ସ୍ବାମୀ, ଶାଶୁଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେନି

ଅର୍ଗସ ବ୍ୟୁରୋ: ସ୍ବାମୀ ଓ ଶାଶୁଘର ଲୋକଙ୍କୁ ହଇରାଣ କରିବାପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଆଇପିସିର ଧାରା ୪୯୮ ଏ ର ଦୂରୁପଯୋଗ କରାଯାଉଥିବା ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି। ସରକାର ଆଣିଥିବା ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ରେ ଉକ୍ତ ଧାରା ଅନୁରୂପ ଭାବେ ରହିଥିବାରୁ ସେଥିରେ ପରିବର୍ତ୍ତନ ପାଇଁ ଅଦାଲତ ସ୍ବରାଷ୍ଟ୍ର ଓ ଆଇନ ମନ୍ତ୍ରଣାଳୟକୁ କହିଛନ୍ତି। ଧାରା ୪୯୮ ଏ'ରେ ସ୍ବାମୀ ଓ ତାଙ୍କ ସମ୍ପର୍କୀୟଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ମହିଳାଙ୍କ ତୁଚ୍ଛ ଅଭିଯୋଗକୁ ନେଇ ସେମାନଙ୍କୁ ଜେଲ ଯିବାକୁ ପଡ଼ୁଛି।
ସ୍ବାମୀ, ତାଙ୍କ ମା' ବାପା ଓ ଭଉଣୀ ଭାଇଙ୍କ ବିରୋଧରେ ଜଣେ ମହିଳା ଧାରା ୪୯୮ ଏ'ରେ ଦାଏର କରିଥିବା ମାମଲାକୁ ଜଷ୍ଟିସ ଜେ.ବି ପରଦିଓ୍ବାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ମା'ବାପା ବା ସମ୍ପର୍କୀୟଙ୍କ ପ୍ରରୋଚନାରେ ସ୍ତ୍ରୀ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକଙ୍କୁ ଗିରଫଦାରୀ ଭୟ ଦେଖାଇ ଟଙ୍କା ଆଦାୟ ପାଇଁ ପୋଲିସ କଳକୁ ବ୍ୟବହାର କରିପାରିବେନି ବୋଲି ଖଣ୍ଡପୀଠ କହିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର