Engineers’ Day , ଦେଶ ନିର୍ମାଣରେ ସାର୍ ଏମ ବିଶ୍ୱେଶ୍ୱରାୟଙ୍କ ଅବଦାନ, ଜାଣନ୍ତୁ...

Key Points
ସାର ଏମ ବିଶ୍ୱେଶ୍ୱରାୟଙ୍କ ପଥରେ ଅଗ୍ରସର ଯୁବ ଇଞ୍ଜିନିୟର୍ସ
ଅସମ୍ଭବକୁ ସମ୍ଭବ କରୁଛନ୍ତି ଭାରତୀୟ ଇଞ୍ଜିନିୟର୍ସ
ଦେଶ ନିର୍ମାଣରେ ଇଞ୍ଜିନିୟର୍ସଙ୍କ ଅବଦାନ ଅତୁଳନୀୟ
ସାର୍ ଏମ ବିଶ୍ୱେଶ୍ୱରାୟ (M. Visvesvaraya) । ବା ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟ। ଭାରତୀୟ ଇଞ୍ଜିନିୟର୍ସଙ୍କ ଜନକ। ତାଙ୍କରି ସ୍ଥପତି ଜ୍ଞାନ ଓ ଦକ୍ଷତାକୁ ମର୍ମେ ମର୍ମେ ଅନୁଭବ କରୁଛି ଦେଶ। ତାଙ୍କର ଜ୍ଞାନର ସୃଜନ ହେଉଛି କର୍ଣ୍ଣାଟକ କାବେରୀ ନଦୀ ଉପରେ ନିର୍ମିତ କୃଷ୍ଣରାଜା ସାଗର ଡ୍ୟାମ । ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଆଉ ଏକ ଦକ୍ଷତାର ପରାକାଷ୍ଠା ହେଉଛି ସେ ଥିଲେ ହାଇଦ୍ରାବାଦ ବନ୍ୟା ନିୟନ୍ତ୍ରଣ ସିଷ୍ଟମର ମୁଖ୍ୟ ଡିଜାଇନର । ସେହିପରି ସ୍ଲୁଇସ ଗେଟ ଡିଜାଇନ ଏବଂ ପେଣ୍ଟିର ଥିଲେ ଉଦ୍ଭାବକ । ଏକାଧିକ ପ୍ରତିଭାର ଅଧିକାରୀ ଥିଲେ ସାର୍ ଏମ ବିଶ୍ୱେଶ୍ୱରାୟ। ଇଞ୍ଜିନିୟର୍ସ ଓ ଶିକ୍ଷା ବ୍ୟତୀତ ଅନେକ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଖାଲି ଏତିକି ନୁହେଁ ସିଭିଲ ଇଞ୍ଜିନିୟର୍ସ ଜଗତ ପାଇଁ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ତାଙ୍କର ଅବଦାନ ଯନ୍ତ୍ର ଶାସ୍ତ୍ରରେ ଭାରତୀୟ ଯନ୍ତ୍ରୀଙ୍କୁ ପ୍ରେରଣା ପାଇଁ ତାଙ୍କୁ 1955 ରେ ଭାରତ ରତ୍ନରେ ସମ୍ମାନିତ କରିବା ସହିତ ତାଙ୍କ ଜନ୍ମ ଜୟନ୍ତୀକୁ ୧୯୬୮ ମସିହାରୁ ଜାତୀୟ ଇଞ୍ଜିନିୟର୍ସ ଡେ ଭାବେ ପାଳନ କରାଯାଉଛି ।
ସେପ୍ଟେମ୍ବର 1861 ମସିହାରେ କର୍ଣ୍ଣାଟକର ମହୀଶୂର ଜିଲ୍ଲା ମୁଦ୍ଦେନାହଲୀ ଗ୍ରାମରେ ଏମ ବିଶ୍ୱେଶ୍ୱରାୟଙ୍କ ଜନ୍ମ । ବାପା ସଂସ୍କୃତରେ ଜଣେ ମହାନ ପଣ୍ଡିତ ଥିଲେ । ପିଲାଟି ବେଳୁ ପିତାଙ୍କୁ ହରାଇଥିବା ଏମ ବିଶ୍ୱେଶ୍ୱରାୟ ଚିକ୍କାବଲ୍ଲାପୁରରୁ ପ୍ରାଥମିକ ଶିକ୍ଷା ଶେଷ ପରେ ଉଚ୍ଚଶିକ୍ଷା ପାଇଁ ବେଙ୍ଗୁଲୁରୁ ଆସିଥିଲେ । ପରେ ଇଞ୍ଜିନିୟର ପଢିବା ପାଇଁ ପୁଣେ ସାଇନ୍ସ କଲେଜରେ ନାମ ଲେଖାଇଥିଲେ । 1883 ମସିହାରେ ପରୀକ୍ଷାରେ ପ୍ରଥମ ରାଙ୍କ ହାସଲ କରି ବମ୍ବେ ସରକାରଙ୍କ ପକ୍ଷରୁ ସେ ନାସିକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ ଚାକିରି ପାଇଥିଲେ । ଜଣେ ସରକାରୀ ଇଞ୍ଜିନିୟର ଭାବରେ ସେ ବିଭିନ୍ନ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ।
ସାର ଏମ ବିଶ୍ୱେଶ୍ୱରାୟଙ୍କ ପଥକୁ ଅନୁସରଣ କରି ପରବର୍ତ୍ତୀ ଇଞ୍ଜିନିୟର ପୀଢି ସ୍ୱାଧୀନ ଭାରତରୁ ବିକଶିତ ଭାରତର ନିର୍ମାଣ ପାଇଁ ଅକଳ୍ପନୀୟ ପରିଶ୍ରମ କରିଚାଲିଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରତ୍ସାହନ ଓ ଦୃଢ ଇଚ୍ଛାଶକ୍ତି ବଳରେ କାଶ୍ମୀର ଚେନାବ ନଦୀ ଉପରେ ବିଶ୍ୱର ସର୍ବବୃହତ ରେଳ ବ୍ରିଜ, ହେଉ କି ନର୍ମଦା ନଦୀ ଉପରେ ଶ୍ରେଷ୍ଠ ଷ୍ଟାଚ୍ୟୁ ନିର୍ମାଣ, କି ଗଭୀର ସମୁଦ୍ର ଜଳରାଶିରେ ପାମବନ ଭର୍ଟିକାଲ ରେଳ ବ୍ରିଜ ହେଉ ବା ମିଜୋରାମର ବଇରବିରୁ ସାଇରଙ୍ଗକୁ କଷ୍ଟସାଧ୍ୟ ରେଳ ଲାଇନ ନିର୍ମାଣ ହେଉ ଗୋଟିଏ ପରେ ଗୋଟିଏ କିର୍ତ୍ତୀ ସ୍ଥାପନ କରିଚାଲିଛନ୍ତି । ଆଜି ଜାତୀୟ ଇଞ୍ଜିନିୟର୍ସ ଦିବସରେ ସମସ୍ତ ଇଞ୍ଜିନିୟର୍ସମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।