Aadhaar Update / ଆଧାର କାର୍ଡରେ ନାମ ବଦଳାଇବାକୁ ନୂଆ ନିୟମ, ଜାଣନ୍ତୁ ୪ଟି କ୍ୟାଟେଗୋରୀ

Key Points
ଆଧାର କାର୍ଡରେ ବଦଳିଲା ଏହି ନିୟମ ।
ଜାଣନ୍ତୁ ୪ଟି କ୍ୟାଟେଗୋରୀ ।
ଆଧାର କାର୍ଡରେ ନାମର ବନାନ ଭୁଲ ହୋଇଛି, ବିବାହ ପରେ ସରନେମ୍ ବଦଳାଇବାକୁ ଚାହୁଁଛନ୍ତି କିମ୍ବା ସମ୍ପୂର୍ଣ୍ଣ ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାରରେ ନାମ ସଂଶୋଧନ ଓ ପରିବର୍ତ୍ତନ ପାଇଁ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (SOP) ଜାରି କରିଛି । ନୂଆ ବ୍ୟବସ୍ଥା ଅନୁଯାୟୀ ନାମ ପରିବର୍ତ୍ତନକୁ ୪ଟି ଅଲଗା ଶ୍ରେଣୀରେ ବିଭକ୍ତ କରାଯାଇଛି ।
୧. ସାମାନ୍ୟ ସଂଶୋଧନ
ନାମରେ ଛୋଟ-ମୋଟ ଭୁଲ ଥିଲେ ଏହାକୁ ‘ମାଇନର୍ କରେକ୍ସନ୍’ ଭାବେ ଗଣାଯିବ । ଯେପରିକି ନାମର ଇନିସିଆଲ୍କୁ ପୂରା ଲେଖିବା କିମ୍ବା ଛୋଟ କରିବା, ମିଡିଲ୍ ନେମ୍ କିମ୍ବା ସରନେମ୍ ଯୋଡ଼ିବା ବା ହଟାଇବା, ନାମର ଶବ୍ଦଗୁଡ଼ିକର କ୍ରମ ବଦଳାଇବା ଏବଂ ଉଚ୍ଚାରଣରେ ପରିବର୍ତ୍ତନ ନକରୁଥିବା ଛୋଟ ବନାନ ଭୁଲ ଏଥିରେ ସାମିଲ।
ସେହିପରି ନାମ ମଝିରୁ ଡଟ୍ ହଟାଇବା, ଯେପରିକି ‘R.P. Singh’କୁ ‘RP Singh’ କରିବା କିମ୍ବା ଭୁଲ୍ କ୍ୟାପିଟାଲ୍ ଲେଟର୍ ସଠିକ୍ କରିବା ମଧ୍ୟ ଏହି ଶ୍ରେଣୀରେ ଆସିବ । ଏଥିପାଇଁ ଆଧାର ସେବା କେନ୍ଦ୍ରରେ ଏକ ବୈଧ ପରିଚୟ ପ୍ରମାଣପତ୍ର (PoI) ଦେବାକୁ ପଡ଼ିବ ।
୨. ବିବାହ କିମ୍ବା ଛାଡ଼ପତ୍ର ପରେ ନାମ ପରିବର୍ତ୍ତନ
ବିବାହ ପରେ ସରନେମ୍ ବଦଳାଇବା କିମ୍ବା ଛାଡ଼ପତ୍ର ପରେ ପୁରୁଣା ନାମ ଫେରାଇବା ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ଆବେଦକଙ୍କୁ ପରିଚୟ ପ୍ରମାଣପତ୍ର ସହ ନିର୍ଦ୍ଧାରିତ Annexure D ହଲଫନାମା ଦାଖଲ କରିବାକୁ ପଡ଼ିବ । ଏହା ସହ ଜେଣ୍ଡର୍ ଚେଞ୍ଜ୍ ପରେ ନାମ ପରିବର୍ତ୍ତନ ଏବଂ ନବଜାତ ଶିଶୁଙ୍କ ଆଧାରରେ ଥିବା ‘Baby of’ ସ୍ଥାନରେ ପ୍ରକୃତ ନାମ ଯୋଡ଼ିବା ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ରହିଛି ।
୩. ଡାଟା ଏଣ୍ଟ୍ରିରେ ଭୁଲ
