ଅନନ୍ୟା ବଞ୍ଚାଇଲେ ଅନେକ ଜୀବନ

ମୟୂରଭଞ୍ଜ: ଚର୍ଚ୍ଚାରେ ମୟୂରଭଞ୍ଜ ଝିଅ ସର୍ଜନ୍ କମାଣ୍ଡର ଅନନ୍ୟା। ଆଇଏନ୍ଏସ୍ କୋଲକାତା ଯୁଦ୍ଧପୋତରେ ଡାକ୍ତର ଭାବେ ନିଯୁକ୍ତ ଅନନ୍ୟା କ୍ଷେପଣାସ୍ତ୍ର ମାଡ଼ରେ ଗୁରୁତର ଆହତଙ୍କୁ ଜାହାଜରେ ରାତି ତମାମ ଚିକିତ୍ସା କରାଇ ସେମାନଙ୍କ ଜୀବନ ବଞ୍ଚାଇିବାରେ ସଫଳ ହୋଇଛନ୍ତି । କ୍ଷେପଣାସ୍ତ୍ର ମାଡ଼ରେ ଧ୍ବସ୍ତବିଧ୍ବସ୍ତ ଏକ ପଣ୍ୟବାହୀ ଜାହାଜରେ ଥିବା ୧୮ ଆହତମାନଙ୍କୁ ଚିକିତ୍ସା କରି ଜୀବନ ରକ୍ଷା କରିଛନ୍ତି ଏହି ଓଡ଼ିଆ ଝିଅ। ଯୁଦ୍ଧର ଘନଘଟା ଭିତରେ ସମୁଦ୍ର ଭିତରେ ଏତେବଡ଼ ଦାୟିତ୍ୱ ନିର୍ବାହ କରିବାପରେ ସେ ନିଜକୁ ଭାଗ୍ୟବାନ ମନେକରିଛନ୍ତି। ଏଥିପାଇଁ ବି ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନା ଅନୁସାରେ, ଇସ୍ରାଏଲର ଗାଜା ଉପରେ ଆକ୍ରମଣ ଯୋଗୁଁ ଲୋହିତ ସାଗରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଲୋହିତ ସାଗର ଦେଇ ଭାରତ ସମେତ ଅନ୍ୟ ରାଷ୍ଟ୍ରର ପଣ୍ୟବାହୀ ଜାହାଜ ମଧ୍ୟ ଯାତାୟାତ କରୁଛି। ଏହି ଜାହାଜଗୁଡ଼ିକୁ ସୁରକ୍ଷା ଦେବାପାଇଁ ଭାରତୀୟ ନୌବାହିନୀ ସେ ଅଞ୍ଚଳରେ ସଜାଗ ଅଛନ୍ତି। ଗତ ୬ ତାରିଖରେ ସିରିଆର ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ମାଡ଼ରେ ୱେଷ୍ଟଇଣ୍ଡିଜ୍ ବାର୍ବାଡୋସ୍ର ଏକ ପଣ୍ୟବାହୀ ଜାହାଜ ‘ଏମ୍ଭି ଟ୍ରୁ କନ୍ଫିଡେନ୍ସ’ ଧ୍ବସ୍ତ ହୋଇଯାଇଥିଲା।
ଏହି ଜାହାଜରେ ୨୧ ଜଣ ନାବିକ ଓ କର୍ମଚାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ମଧ୍ୟ ଥିଲେ। କ୍ଷେପଣାସ୍ତ୍ର ମାଡ଼ରେ ଘଟଣାସ୍ଥଳରେ ୩ ଜଣ ନାବିକଙ୍କର ମୃତ୍ୟୁ ହେବାସହ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲା ଭାରତୀୟ ନୌସେନାର ଆଇଏନ୍ଏସ୍ କୋଲକାତା ଯୁଦ୍ଧପୋତ। ଉକ୍ତ ଜାହାଜର ଏକମାତ୍ର ଡାକ୍ତର ଭାବରେ ନିଯୁକ୍ତ ଥିଲେ ବାରିପଦାର ଝିଅ ‘ସର୍ଜନ୍ କମାଣ୍ଡର’ ଅନନ୍ୟା ଦଳବେହେରା। ଜଣେ ମାତ୍ର ଡାକ୍ତରୀ ସହାୟକଙ୍କୁ ନେଇ ଅନନ୍ୟା ରାତିତମାମ ସମସ୍ତ ଆହତଙ୍କୁ ଚିକିତ୍ସା କରି ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଅନନ୍ୟା ହେଉଛନ୍ତି ମୟୂରଭଞ୍ଜର ଜଣାଶୁଣା ସାହିତ୍ୟିକ ମନୋଜ ଦଳବେହେରା ଝିଅ। ଅନନ୍ୟାଙ୍କ ସ୍ବାମୀ ନୀତିନ ଦାସ ମଧ୍ୟ ଭାରତୀୟ ସ୍ଥଳସେନାରେ ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ‘ ଅନନ୍ୟା ଦଳବେହେରା ଙ୍କ ଏହି ଅନନ୍ୟ କାର୍ଯ୍ୟ ପାଇଁ ତାଙ୍କୁ ଆଜି ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟୁଛି।
ଅଧିକ ଦେଖନ୍ତୁ :
📱 Get Argus News App
✨