ଆଜି ବିଶ୍ୱ ତମାଖୁମୁକ୍ତ ଦିବସ, ଚଳିତ ବର୍ଷର ଥିମ 'ତମାଖୁମୁକ୍ତ ଶୈଶବ'

ଅର୍ଗସ ବ୍ୟୁରୋ: ଆଜି ବିଶ୍ୱ ତମାଖୁମୁକ୍ତ ଦିବସ। ଚଳିତ ବର୍ଷର ଥିମ ରହିଛି ତମାଖୁମୁକ୍ତ ଶୈଶବ। ତମାଖୁ ସେବନ ତଥା ତମାଖୁ କାରବାର କମାଇବା ଏହାର ଲକ୍ଷ୍ୟ। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ଅନୁଯାୟୀ ଓଡ଼ିଶାରେ 55.9 ପ୍ରତିଶତ ପୁରୁଷ ଏବଂ 22.4 ପ୍ରତିଶତ ମହିଳା କରୁଛନ୍ତି ତମାଖୁ ସେବନ । ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି ତମାଖୁ ବିକ୍ରି ଓ ସେବନ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଜାଣି ମଧ୍ୟ କିଛି ଲୋକ ନିଶା ଭାବେ ସେବନ କରୁଥିବା ବେଳେ ଆଉ କେତେକ ସଚେତନତାର ଅଭାବରୁ ସେବନ କରୁଛନ୍ତି। ତେବେ ବର୍ତ୍ତମାନ ଯୁବ ବର୍ଗଙ୍କୁ କବଳିତ କରିଛି ତମାଖୁ। ଏଥିପାଇଁ ଚଳିବ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସର ଥିମ୍ ରହିଛି 'ତମାଖୁ ମୁକ୍ତ ଶୈଶବ'।
ନିଶା କବଳରେ ଯୁବବର୍ଗ। ଶୈଶବରୁ ସେମାନେ ତମାଖୁ ସେବନ କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ପିଲାଦିନ ନଷ୍ଟ ହୋଇଯାଉଛି। ଯେଉଁ ବୟସରେ ଖେଳକୁଦ କରିବାର ଆବଶ୍ୟକତା ରହିଛି ସେହି ସମୟରେ ସେମାନେ ମୃତ୍ୟୁର ନିକଟତର ହେଉଛନ୍ତି। WNTD ୨୦୨୪ ଏହି ଥିମ୍ ରଖିବା ପଛର ଉଦ୍ଦେଶ୍ୟ ପିଲାଙ୍କୁ ଏହି ତମାଖୁ କବଳରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରିବା। କ୍ଷତିକାରକ ତମାଖୁ ଦ୍ରବ୍ୟ ପିଲାଙ୍କ ଜୀବନ କିପରି ନଷ୍ଟ କରିଦିଏ ସେ ନେଇ ପ୍ରତିଟି ଲୋକ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା।
ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ତ ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ । ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସରର କାରଣ ତାହା ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍ଷ୍ଟ୍ରୋକ୍ ଆଦିର କାରଣ ସାଜୁଛି। ଆସନ୍ତୁ ସମସ୍ତେ ଏକାଠି ହୋଇ ପ୍ରତିଜ୍ଞା କରିବା ଏବଂ ତମାଖୁ ବର୍ଜନ କରିବା।
ଅଧିକ ପଢ଼ନ୍ତୁ ଦେଶ ଖବର: