ରାତାରାତି ତିଆରି ହୋଇଗଲା ମନ୍ଦିର: ଆପଣ ଭାବୁଥିବେ ନା କିଭଳି ସମ୍ଭବ

ଅର୍ଗସ ବ୍ୟୁରୋ: ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ଇତିହାସ ଯେତିକି ରୋଚକ ସେତିକି କୌତୁହଳପୂର୍ଣ୍ଣ। ସେହି କ୍ରମରେ ଦେଖିଲେ ଭାରତର ଦକ୍ଷିଣ ଓ ଉତ୍ତର ଭାଗରେ ଥିବା ମନ୍ଦିରଗୁଡ଼ିକ ଏହି ବର୍ଗରେ ଆସିବେ। ମଧ୍ୟପ୍ରଦେଶରେ ମୁରୈନା ଠାରେ କକନମଠ ମନ୍ଦିର ସେମିତି ଏକ ରହସ୍ୟମୟ ମନ୍ଦିର ମଧ୍ୟରୁ ଅନ୍ୟତମ। ଯେଉଁ ମନ୍ଦିରକୁ କିଏ କେବେ ତିଆରି କରିଥିଲା ତାହାର କୌଣସି ତଥ୍ୟ ନାହିଁ। ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ। ଚାଲନ୍ତୁ ଜାଣିବ।
ସ୍ଥାନୀୟ ଅଞ୍ଚଳର ଲୋକକଥା ଅନୁସାରେ ମନ୍ଦିରଟି ରାତାରାତି ନିର୍ମାଣ ହୋଇ ଛିଡ଼ା ହୋଇଯାଇଥିଲା। ମନ୍ଦିର ନିର୍ମାଣ ପାଇଁ ଇଟା, ସିମେଣ୍ଟର ଆବଶ୍ୟକତା ପଡ଼ି ନ ଥିଲା। ଖାଲି ପଥର ଉପରେ ପଥର ଖଞ୍ଜାଯାଇ ମନ୍ଦିରଟି ତିଆରି ହୋଇଥିଲା। ଯେତେବଡ଼ ଝଞ୍ଜା ଆସିଲେ ବି ମନ୍ଦିରଟିର ଆଜିଯାଏ କୌଣସି କ୍ଷତି ହୋଇନାହିଁ। ଆହୁରି ଏକ ରୋଚକପୂର୍ଣ୍ଣ ତଥ୍ୟ ଅନୁସାରେ ମନ୍ଦିରଟିକୁ କେହି ମଣିଷ ତିଆରି କରି ନ ଥିଲେ। ବରଂ ଭୂତମାନେ ଏହି ମନ୍ଦିରଟିକୁ ରାତାରାତି ନିର୍ମାଣ କରିଥିଲେ ବୋଲି ସ୍ଥାନୀୟ ବିଶ୍ବାସ ରହିଛି। ଟିକେ ଭାବନ୍ତୁ ତ' କୌଣସି ମନ୍ଦିର କଣ ଭୂତ ତିଆରି କରିପାରିବ। ଭୂତ ତ ଭଗବାନଙ୍କ ପାଖ ମାଡ଼େନି। ସେ ପୁଣି କେମିତି ମନ୍ଦିର ନିର୍ମାଣ କରିବ। ହେଲେ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।
ଆସନ୍ତୁ ଜାଣିବା ଏହି ରହସ୍ୟମୟୀ କକନମଠ ଶିବ ମନ୍ଦିର ବିଷୟରେ...
କୁହାଯାଏ ପ୍ରାୟ ୧୧ଶହ ଶତାବ୍ଦୀ ବେଳକୁ ରାଜା କୀର୍ତ୍ତି ତାଙ୍କ ମହାରାଣୀ କକନାବତୀଙ୍କ ପାଇଁ ଏହି ଶିବ ମନ୍ଦିର ନିର୍ମାଣ କରାଇଥିଲେ। କାରଣ ରାଣୀ ମହାଦେବଙ୍କ ପରମ ଭକ୍ତ ଥିଲେ। ସ୍ଥଳଭାଗଠାରୁ ପ୍ରାୟ ୧୧୫ ଫୁଟ ଉଚ୍ଚରେ ଏହି ମନ୍ଦିରଟି ଅବସ୍ଥିତ।
📱 Get Argus News App
✨ଲୋକକଥା ଅନୁସାରେ ଭୂତମାନେ ଏହି ମନ୍ଦିରଟି ତିଆରି କରିଥିଲେ। ରାତିରୁ କାମ ଆରମ୍ଭ କରିଥିଲେ ଏବଂ ସକାଳ ହେବାମାତ୍ରେ ସେମାନେ ମନ୍ଦିର ନିର୍ମାଣ କାମ ଅଧାରୁ ଛଡ଼ିଦେଇଥିଲେ। ଏହି ଅଧାଗଢ଼ା ମନ୍ଦିରଟିର ନିର୍ମାଣ ରାଣୀ କକନାବତୀ ସମ୍ପୂର୍ଣ୍ଣ କରିଥିଲେ। ଏହି ମନ୍ଦିରଟିର ଭୂତମାନେ ନିର୍ମାଣ କରିଥିବା ଅଂଶ ବିନା ବାଲି, ସିମେଣ୍ଟ, ଓ ଚୂନରେ ତିଆରି ହୋଇଛି। କୌଣସି ଅଲଗା ସାମଗ୍ରୀ ବ୍ୟବହାର ହୋଇନି। ଖାଲି ପଥରରେ ଖଞ୍ଜା ହୋଇଥିଲେ ବି ୧୧ଶହ ଶତାବ୍ଦୀ ବିତିଗଲାଣି। ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନାହିଁ। କାହିଁ କେତେ ବିପର୍ଯ୍ୟୟ ଦେଖିଛି ଏହି ମନ୍ଦିର। ହେଲେ ଆଶ୍ଚର୍ଯ୍ୟର କଥା ସେବେଠାରୁ ମନ୍ଦିରର କୌଣସି ଭାଗରୁ ଗୋଟିଏ ବି ପଥର ଖସିନାହିଁ।
ଏହି ମନ୍ଦିରର ଅନେକ ବୈଜ୍ଞାନିକ ଅନୁଧ୍ୟାନ ସରିଲାଣି। ହେଲେ ଏହାର ନିର୍ମାଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସ ବାହାରିପାରୁ ନାହିଁ କିମ୍ବା କୌଣସି ତଥ୍ୟ ମିଳିନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ମନ୍ଦିର କିଏ ତିଆରି କରିଛି ସେ ରହସ୍ୟ ଉପରୁ ପରଦା ହଟାଇ ପାରୁ ନାହାନ୍ତି। ସେଥିପାଇଁ କକନମଠ ମନ୍ଦିରକୁ ରହସ୍ୟମୟୀ ମନ୍ଦିର କୁହାଯାଏ। ଆପଣ କେବେ ଯଦି ମଧ୍ୟପ୍ରଦେଶ ବୁଲିବାକୁ ପ୍ଲାନ କରୁଛନ୍ତି। ଏହି ମନ୍ଦିର ଥରେ ନିଶ୍ଚିତ ବୁଲିକି ଦେଖନ୍ତୁ।
ଅଧିକ ପଢ଼ନ୍ତୁ ଭାରତ ଖବର