Videos
|
National

Railway Rules / ଟ୍ରେନ୍‌ରେ ଉଚ୍ଚ ସ୍ୱରରେ କଥା ହେବା ଓ ଗୀତ ଶୁଣିବା ମନା... ନିୟମ ଭାଙ୍ଗିଲେ ଜେଲ୍

Rashmita Mishra
Browse all articles by Rashmita Mishra
·42 mins ago·2 min read
ଟ୍ରେନ୍‌ରେ ଉଚ୍ଚ ସ୍ୱରରେ କଥା ହେବା ଓ ଗୀତ ଶୁଣିବା ମନା... ନିୟମ ଭାଙ୍ଗିଲେ ଜେଲ୍
Railway Rules

Key Points

ଟ୍ରେନ୍‌ରେ ଉଚ୍ଚ ସ୍ୱରରେ ଫୋନ୍‌ରେ କଥା ହେବା ଓ ଗୀତ ଶୁଣିବା ମନା...
ନିୟମ ଭାଙ୍ଗିଲେ ହୋଇପାରେ ୬ ମାସ ଜେଲ୍ ସହ ଜରିମାନା 

ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ୍‌ରେ ଯାତ୍ରା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ଏଣିକି ଟ୍ରେନ୍‌ରେ ଉଚ୍ଚ ସ୍ୱରରେ ଫୋନ୍‌ରେ କଥା ହେବା କିମ୍ବା ମୋବାଇଲ୍‌ରେ ଜୋର୍‌ରେ ଗୀତ ଓ ଭିଡିଓ ଚଲାଇବା ଯାତ୍ରୀଙ୍କୁ ମହଙ୍ଗା ପଡ଼ିପାରେ । ଏପରି ନିୟମ ଉଲ୍ଲଂଘନ କଲେ ଜେଲ୍ ଓ ଜରିମାନା, ଏପରିକି ଉଭୟ ଦଣ୍ଡ ମିଳିପାରେ। ଏହି ନିର୍ଦ୍ଦେଶକୁ ଇଷ୍ଟର୍ଣ୍ଣ ରେଳବାଇ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନକୁ ଜଣାଇ ଦିଆଯାଇଛି ।

ଫୋନ୍ ବ୍ୟବହାର ସମୟରେ ରଖନ୍ତୁ ସତର୍କତା
ରେଳବାଇର ନିର୍ଦ୍ଦେଶ ଅନୁଯାୟୀ, ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମୋବାଇଲ୍‌ରେ ଉଚ୍ଚ ସ୍ୱରରେ କଥା ହେବାରୁ ନିବୃତ୍ତ ରହିବା ଆବଶ୍ୟକ । ଫୋନ୍‌କୁ ସ୍ପିକର୍ ମୋଡ୍‌ରେ ରଖି କଥା ହେବା, ଉଚ୍ଚ ସ୍ୱରରେ ଗୀତ ଶୁଣିବା କିମ୍ବା ଭିଡିଓ ଚଲାଇବା ମଧ୍ୟ ମନା ।

ଯଦି କୌଣସି ଯାତ୍ରୀଙ୍କୁ ଫୋନ୍‌ରେ ଦୀର୍ଘ ସମୟ କଥା ହେବାକୁ ପଡ଼େ, ତେବେ ଅନ୍ୟ ଯାତ୍ରୀଙ୍କ ଯେପରି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହା ସହ ଫୋନ୍‌ର ରିଙ୍ଗଟୋନ୍ ଭଲ୍ୟୁମ୍ କମ୍ ରଖିବା ଏବଂ ଆବଶ୍ୟକ ସ୍ଥଳେ ଇୟରଫୋନ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଏସି କୋଚ୍‌ରେ ଉଚ୍ଚ ସ୍ୱର ଅଧିକ ଗୁଞ୍ଜରଣ ସୃଷ୍ଟି କରିଥାଏ । ଫଳରେ ଅନ୍ୟ ଯାତ୍ରୀଙ୍କ ଶୋଇବା ଓ ବିଶ୍ରାମ ନେବାରେ ବାଧା ସୃଷ୍ଟି ହୋଇଥାଏ ।

ନିୟମ ଉଲ୍ଲଂଘନ କଲେ ୬ ମାସ ଜେଲ୍
ଇଷ୍ଟର୍ଣ୍ଣ ରେଳବାଇର ନିର୍ଦ୍ଦେଶ ଅନୁସାରେ, ଯଦି କୌଣସି ଯାତ୍ରୀଙ୍କ ଉଚ୍ଚ ସ୍ୱରରେ କଥାବାର୍ତ୍ତା କିମ୍ବା ଗୀତ ଶୁଣିବା ଯୋଗୁଁ ଅନ୍ୟ ଯାତ୍ରୀ ଅଭିଯୋଗ କରନ୍ତି, ତେବେ ରେଳ ଅଧିନିୟମ ୧୯୮୯ର ସଂଶୋଧିତ ଧାରା ୧୪୫ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଏହି ନିୟମ ଉଲ୍ଲଂଘନ ପାଇଁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଆବଶ୍ୟକ ସ୍ଥଳେ ଉଭୟ ଦଣ୍ଡ ମଧ୍ୟ ଦିଆଯାଇପାରେ। ଏଭଳି ମାମଲାରେ ଟିଟିଇ କିମ୍ବା ତାଙ୍କଠାରୁ ଉଚ୍ଚ ପଦବୀରେ ଥିବା ରେଳ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ନୋଟିସ୍ ଓ ଷ୍ଟିକର୍ ଲଗାଇ କରାଯିବ ସଚେତନ
ଯାତ୍ରୀମାନଙ୍କୁ ଏହି ନିୟମ ସମ୍ପର୍କରେ ସଚେତନ କରିବା ପାଇଁ ରେଳ ଷ୍ଟେସନ ଓ ଟ୍ରେନ୍‌ର ବିଭିନ୍ନ କୋଚ୍‌ରେ 'ନୋ ନଏଜ୍' ସମ୍ପର୍କିତ ନୋଟିସ୍ ଓ ଷ୍ଟିକର୍ ଲଗାଯିବ। ଏହା ସହ ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଘୋଷଣା ମାଧ୍ୟମରେ ମଧ୍ୟ ଯାତ୍ରୀଙ୍କୁ ସୂଚନା ଦିଆଯିବ ।

ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ଫୋନ୍ ସାଇଲେଣ୍ଟ୍ କିମ୍ବା ଭାଇବ୍ରେସନ୍ ମୋଡ୍‌ରେ ରଖିବା, ଇୟରଫୋନ୍ ବ୍ୟବହାର କରିବା ଏବଂ ଅନ୍ୟ ଯାତ୍ରୀଙ୍କ ଶାନ୍ତି ଓ ସୁବିଧା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।ତେଣୁ ଟ୍ରେନ୍‌ରେ ଯାତ୍ରା ସମୟରେ ନିଜେ ସତର୍କ ରହିବା ସହ ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ଅସୁବିଧାରେ ନପକାଇବା ଜରୁରୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: