Tunganath: ତୁଙ୍ଗନାଥ ହେଉଛନ୍ତି ତୃତୀୟ କେଦାର ବାବା

ଚାରିଆଡ଼େ ବରଫ । ଏଠି ପାଣି ବି ବରଫ । ପବନ ବି ବରଫ । ଏତେ ଥଣ୍ଡା ଯେ ସବୁ କିଛି ଜମାଟ ବାନ୍ଧିଯାଏ । ହେଲେ ମନର ବିଶ୍ବାସ ଓ ଭଗବାନ ଶିବଙ୍କ ମାହାତ୍ମ୍ୟ ଏଠାକାର ପାଣି ପବନରେ ଭରି ରହିଛି । ବିଶ୍ବାସ ରହିଛି ଏଠାକୁ ଆସିଲେ ଅନେକ ପୂଣ୍ୟ ଲାଭ ହୁଏ ।
ଇଏ ହେଉଛି ତୁଙ୍ଗନାଥ ମନ୍ଦିର । ପୃଥିବୀର ସବୁଠୁ ଉଚ୍ଚତମ ଶିବ ମନ୍ଦିର । ଯାହାକି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ରଙ୍ଗନାଥ ପର୍ବତମାଳାରେ ରହିଛି । ପଞ୍ଚ କେଦାର ମଧ୍ୟରୁ ଏହା ତୃତୀୟ କେଦାର । ସମୁଦ୍ରପତ୍ତନଠାରୁ ପ୍ରାୟ ୧୨,୦୭୩ ଫୁଟ ଉଚ୍ଚରେ ଚନ୍ଦ୍ରଶିଳାର ଶିଖରରେ ରହିଛି ଭଗବାନ ଶିବଙ୍କ ଏହି ଅଲୌକିକ ମନ୍ଦିର । ଏହା ଶିବଙ୍କ ଉପାସନା ପିଠ ବୋଲି ମଧ୍ୟ ବିଶ୍ବାସ ରହିଛି ।
କୁହାଯାଏ ପାଣ୍ଡବ ଯେତେବେଳେ ପରିବାର ଲୋକଙ୍କୁ ହତ୍ୟା କରି ପାପ ଅର୍ଜନ କରିଥିଲେ, ସେତେବେଳେ ପ୍ରାୟଶ୍ଚିତ ପାଇଁ ଭଗବାନ ଶିବଙ୍କୁ ଆରାଧନା କରିବାକୁ ବ୍ଯାସ ଋଷି ପରାମର୍ଶ ଦେଇଥିଲେ । ଯେଉଁଥିପାଇଁ ପାଣ୍ଡବ ହିମାଳୟରେ ପାଞ୍ଚଟି କେଦାର ମନ୍ଦିର ନର୍ମାଣ କରିଥିଲେ । ଯାହାକୁ ପଞ୍ଚ କେଦାର କୁହାଯାଏ । ଆଉ ତୁଙ୍ଗନାଥ ହେଉଛନ୍ତି ସେମାନଙ୍କ ମଧ୍ୟରୁ ତୃତୀୟ କେଦାର ।
ଏହା ମଧ୍ୟ କଥା ରହିଛି ଯେ, ପାଣ୍ଡବ ନିଜ ବଂଶଜଙ୍କୁ ହତ୍ୟା କରିଥିବାରୁ ଭଗବାନ ଶିବ ତାଙ୍କୁ ଦର୍ଶନ ନଦେଇ ଗୁପ୍ତକାଶିରେ ଷଣ୍ଢ ବେଶରେ ଲୁଚି ରହିଥିଲେ । ଏଥିପାଇଁ ପାଣ୍ଡବମାନେ ଷଣ୍ଢର ୫ଟି ଅଙ୍ଗକୁ ବୁଝାଉଥିବା କେଦାର ମନ୍ଦିର ନିର୍ମାଣ କରିଥିଲେ । ସେହି ଅନୁସାରେ ତୁଙ୍ଗନାଥ ମନ୍ଦିର ବାହୁକୁ ପ୍ରତିନିଧିତ୍ୱ କରିଥାଏ । ମସ୍ତକ ରୂପେ ରୁଦ୍ରନାଥଙ୍କୁ ବୁଝାଯାଏ, କୁଜ ରୂପେ କେଦାରନାଥ ଆଉ ଜଟା ରୂପେ କଳ୍ପେଶ୍ୱର ବୋଲି ବିଶ୍ବାସ ରହିଛି । ସେହିଭଳି ମଧ୍ୟ ଅଂଶକୁ ମାଧ୍ୟମେଶ୍ୱର ମନ୍ଦିର ବୋଲି କୁହାଯାଇଥାଏ ।
ବିଶ୍ବାସ ରହିଛି... ତୁଙ୍ଗନାଥଙ୍କ ନିକଟରେ ଥିବା ଚନ୍ଦ୍ରଶିଳାରେ ତପସ୍ୟା କରିବାକୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଆସିଥିଲେ । ଏମିତିକି ରାବଣ ମଧ୍ୟ ଶିବଙ୍କୁ ଉପାସନା କରିବାକୁ ଏଠାକୁ ଆସିଥିଲେ ।
ତୁଙ୍ଗନାଥଙ୍କୁ କେବଳ ସ୍ଥାନୀୟ ମକୁମମଠ ଗାଁରୁ ବ୍ରାହ୍ମଣ ପୂଜକ ପୂଜା କରନ୍ତି । ଶୀତଦିନେ ମନ୍ଦିର ବନ୍ଧ ରହେ । ଏହି ସମୟରେ ୧୯ କିଲୋମିଟର ଦୂର ମକୁମମଠରେ ଅସ୍ଥାୟୀ ଭାବେ ପୂଜା ପାଆନ୍ତି ବାବା ତୁଙ୍ଗନାଥ ।