Railway Rules / ଟ୍ରେନ୍ରେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଚାର୍ଜିଂ ପଏଣ୍ଟ, ଜାଣନ୍ତୁ କାହିଁକି ?

Key Points
ଟ୍ରେନ୍ ଯାତ୍ରୀ ସାବଧାନ ରାତିରେ ମିଳିବନି ଚାର୍ଜିଂ ସୁବିଧା
ରେଳବାଇର କଡ଼ା ନିର୍ଦ୍ଦେଶ ୬ ଘଣ୍ଟା ଚାର୍ଜିଂ ବନ୍ଦ
ଟ୍ରେନ୍ରେ ପାୱାର ବ୍ୟାଙ୍କ ବିସ୍ଫୋରଣ ଚାର୍ଜିଂ ଉପରେ କଟକଣା
ଯଦି ଆପଣ ଟ୍ରେନ୍ରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଏଣିକି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନ୍ରେ ମୋବାଇଲ୍ ଓ ଲାପଟପ୍ ଚାର୍ଜ କରିବା ପାଇଁ ଥିବା ଚାର୍ଜିଂ ପଏଣ୍ଟ ବନ୍ଦ ରହିବ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ଏହି ନିର୍ଦ୍ଦେଶ ଦେଇଥିବା ଖବରରେ କୁହାଯାଇଛି । ସମସ୍ତ ଜୋନାଲ୍ ରେଳବାଇକୁ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।
କାହିଁକି ନିଆଗଲା ଏହି ନିଷ୍ପତ୍ତି ?
ସୂଚନା ଅନୁସାରେ, ୨୫ ଅକ୍ଟୋବର ୨୦୨୬ରେ ମୁମ୍ବାଇ-ହାୱଡ଼ା ଟ୍ରେନ୍ରେ ଜଣେ ଯାତ୍ରୀ ପାୱାର ବ୍ୟାଙ୍କ ଚାର୍ଜ କରୁଥିବା ସମୟରେ ଏଥିରେ ବିସ୍ଫୋରଣ ହୋଇଥିଲା । ଏହାପରେ ଟ୍ରେନ୍ର ଗୋଟିଏ କୋଚ୍ରେ ଧୂଆଁ ଭରିଯାଇଥିଲା । ଫଳରେ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିଲେ । ତେବେ ବଡ଼ ଧରଣର ଅଘଟଣ ଟଳିଯାଇଥିଲା ।
ଏହି ଘଟଣା ପରେ ରେଳବାଇ ଚାର୍ଜିଂ ପଏଣ୍ଟ ବ୍ୟବହାରକୁ ନେଇ ସତର୍କତା ବଢ଼ାଇଛି । ନିର୍ଦ୍ଧାରିତ ୬ ଘଣ୍ଟା ମଧ୍ୟରେ ସମସ୍ତ କୋଚ୍ର ଚାର୍ଜିଂ ପଏଣ୍ଟ ବନ୍ଦ ରଖିବା ସହ କର୍ମଚାରୀଙ୍କୁ ଏନେଇ ତାଲିମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ମଧ୍ୟ ଜାରି ହୋଇଥିଲା ନିର୍ଦ୍ଦେଶ
ଟ୍ରେନ୍ରେ ରାତି ସମୟରେ ଚାର୍ଜିଂ ପଏଣ୍ଟ ବନ୍ଦ ରଖିବା ନିୟମ ନୂଆ ନୁହେଁ । ୧୯ ଜୁନ୍ ୨୦୧୪ରେ ମଧ୍ୟ ଏନେଇ ନିର୍ଦ୍ଦେଶ ଜାରି ହୋଇଥିଲା । ପରେ ମାର୍ଚ୍ଚ ୨୦୨୧ରେ ରେଳବାଇ ପୁଣି ଏହାକୁ କଡ଼ାକଡ଼ି ପାଳନ କରିବାକୁ କହିଥିଲା । ସେହି ବର୍ଷ ୧୬ ମାର୍ଚ୍ଚରୁ ପଶ୍ଚିମ ରେଳବାଇ ନିର୍ଦ୍ଧାରିତ ସମୟରେ ଚାର୍ଜିଂ ପଏଣ୍ଟର ବିଦ୍ୟୁତ୍ ସଂଯୋଗ ବନ୍ଦ କରିବା ଆରମ୍ଭ କରିଥିଲା ।
ତେଣୁ ରାତିରେ ଟ୍ରେନ୍ରେ ଯାତ୍ରା କରିବା ପୂର୍ବରୁ ମୋବାଇଲ୍, ଲାପଟପ୍ ଓ ଅନ୍ୟ ଜରୁରୀ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଚାର୍ଜ କରି ରଖନ୍ତୁ । ଏହାଦ୍ୱାରା ଯାତ୍ରା ସମୟରେ ଅସୁବିଧା ଏଡ଼ାଇବା ସହ ସୁରକ୍ଷିତ ଯାତ୍ରାରେ ସହାୟତା ମିଳିପାରିବ ।
📱 Get Argus News App
✨Related Topics
Explore more stories