଇ କଂଗ୍ରେସକୁ ଧୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Supreme Court today gave an important verdict on the much-discussed NET exam case | Argus News