Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶ-ମାଟି-ମୋହ ଓ ଗୁପ୍ତଚର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·5 min read
ଦେଶ-ମାଟି-ମୋହ ଓ ଗୁପ୍ତଚର

Key Points

ଏ ଜାସୁସ କ'ଣ ?

କିଏ କରେ ଜାସୁସୀ ?

ଏଥିପାଇଁ କେତେ ଟଙ୍କା ମିଳେ ?

ଆଉ ଏହାର ଉଦ୍ଦେଶ୍ୟ କ'ଣ ?

ଦେଶର ସ୍ବାର୍ଥ ଓ ସୁରକ୍ଷା ପାଇଁ ହେବାକୁ ପଡେ ଦେଶାନ୍ତର। ବଦଳେ ଠିକଣା ବଦଳିଯାଏ ପରିଚୟ। ଶ୍ରତ୍ରୁ ଦେଶରେ ରହି ଶତ୍ରୁଠୁ ସଂଗ୍ରହ କରିବାକୁ ହୁଏ ତଥ୍ୟ। ବନ୍ଧୁକ ମୁନରେ ରହି ସତର୍କତାର ସହ ନଜର ରଖିବାକୁ ପଡେ। ପାଦେ ପାଦେରେ ବିପଦ। ଧରା ପଡିଯିବାର ଭୟ, କାଳେ କିଏ ଚିହ୍ନିଦେଇ ପାରେ। ଧୋକାଦେଇପାରେ ନକଲି ଦାଢି, ନିଶ ବେଶ ଭୂଷା। ସେଥିପାଇଁ କେତେବେଳେ ପାଗଳ, କେତେବେଳେ ରିକ୍ସାବାଲା ଆଉ ପୁଣି କେତେବେଳେ ଧର୍ମ ବଦଳେଇ ହେବାକୁ ପଡେ କଟ୍ଟରପନ୍ଥୀ ମୁସଲମାନ। ଉଦ୍ଦେଶ୍ୟ କେବଳ ଗୋଟିଏ, ମୋ ଦେଶ , ମୋ ମାଟି ମୋ ଲୋକଙ୍କ ସୁରକ୍ଷା।


ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ଗିରଫ ପରେ ଏବେ ଜାସୁସୀ ବା ଗୁପ୍ତଚର ବୃତ୍ତିକୁ ନେଇ ବଢିଛି ଚର୍ଚ୍ଚା। ଏ ଜାସୁସ କ'ଣ ? କିଏ କରେ ଜାସୁସୀ ? ଏଥିପାଇଁ କେତେ ଟଙ୍କା ମିଳେ ? ଆଉ ଏହାର ଉଦ୍ଦେଶ୍ୟ କ'ଣ ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ତେବେ ଦେଶର ସୁରକ୍ଷା ସହ ଜଡିତ ଥିବାରୁ ତଥ୍ୟପୂର୍ଣ୍ଣ ଉପସ୍ଥାପନା ବେଳେ ଆମେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିଛୁ। କେବଳ ବିଶ୍ଲେଷଣ କରିବା ଦେଶ-ମାଟି-ମୋହ ଓ ଲୋଭର।



ପ୍ରତିଟି ଦେଶ ନିଜର ଭୌଗଳିକ ସୀମାର ସୁରକ୍ଷା ପାଇଁ ଶତ୍ରୁରାଷ୍ଟ୍ରରେ ନିୟୋଜିତ କରିଛନ୍ତି ଗୁପ୍ତଚର। ଏହା ଏପରି ଏକ କାର୍ଯ୍ୟ ଯେଉଁଥିରେ ଜଣେ ବ୍ୟକ୍ତି ଗୁପ୍ତ ଭାବରେ ଦେଶର ରଣନୈତିକ, ରାଜନୈତିକ କିମ୍ବା ବୈଜ୍ଞାନିକ ସୂଚନା ଅନ୍ୟ ଏକ ରାଷ୍ଟ୍ର କିମ୍ବା ସଂଗଠନକୁ ଦିଅନ୍ତି। ଏହି କାର୍ଯ୍ୟ ପ୍ରାୟତଃ ଟଙ୍କା, କିମ୍ବା ବ୍ଲାକମେଲ୍ ପାଇଁ କରାଯାଏ। ଯାହାର ସିଧାସଳଖ ପ୍ରଭାବ ପ୍ରତିରକ୍ଷା ପ୍ରସ୍ତୁତି, ଗୁଇନ୍ଦା ନେଟୱାର୍କ ଏବଂ ବୈଦେଶିକ ନୀତି ଉପରେ ପଡ଼ିଥାଏ।


ଆମଦେଶରେ ପାକିସ୍ତାନୀ ଗୁପ୍ତଚର ଅଛନ୍ତି, ପାକିସ୍ତାନରେ ଆମ ଦେଶର ଗୁପ୍ତଚର ଥାଇପାରନ୍ତି। ଯେଉଁମାନେ ଶତ୍ରୁ ରାଷ୍ଟ୍ରର ସମସ୍ତ ଗତିବିଧି ଉପରେ ନଜର ରଖିଥାନ୍ତି। ଛଦ୍ମବେଶରେ ବୁଲିବୁଲି ଗୁପ୍ତ ତଥ୍ୟ ସଂଗ୍ରହ କରି ନିଜ ଦେଶକୁ ଦେଇଥାନ୍ତି। ତେଣୁ ଗୁପ୍ତଚର କିଏ ବି ହେଇପାରେ ! ମୁଁ, ଆପଣ, କିଏ ବି ...


ଠିକ୍ ଯେମିତି ଦେଶ ଭିତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି କରି ଧରା ପଡ଼ିଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। କାଶ୍ମୀରଠାରୁ ପୁରୀ ପର୍ଯ୍ୟନ୍ତ ବୁଲିବୁଲି ସେ ତଥ୍ୟ ଯୋଗାଡ କରିଛନ୍ତି। ସେ କେଉଁ ତଥ୍ୟ ନେଇଛନ୍ତି, ପାକିସ୍ତାନକୁ କେତେ ଦେଇଛନ୍ତି ତାକୁ ନେଇ ତଦନ୍ତ ଚାଲିଛି । ହେଲେ କିଛି ଟଙ୍କା ଆଉ ପ୍ରାଚୁର୍ଯ୍ୟର ଲୋଭ କିଭଳି ଜଣଙ୍କୁ ଦେଶଦ୍ରୋହୀ କରିଦିଏ ତା ଏବେ ସାରା ଦେଶ ଦେଖୁଛି ।


ସତରେ ଏ ଲୋଭର ଫାସ ଆଜିର ନୁହେଁ କାଳକାଳର। ଏହା ଏତେ ଭୟଙ୍କର ଯେ ନିଜ ରାଷ୍ଟ୍ର ଓ ନିଜ ଲୋକଙ୍କ ବିରୋଧରେ ଷଡଯନ୍ତ୍ର ଓ କରିବାକୁ ବି ମଣିଷ ପଛାଏ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାମ୍ବୋଡିଆର ଗୋଟେ ଲୋକକଥା ଅଛି, ସୃଷ୍ଟି ସର୍ଜନା ବେଳେ ଭଗବାନ ମଣିଷକୁ ପ୍ରଖର ବୁଦ୍ଧି ଦେଇଥିଲେ କିନ୍ତୁ ଜିଭ ଦେଇନଥିଲେ। ଏକଥା ଜାଣି ଏକ ସୈତାନ୍ ନିଜ ଆଖିର ଅଗ୍ନିରୁ ଜିଭ ସୃଷ୍ଟିକରି ମଣିଷ ପାଟିରେ ଲଗାଇଦେଇଥିଲା। ଆଉ ସେଇଦିନଠାରୁ ମଣିଷ ମିଛୁଆ ଓ ଲୋଭି ହୋଇଯାଇଛି। ଯେମିତି ପାକିସ୍ତାନ ଭାରତର ପରମ ଶତ୍ରୁ ଜାଣି ସୁଦ୍ଧା ପାକିସ୍ତାନ ସହିତ କିଛି ଖଳପ୍ରକୃତିର ଭାରତୀୟ ସଂପର୍କ ଯୋଡୁଛନ୍ତି। ଅର୍ଥ ଲୋଭରେ ପଡ଼ି ନିଜ ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଟେକି ଦେଉଛନ୍ତି।


ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନ ବାରମ୍ବାର ଭାରତରୁ ଗୁପ୍ତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିଛି, କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି। ୯ ମାର୍ଚ୍ଚ ୨୦୧୬ରେ ରାଜ୍ୟସଭାରେ ଦିଆଯାଇଥିବା ତଥ୍ୟ କୁହେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ୨୦୧୩ ରୁ ୨୦୧୬ ମଧ୍ୟରେ ୪୬ ଜଣ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟଙ୍କୁ ଗିରଫ କରିଛନ୍ତି। ତାପରର ତଥ୍ୟ ଆଉ ସାର୍ବଜନୀନ ହୋଇନି। ମାତ୍ର ଗଣମାଧ୍ୟରେ ଆସିଥିବା ଖବର ସହ ଖବରକୁ ଯୋଡିଲେ ଏସଂଖ୍ୟା ୨୦୦ ରୁ ବି ଅଧିକ ହେବ। ଅତୀତରେ ଓଡ଼ିଶାରୁ ବି ଏମିତି କିଛି ଗୁପ୍ତଚର ଗିରଫ ହୋଇଛନ୍ତି। ଯେଉଁମାନେ ପାକିସ୍ତାନୀ ଏଜେଣ୍ଟଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଅନଲାଇନରେ ଦେଉଥିଲେ ଭାରତର ଗୁପ୍ତତଥ୍ୟ।