ନାମାଙ୍କନ କିମ୍ବା ଆଧାର ଅପଡେଟ୍ ସମୟରେ ଆପଣ ସଠିକ୍ ଦସ୍ତାବିଜ ଦେଇଥିଲେ, କିନ୍ତୁ ଆଧାର କେନ୍ଦ୍ରର କର୍ମଚାରୀଙ୍କ ଭୁଲରେ ନାମ ଭୁଲ ଟାଇପ୍ ହୋଇଥିଲେ ଏହାକୁ ‘ଡାଟା ଏଣ୍ଟ୍ରି ଏରର୍’ ଭାବେ ଗଣାଯିବ । ବୟସ୍କଙ୍କ କ୍ଷେତ୍ରରେ PoI କିମ୍ବା PoR ସହ Annexure B ହଲଫନାମା ଏବଂ ନାବାଳକଙ୍କ କ୍ଷେତ୍ରରେ PoI/PoR ସହ Annexure C ହଲଫନାମା ଆବଶ୍ୟକ ହେବ । ଇଂରାଜୀରେ ନାମ ସଠିକ୍ ଥିବାବେଳେ କେବଳ ଆଞ୍ଚଳିକ ଭାଷାରେ ଭୁଲ ଥିଲେ ଏଥିପାଇଁ ଅଲଗା ନିୟମ ଲାଗୁ ହେବ ।
୪. ନାମରେ ବଡ଼ ପରିବର୍ତ୍ତନ
ଯଦି ଆପଣ ସମ୍ପୂର୍ଣ୍ଣ ନାମ ବଦଳାଇବାକୁ ଚାହୁଁଛନ୍ତି କିମ୍ବା ଏପରି ପରିବର୍ତ୍ତନ କରୁଛନ୍ତି ଯାହାଦ୍ୱାରା ପୁରୁଣା ନାମ ଓ ନୂଆ ନାମ ମଧ୍ୟରେ ବଡ଼ ପାର୍ଥକ୍ୟ ରହୁଛି, ତେବେ ଏହାକୁ ‘ମେଜର୍ ନେମ୍ ଚେଞ୍ଜ୍’ ଶ୍ରେଣୀରେ ରଖାଯିବ । ଏଭଳି କ୍ଷେତ୍ରରେ ସରକାରୀ ଗଜେଟ୍ ନୋଟିଫିକେସନ୍ ସହ ବୈଧ ପରିଚୟ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ ହେବ ।
ଆଧାରରେ ନାମ ଅପଡେଟ୍ କିପରି କରିବେ ?
- ନିକଟସ୍ଥ ଆଧାର ସେବା କେନ୍ଦ୍ର କିମ୍ବା ନାମାଙ୍କନ/ଅପଡେଟ୍ ସେଣ୍ଟରକୁ ଯାଆନ୍ତୁ ।
- ନାମ ପରିବର୍ତ୍ତନର ପ୍ରକାର ଅନୁଯାୟୀ ଆବଶ୍ୟକ ଫର୍ମ ଓ ଦସ୍ତାବିଜ ଦାଖଲ କରନ୍ତୁ ।
- କେନ୍ଦ୍ରରେ ବାୟୋମେଟ୍ରିକ୍ ଯାଞ୍ଚ ଓ ଭେରିଫିକେସନ୍ ପ୍ରକ୍ରିୟା ପୂରଣ କରନ୍ତୁ ।
- ଡେମୋଗ୍ରାଫିକ୍ ଅପଡେଟ୍ ପାଇଁ ନିର୍ଦ୍ଧାରିତ ୭୫ ଟଙ୍କା ଫି ଦିଅନ୍ତୁ ।
- ରସିଦ ନେଇ ସେଥିରେ ଥିବା Update Request Number (URN) ମାଧ୍ୟମରେ ଆବେଦନର ସ୍ଥିତି ଟ୍ରାକ୍ କରନ୍ତୁ ।
ତେଣୁ ଆଧାରରେ ନାମ ବଦଳାଇବା ପୂର୍ବରୁ ଆପଣଙ୍କ ପରିବର୍ତ୍ତନ କେଉଁ ଶ୍ରେଣୀରେ ପଡ଼ୁଛି ତାହା ଭଲ ଭାବେ ଜାଣନ୍ତୁ । ଆବଶ୍ୟକ ହେଲେ Annexure B, C, D କିମ୍ବା Gazette Notification ପୂର୍ବରୁ ପ୍ରସ୍ତୁତ ରଖନ୍ତୁ । ଏହାଦ୍ୱାରା ଆଧାର କେନ୍ଦ୍ରରେ ସମୟ ବଞ୍ଚିବା ସହ ଆବେଦନ ଅସ୍ୱୀକୃତ ହେବାର ସମ୍ଭାବନା ମଧ୍ୟ କମିପାରେ।
📱 Get Argus News App
✨Related Topics
Explore more stories