Russia-America: ଦୁଇ ଦେଶ ମଧ୍ୟରେ ହେବ କି ବଡ଼ ଯୁଦ୍ଧ ? ପରମାଣୁ ଜାହାଜ ଛାଡ଼ିଲାଣି ଆମେରିକା..

Key Points
ତୀବ୍ର ହେଉଛି ଋଷ-ଆମେରିକା ବିବାଦ ।
କେହି କାହାରିକୁ ଛାଡ଼ିବାକୁ ନାରାଜ ।
ବାଉଳା ହେଲେଣି ଟ୍ରମ୍ପ । କ'ଣ କରିବେ କିଛି ବୁଝି ପାରୁନାହାନ୍ତି । ଏପଟେ ଭାରତକୁ ଟାରିଫ ଆଟାକ୍ କରୁଛନ୍ତି, ସେପଟେ ଋଷକୁ ବି ଉସକାଉଛନ୍ତି । ଖାଲି ସେତିକି ନୁହେଁ ପୂର୍ବରୁ ଚାଇନା ସହ ମଧ୍ୟ ଟାରିଫ କଳି ଲଗାଇଥିଲା ଆମେରିକା । ଭାରତର ଅର୍ଥନୀତିକୁମ ମୃତ ବୋଲି କହିବା ସହ ଋଷ ଇକୋନୋମୀକୁ ମଧ୍ୟ ଡେଡ୍ ବୋଲି କହିଥିଲେ । ଏହାର ଜବାବରେ ମେଦଭେଦେଭ କହିଛନ୍ତି ଯେ ଟ୍ରମ୍ପଙ୍କୁ ଚଳଚ୍ଚିତ୍ରରେ ଦେଖାଯାଉଥିବା 'ଜୋମ୍ବି' ବିଷୟରେ ଚିନ୍ତା କରିବା ଉଚିତ, ଯେଉଁମାନେ ବହୁତ ବିପଜ୍ଜନକ ହୋଇପାରନ୍ତି।
ତେବେ ଋଷ୍ ଓ ଆମେରିକା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷ୍ର ପୂର୍ବତନ ରାଷ୍ଟ୍ରପତି ତଥା ପୁଟିନଙ୍କ ଅତ୍ୟନ୍ତ ନିକଟତର ଦିମିତ୍ରୀ ମେଦଭେଦେଭ କଡ଼ା ଜବାବ ଦେବା ପରେ ଟ୍ରମ୍ପ ଅତ୍ୟନ୍ତ ଚିଡ଼ିଯାଇଛନ୍ତି । ଋଷର ଏଭଳି ବିପଦପୂର୍ଣ୍ଣ ଧମକ ଦେଖି ଟ୍ରମ୍ପ ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହା ପରେ ଟ୍ରମ୍ପ ଦୁଇଟି ନ୍ୟୁକ୍ଲିଅର୍ ସବମରିନ୍, ଋଷ୍ ନିକଟ ସମୁଦ୍ରରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିକଟତର ଦିମିତ୍ରୀ ମେଦଭେଦେଭଙ୍କ ଧମକର ଜବାବରେ ନିଆଯାଇଛି । ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, 'ଋଷ୍ ଫେଡେରେସନ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭଙ୍କ ଅତ୍ୟନ୍ତ ଉତ୍ତେଜକ ବୟାନକୁ ଆଧାର କରି, ମୁଁ ଦୁଇଟି ନ୍ୟୁକ୍ଲିଅର୍ ସବମରିନକୁ ଉପଯୁକ୍ତ ଅଞ୍ଚଳରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛି। ଯାହା ଫଳରେ ଏହି ମୂର୍ଖତାପୂର୍ଣ୍ଣ ଓ ଉତ୍ତେଜକ ବୟାନ ଅଧିକ ନହେଉ। ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାୟତଃ ଅନିଚ୍ଛାକୃତ ପରିଣାମ ଦେଇପାରେ। ମୁଁ ଆଶା କରୁଛି ଏହି ମାମଲା ଏପରି ହେବ ନାହିଁ।'
ଅନ୍ୟପଟେ ଟ୍ରମ୍ପ ନିଜ ସୋସିଆଲ ମିଡିଆରେ ଲେଖିଥିଲେ ଯେ, 'ଭାରତ-ଋଷ୍ ସହିତ କ’ଣ କରୁଛି, ମୁଁ ସେସବୁକୁ ଖାତିର କରୁ ନାହିଁ । ସେମାନେ ମିଳିତ ଭାବେ ନିଜର 'ମୃତ ଅର୍ଥନୀତି'କୁ ଆହୁରି ତଳକୁ ନେଇଯିବେ । ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରିଛୁ, ସେମାନଙ୍କର ଟାରିଫ୍ ବହୁତ ଅଧିକ, ବିଶ୍ୱରେ ସବୁଠାରୁ ଅଧିକ। ସେହିପରି ଋଷ୍ ଏବଂ ଆମେରିକା ମଧ୍ୟ ପ୍ରାୟ କୌଣସି ବାଣିଜ୍ୟ କରୁନାହାନ୍ତି। ତେଣୁ ଋଷ ଏବଂ ଭାରତ ମିଶିଲେ ଆମର କିଛି ଯାଏଆସ ନାହିଁ।'
ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଏବଂ ଅତିରିକ୍ତ ଜରିମାନା ଲଗାଇବାର ଘୋଷଣା କରିଥିଲେ। ସେ କହିଥିଲେ ଯେ ଭାରତ ଉପରେ ଜରିମାନା ଲଗାଯାଇଛି କାରଣ ସେ ଋଷଠାରୁ ଅବିରତ ସାମରିକ ଉପକରଣ କିଣୁଛି।
📱 Get Argus News App
✨ସୂଚନା ଅନୁସାରେ ଋଷର ଯେଉଁ ସବୁ ସବମରିନ୍ ରହିଛି ସେଥିରେ ବିଶ୍ୱର ସବୁଠାରୁ ପାଓ୍ୱାରଫୁଲ୍ ମିସାଇଲ ଖଞ୍ଜାଯାଇଛି । ତାହା ଦୀର୍ଘ ଦୂରତାରୁ ମଧ୍ୟ ଲକ୍ଷ୍ୟ ଭେଦ କରି ଧ୍ୱସ୍ତ ବିଧ୍ୱସ୍ତ କରିବାର କ୍ଷମତା ରଖୁଛି । ଋଷ ମଧ୍ୟ ନିଜ ସବ୍ମରିନ୍ ଆମେରିକା ଉପକୂଳରେ ପହଞ୍ଚାଇ ସାରିଥିବା ଜଣାପଡ଼ିଛି ।
ଋଷ ଓ ଆମେରିକା ମଧ୍ୟରେ ବିବାଦ ତୀବ୍ର ହେଉଥିବା ଦେଖି, ଏବେ ସାଧାରଣ ଲୋକେ କହିଲେଣି ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ସର୍ବନାଶ ହେବ । କାରଣ ଏହି ଦୁଇ ଦେଶ କେହି କାହାରିଠାରୁ କମ୍ ନୁହଁନ୍ତି । ଉଭୟଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଉଭୟଙ୍କ ପାଖରେ ସୈନ୍ୟ ବଳ ମଧ୍ୟ ଯଥେଷ୍ଟ ରହିଛି ।