ହେଲେ ଆମ ଦେଶର ଏମିତି କିଛି ଦୁର୍ଦ୍ଧର୍ଷ ଗୁପ୍ତଚର ଅଛନ୍ତି ଯେଉଁମାନେ ପରିଚୟ ଲୁଚାଇ ବର୍ଷବର୍ଷ କାଳ ଭାରତ ପାଇଁ ପାକିସ୍ତାନରେ ରହି ତଥ୍ୟ ସଂଗ୍ରହ କରିଛନ୍ତି। ବହୁ ଆତଙ୍କୀ ଆକ୍ରମଣରୁ ଭାରତକୁ ରକ୍ଷା କରିଛନ୍ତି। ଅସାଧାରଣ ମାର୍ଗରେ ଦେଶ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ଯାହାଙ୍କ ସଂଘର୍ଷ ଓ ସାହାସ ପାଇଁ ବହୁ ବାହ୍ୟ ଆକ୍ରମଣକୁ ଟାଳିଛି ଭାରତ। ଯାହାଙ୍କ ତ୍ୟାଗ ଆଗରେ ମୁଣ୍ଡ ନୁଆଁନ୍ତି। ଏସବୁ କାହାଣୀକୁ ନେଇ ରାଜି, ଦ ହିରୋ, ମିଶନ ମଜ୍‌ନୁ ଭଳି ଅନେକ ବଲିଉଡ୍‌ ସିନେମାର କାହାଣୀ ବି ଗତିଶୀଳ ହୋଇଛି।


ଭାରତ ପାଇଁ ସେମିତି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ବର୍ତ୍ତମାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ। ଯାହାଙ୍କୁ ସାରା ବିଶ୍ବ ଜାଣେ ଭାରତର ଜେମ୍ସବଣ୍ଡ ଭାବରେ। ଯାହାଙ୍କ ଜୀବନୀ କୌଣସି ସିନେମା ଠାରୁ ବି କମ୍ ନୁହେଁ। ଦେଶର ସୁରକ୍ଷା ପାଇଁ ସେ ୭ ବର୍ଷକାଳ ଛଦ୍ମବେଶରେ ପାକିସ୍ତାନରେ ରହିଥିଲେ।


୧୯୯୯ କାନ୍ଦାହାରରେ ହାଇଜାକ ହୋଇଥିବା ଭାରତୀୟ ବିମାନ ଆଇସି-୮୧୪ ମୁକ୍ତ କରିବାକୁ ପାକିସ୍ତାନ ସହ ଯେଉଁ ୩ ଭାରତୀୟ କଥାବାର୍ତ୍ତା କରିଥିଲେ ସେମାନଙ୍କ ଭିତରେ ଡୋଭାଲ ବି ଥିଲେ। ପରେ ପାକିସ୍ତାନର ଗୁପ୍ତ ତଥ୍ୟ ପାଇବାକୁ ମୁସଲମାନ ଧର୍ମ ଗ୍ରହଣ କରି ସାତ ବର୍ଷ କାଳ ଛଦ୍ମ ବେଶରେ ସେ ଦେଶରେ ବି ରହିଥିଲେ। ପାକରେ ଅଣ୍ଡର କଭର ରହି ଭାରତର ବହୁ ଗୁପ୍ତ ଅପରେସନକୁ ସଫଳ ରୂପ ଦେଇଛନ୍ତି। ୧୯୮୮ରେ ଭାରତର ଅପରେସନ୍ ବ୍ଲାକ୍ ଥଣ୍ଡର ବେଳେ ନିଜକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏଜେଣ୍ଟ ପରିଚୟ ଦେଇ ଆତଙ୍କୀଆଡ୍ଡାରୁ ତଥ୍ୟ ହାସଲ କରିଥିଲେ। ଆତଙ୍କୀ ଯୋଜନା, ହତିଆର ସମ୍ପର୍କିତ ଖବର ଓ ଅନ୍ୟାନ୍ୟ ଗତିବିଧି ସମ୍ପର୍କରେ ଭାରତକୁ ଲଗାତାର ଖବର ଦେଇଛନ୍ତି।


