Videos
|
National

Vehicle Insurance / ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର... ଟୋଲ୍ ପାର୍ ହେବା ପରେ ଆସିବ ଇନ୍‌ସ୍ୟୁରାନ୍ସ SMS

Rashmita Mishra
Browse all articles by Rashmita Mishra
·37 mins ago·3 min read
ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର... ଟୋଲ୍ ପାର୍ ହେବା ପରେ ଆସିବ ଇନ୍‌ସ୍ୟୁରାନ୍ସ SMS
Vehicle Insurance

Key Points

ଟୋଲ୍ ପ୍ଲାଜା ପାର୍ ହେଲେ ଆସିବ SMS, ଗାଡ଼ିର ଇନ୍‌ସ୍ୟୁରାନ୍ସ ନଥିଲେ ହେବ ଆଲର୍ଟ
ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର... ଟୋଲ୍ ପାର୍ ହେବା ପରେ ଆସିବ ଇନ୍‌ସ୍ୟୁରାନ୍ସ SMS
ଟୋଲ୍ ପ୍ଲାଜାରେ ଧରାପଡ଼ିବ ବିନା ଇନ୍‌ସ୍ୟୁରାନ୍ସ ଗାଡ଼ି, NHAI ଆଣିଲା ନୂଆ ନିୟମ
ଗାଡ଼ିର ଇନ୍‌ସ୍ୟୁରାନ୍ସ ନାହିଁ କି ? ଟୋଲ୍ ପାର୍ ହେବା ମାତ୍ରେ ମୋବାଇଲକୁ ଆସିବ SMS

ରାସ୍ତାରେ ଗାଡ଼ି ଚଳାଉଛନ୍ତି, ଟୋଲ୍ ପ୍ଲାଜା ଆସିଲା ଏବଂ ଆପଣ ବିନା ଅଟକି ଟୋଲ୍ ଟ୍ୟାକ୍ସ ଦେଇ ଆଗକୁ ବଢ଼ିଗଲେ । କିନ୍ତୁ ଏବେ ଟୋଲ୍ ପ୍ଲାଜା ପାର୍ ହେବା ପରେ ଆପଣଙ୍କ ମୋବାଇଲକୁ ଆସିପାରେ ଏକ ଗୁରୁତ୍ୱପୂର୍ଣ୍ଣ SMS । ଏହି ମେସେଜ୍ ଆପଣଙ୍କ ଗାଡ଼ିର ଇନ୍‌ସ୍ୟୁରାନ୍ସ ସହ ଜଡ଼ିତ ହେବ । ଯଦି ଆପଣଙ୍କ ଗାଡ଼ିର ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ଅବଧି ଶେଷ ହୋଇଯାଇଛି କିମ୍ବା ଗାଡ଼ିର କୌଣସି ବୈଧ ଇନ୍‌ସ୍ୟୁରାନ୍ସ ନାହିଁ, ତେବେ ଏନେଇ ଆପଣଙ୍କୁ SMS ମାଧ୍ୟମରେ ସୂଚନା ମିଳିବ ।

ଏଥିପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି । ବର୍ତ୍ତମାନ ଏହାର ପାଇଲଟ୍ ପ୍ରୋଜେକ୍ଟ ଦିଲ୍ଲୀର ଏକ ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହାକୁ ଦେଶର ସମସ୍ତ ଜାତୀୟ ରାଜପଥରେ ଲାଗୁ କରିବାକୁ ଯୋଜନା ରହିଛି ।

କେଉଁଠି ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ ?
ରିପୋର୍ଟ ଅନୁଯାୟୀ, NHAI ଦିଲ୍ଲୀର ଅର୍ବାନ ଏକ୍ସଟେନ୍‌ସନ୍ ରୋଡ୍-II (UER-II) ଅନ୍ତର୍ଗତ ମୁଣ୍ଡକା ଟୋଲ୍ ପ୍ଲାଜାରେ ଏହି ବ୍ୟବସ୍ଥାର ପାଇଲଟ୍ ଟ୍ରାଏଲ୍ ଆରମ୍ଭ କରିଛି । ବର୍ତ୍ତମାନ ଏହାର ପରୀକ୍ଷଣ ଚାଲିଛି । ଯାହାଦ୍ୱାରା ସିଷ୍ଟମ୍‌କୁ ଅଧିକ ସୁଦୃଢ଼ ଓ ତ୍ରୁଟିମୁକ୍ତ କରାଯାଇପାରିବ । ଗାଡ଼ି ମାଲିକମାନଙ୍କୁ ଠିକ୍ ସମୟରେ ଇନ୍‌ସ୍ୟୁରାନ୍ସ ନବୀକରଣ କରିବା ପାଇଁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

କିପରି କାମ କରିବ ଏହି ନୂଆ ସିଷ୍ଟମ୍ ?
ଏହି ବ୍ୟବସ୍ଥାରେ ଟୋଲ୍ ପ୍ଲାଜା ଓ ଯାନବାହନ ପୋର୍ଟାଲ୍ ମଧ୍ୟରେ ଡାଟା ଆଦାନପ୍ରଦାନ ହେବ । ଯେତେବେଳେ କୌଣସି ଗାଡ଼ି ଟୋଲ୍ ପ୍ଲାଜା ଦେଇ ଅତିକ୍ରମ କରିବ, ସେହି ଗାଡ଼ିର ସୂଚନା ନ୍ୟାସନାଲ୍ ଇନ୍‌ଫର୍ମାଟିକ୍ସ ସେଣ୍ଟର (NIC)ର ଯାନ (Vahan) ଡାଟାବେସ୍‌କୁ ପଠାଯିବ ।

ଏହାପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଗାଡ଼ିର ଇନ୍‌ସ୍ୟୁରାନ୍ସ ବୈଧତା ଯାଞ୍ଚ କରିବ। ଯଦି ଗାଡ଼ିର ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ଅବଧି ଶେଷ ହୋଇଥାଏ କିମ୍ବା କୌଣସି ବୈଧ ଇନ୍‌ସ୍ୟୁରାନ୍ସ ନଥାଏ, ତେବେ ଗାଡ଼ି ମାଲିକଙ୍କ ମୋବାଇଲକୁ ତୁରନ୍ତ SMS ପଠାଯିବ । ଏହି ମେସେଜ୍‌ରେ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର, ଟୋଲ୍ ପ୍ଲାଜା ପାର୍ ହେବାର ସମୟ ଏବଂ ଇନ୍‌ସ୍ୟୁରାନ୍ସର ଅବଧି ଶେଷ ହେବା ସମ୍ପର୍କିତ ତଥ୍ୟ ରହିବ । ଏହାସହ ଗାଡ଼ି ମାଲିକଙ୍କୁ ଶୀଘ୍ର ଇନ୍‌ସ୍ୟୁରାନ୍ସ ନବୀକରଣ କରିବାକୁ ପରାମର୍ଶ ଦିଆଯିବ ।

ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏହି SMS ମାଧ୍ୟମରେ ଗାଡ଼ି ମାଲିକଙ୍କୁ ମୋଟର ଭେହିକିଲ୍ ଆକ୍ଟ ଅନୁଯାୟୀ ଲାଗୁ ହେଉଥିବା ଜରିମାନାରୁ ବର୍ତ୍ତିବା ପାଇଁ ସମୟ ପୂର୍ବରୁ ଇନ୍‌ସ୍ୟୁରାନ୍ସ କରାଇବାକୁ ମନେ ପକାଇ ଦିଆଯିବ । ଅର୍ଥାତ୍ ଏହା ଏକ ରିମାଇଣ୍ଡର ନୋଟିଫିକେସନ୍ ଭାବେ କାମ କରିବ ।

ବିନା ଇନ୍‌ସ୍ୟୁରାନ୍ସରେ ଗାଡ଼ି ଚଳାଇଲେ କେତେ ଜରିମାନା ?
ଭାରତରେ ପ୍ରତ୍ୟେକ ମୋଟର ଯାନ ପାଇଁ ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ କରାଇବା ବାଧ୍ୟତାମୂଳକ । ଏହା ସତ୍ତ୍ୱେ ଅନେକ ଗାଡ଼ି ବିନା ବୈଧ ଇନ୍‌ସ୍ୟୁରାନ୍ସରେ ରାସ୍ତାରେ ଚଳାଚଳ କରୁଛନ୍ତି । ଦୁର୍ଘଟଣା ଘଟିଲେ ଏଭଳି ଗାଡ଼ି ଯୋଗୁଁ ପୀଡ଼ିତଙ୍କୁ କ୍ଷତିପୂରଣ ମିଳିବାରେ ସମସ୍ୟା ହୋଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି NHAIର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବର୍ତ୍ତମାନର ନିୟମ ଅନୁଯାୟୀ, ବିନା ବୈଧ ଇନ୍‌ସ୍ୟୁରାନ୍ସରେ ଗାଡ଼ି ଚଳାଇ ଧରାପଡ଼ିଲେ ଜରିମାନା ଦେବାକୁ ପଡ଼ିବ ।

- ପ୍ରଥମ ଥର ନିୟମ ଉଲ୍ଲଂଘନ: ମୂଳ ଇନ୍‌ସ୍ୟୁରାନ୍ସ ପ୍ରିମିୟମର ତିନି ଗୁଣ କିମ୍ବା ୫,୦୦୦ ଟଙ୍କା ମଧ୍ୟରୁ ଯେଉଁଟି ଅଧିକ, ସେହି ଅନୁସାରେ ଜରିମାନା ।
- ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ: ମୂଳ ଇନ୍‌ସ୍ୟୁରାନ୍ସ ପ୍ରିମିୟମର ପାଞ୍ଚ ଗୁଣ କିମ୍ବା ୧୦,୦୦୦ ଟଙ୍କା ମଧ୍ୟରୁ ଯେଉଁଟି ଅଧିକ, ସେହି ଅନୁସାରେ ଜରିମାନା ।

ଦେଶର ସମସ୍ତ ଜାତୀୟ ରାଜପଥରେ ଲାଗୁ ହୋଇପାରେ ନିୟମ

ବର୍ତ୍ତମାନ ଏହି ନୂଆ ବ୍ୟବସ୍ଥା ପରୀକ୍ଷାମୂଳକ ସ୍ତରରେ ରହିଛି । ପ୍ରାରମ୍ଭିକ ପରୀକ୍ଷଣ ପରେ ଏହାର ତ୍ରୁଟି ଦୂର କରି ସିଷ୍ଟମ୍‌କୁ ଅଧିକ ଉନ୍ନତ କରାଯିବ । ଯଦି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ, ତେବେ ଦେଶର ଅନ୍ୟ ଜାତୀୟ ରାଜପଥର ଟୋଲ୍ ପ୍ଲାଜାଗୁଡ଼ିକରେ ମଧ୍ୟ ଏହାକୁ ଲାଗୁ କରାଯାଇପାରେ ।

ଏହାଦ୍ୱାରା ଗାଡ଼ି ମାଲିକମାନେ ନିଜ ଇନ୍‌ସ୍ୟୁରାନ୍ସର ଅବଧି ବିଷୟରେ ସଚେତନ ରହିପାରିବେ । ଏଥିସହ ବିନା ବୈଧ ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସରେ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ମଧ୍ୟ ସହଜ ହେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: