ହଳଦୀ ସମାରୋହରେ ଡ୍ୟାନ୍ସ କରୁଥିବା ବେଳେ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ

ବିବାହ କରିବା ସ୍ବପ୍ନ ସବୁ ଝିଅ ଦିନେ ନା ଦେଖିଥାଆନ୍ତି। କେବେ ତାଙ୍କ ସ୍ବପ୍ନର ରାଜକୁମାର ଆସିବ ଆଉ ହାତ ଧରି ତାଙ୍କୁ ଅଲଗା ଦୁନିଆଁକୁ ନେଇଯିବ। ଆଉ ବିବାହ ପୂର୍ବରୁ ବହୁତ ସାରା ପରମ୍ପରା ଥାଏ। ଯେମିତିକି ହଳଦୀ ଆଉ ମେହେନ୍ଦୀ। ଏମିତି ଜଣେ ଝିଅ ତା' ବିବାହକୁ ନେଇ ବହୁତ ଏକ୍ସାଇଟେଡ ଥିଲା। ଘରେ ଥିଲା ଖୁସିର ମାହୋଲ କାରଣ ଝିଅର ହଳଦୀ ସମାରୋହ ଚାଲିଥିଲା। ଖୁସିରେ ସମସ୍ତେ ନାଚିଗାଇ ସେଲିବ୍ରେଟ କରୁଥିଲେ କିନ୍ତୁ କିଏ କଣ ଜାଣିଥିଲା ଏଇ ଖୁସିର ମାହୋଲ ସଙ୍ଗେ ସଙ୍ଗେ ପାଲଟିଯିବ ନୀରବତାରେ। ହସ ଖୁସିର ଘରେ କେବଳ ବୁକୁ ଫଟା କାନ୍ଦର ଶବ୍ଦ ଶୁଭିବ। ବିବାହର ଗୋଟିଏ ଦିନ ପୂର୍ବରୁ ହୃଦଘାତରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଇସଲାମନଗର ଥାନା ଅନ୍ତର୍ଗତ ନୂରପୁର ପିନାଉଣୀ ଗାଁରେ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ରବିବାର ରାତିରେ ଦୀକ୍ଷା ତାଙ୍କ ଭଉଣୀ ଓ ସମ୍ପର୍କୀୟଙ୍କ ସହ ହଳଦୀ ସମାରୋହରେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ସେ ବାଥରୁମକୁ ଯାଇଥିଲେ, ଯେଉଁଠାରେ ସେ ତଳେ ପଡ଼ି ଯାଇଥିଲେ ଏବଂ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ତାଙ୍କ ବାପା ଦିନେଶ ପାଲ ସିଂହ କହିଛନ୍ତି ଯେ ଦୀର୍ଘ ସମୟ ଧରି ସେ ବାହାରକୁ ନ ଆସିବାରୁ ପରିବାର ଲୋକେ କବାଟ ବାଡେଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନଥିଲା। ସେମାନେ କବାଟ ଭାଙ୍ଗି ତାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
📱 Get Argus News App
✨ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁରାଦାବାଦ ଜିଲ୍ଲାର ଶିବପୁରୀ ଗାଁର ସୌରଭଙ୍କୁ ସୋମବାର ଦିନ ଦିକ୍ଷାଙ୍କ ବିବାହ ହେବାର ଥିଲା। ସେହିଦିନ ବରର ଶୋଭାଯାତ୍ରା ମୁରାଦାବାଦରୁ ଆସିବାର ଥିଲା। ଅନେକ ଦିନ ଧରି ବିବାହ ପ୍ରସ୍ତୁତି ଚାଲିଥିଲା ଏବଂ ଘରେ ଅନେକ ସମ୍ପର୍କୀୟ ଏକାଠି ହୋଇଥିଲେ। କିନ୍ତୁ କିଏ କଣ ଜାଣିଥିଲା ହଳଦୀ ସମାରୋହ ପାଲଟିଯିବ ଦୀକ୍ଷା ଜୀବନର ଶେଷ ଦିନ। ଘର ପରିବାର ସମସ୍ତେ ଛାତି ଫଟାଇ କାନ୍ଦୁଛନ୍ତି। ଆଉ କିଛି ସମୟ ପରେ ବିବାହ ହୋଇଥାଆନ୍ତା। ଦୀକ୍ଷାକୁ ବଧୂ ବେଶରେ ପରିବାର ଲୋକ ଦେଖିଥାଆନ୍ତେ। କିନ୍ତୁ ସବୁ ଭାଙ୍ଗି ଚୁରମାର ହୋଇଗଲା।