ଅପରେସନ୍ ବ୍ଲାକ୍ ଥଣ୍ଡର୍, ଇରାକରେ ୪୬ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପର୍ଯ୍ୟନ୍ତ ସବୁବେଳେ ନିଜକୁ ବିପଦରେ ପକାଇ ଦେଶ ତାଙ୍କୁ ଦେଇଥିବା ଦାୟିତ୍ବକୁ ସୂଚାର ରୂପେ ପାଳନ କରିଛନ୍ତି। ୧୯୮୪, ଅମୃତସରର ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣବେଳେ ଡୋଭାଲ ଏକ ରିକ୍ସାବାଲା ବେଶରେ ମନ୍ଦିର ପାଖରେ ରହି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିଲେ ଭାରତୀୟ ସୁରକ୍ଷା ଏଜେନ୍ସିକୁ। ୨୦୧୫ରେ ମଣିପୁରରେ ଭାରତୀୟ ସେନା ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ହେଉକି ଉରୀର ଜବାବ ସର୍ଜିକାଲ୍ ଷ୍ଟ୍ରାଇକ ଓ ବର୍ତ୍ତମାନର ଏୟାର ଷ୍ଟ୍ରାଇକ ଭଳି ସମସ୍ତ ପଦକ୍ଷେପରେ ରହିଛି ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା।


କେବଳ ଅଜିତ୍ ଡୋଭାଲ ନୁହଁନ୍ତି , ସେମିତି ଆଉ ଜଣେ ସାହସୀ ଝିଅଙ୍କ ତ୍ୟାଗ ବି ମନେ ପଡିଲେ କୁରୁଳି ଉଠେ ଛାତି। ଯିଏ ଦେଶର ସ୍ବାର୍ଥ ପାଇଁ ପାକିସ୍ତାନୀ ଆର୍ମିଙ୍କୁ ବିବାହ କରି ନିଜ ଘରୁ ଭାରତକୁ ପଠାଉଥିଲେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଶେହମତ ଖାନ୍‌: ୨୦୧୮ରେ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଫିଲ୍ମ ‘ରାଜି’ ରେ ଦେଖିବାକୁ ମିଳେ ତାଙ୍କ ଦେଶ ପ୍ରେମ ଓ ବଳିଦାନର କାହାଣୀ। ଯିଏ ନିଜ ବାପାଙ୍କ ଅନୁରୋଧରେ ଭାରତ ପାଇଁ ପାକିସ୍ତାନରେ ଗୁପ୍ତଚର ଥିଲେ। ଶେହମତ୍‌ ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ର’ର ମହିଳା ଗୁପ୍ତଚର ଥିଲେ। ଯେ କି ପାକିସ୍ତାନରେ ଜାସୁସୀ କରିବା ପରେ ଭାରତକୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିଭଳି ରବୀନ୍ଦ୍ର କୌଶିକ, ମୋହନଲାଲ ଭାସ୍କର, କଶ୍ମୀର ସିଂହଙ୍କ ଗୁପ୍ତଚର ବୃତ୍ତି ଭାରତକୁ ସୁରକ୍ଷା ଦେଇଛି।


ଜୀବନକୁ ବାଜି ଲଗାଇ ଭିନ୍ନ ଦେଶରେ ଭିନ୍ନ ପରିବେଶରେ, ଶତ୍ରୁଙ୍କ ଗହଣରେ ରହି ଏମାନେ ଦେଖାଉଥିବା ଦେଶ ପ୍ରେମ ସୀମାରେ ସତର୍କ ଥିବା ଯବାନଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହେଁ। ବର୍ତ୍ତମାନର ସୋସିଆଲ ମିଡିଆ ମାୟାଜାଲରେ ଆମେ ସମସ୍ତେ ବଶିଭୂତ। ଦେଶର କିଶୋର ଓ ଯୁବ ଗୋଷ୍ଠୀଙ୍କୁ ଲୋଭରେ ପକାଇ ଆମ ଦେଶର ତଥ୍ୟ ହାତେଇବାକୁ ପ୍ରତି ମୁହୁର୍ତ୍ତରେ ଷଡଯନ୍ତ୍ର କରୁଛନ୍ତି ଶତ୍ରୁରାଷ୍ଟ୍ର। ଠିକ୍ ଯେମିତି ଟଙ୍କା ଓ ଟ୍ରାଭେଲ୍ ଲୋଭ ଦେଖାଇ ଫସାଇଥିଲେ ୟୁଟ୍ୟୁବରଙ୍କୁ। ତେଣୁ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସାବଧାନ ରୁହନ୍ତୁ। ରାବଣର ମାୟାଜାଲରେ ପଡ଼ନ୍ତୁ ନାହିଁ କି ଦେଶ ସୁରକ୍ଷାର ଲକ୍ଷ୍ମଣରେଖା ଡିଅନ୍ତୁ ନାହିଁ।

Sponsored
This man worked as a spy for India while living in Pakistan | Argus News