Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Plane Crash / ଅହମ୍ମଦାବାଦ ବିମାନ ଦୁର୍ଘଟଣା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ ! କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ଅହମ୍ମଦାବାଦ ବିମାନ ଦୁର୍ଘଟଣା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ ! କହିଲେ...

Key Points

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟମାନେ ଜାଣିଶୁଣି ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲେ ବୋଲି ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତା'ଉପରେ ସୁପ୍ରିମକୋର୍ଟ କଡ଼ା ଆପତ୍ତି ଉଠାଇଛନ୍ତି। 

ବର୍ଷିଲେ ସୁପ୍ରିମକୋର୍ଟ । ଅହମ୍ମଦାବାଦରେ ଜୁନ୍ ୧୨ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ତଦନ୍ତ ବ୍ୟୁରୋ (AAIB) ଯେଉଁ ପ୍ରାରମ୍ଭିକ ରିପୋର୍ଟ ପ୍ରସ୍ତୁତ କରିଥିଲା, ତାର କିଛି ଅଂଶ ବାହାରକୁ ଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଏବଂ ଦାୟିତ୍ୱହୀନତା ।

ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣା ସମ୍ପର୍କିତ ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଘଟଣା ପାଇଁ କେବଳ "ପାଇଲଟ୍‌ଙ୍କ ତ୍ରୁଟି" ଦର୍ଶାଇବା ଦୁର୍ଭାଗ୍ୟଜନକ। ଏହି ମାମଲାର ସ୍ୱାଧୀନ ତଦନ୍ତ ପାଇଁ ଆବେଦନ ଉପରେ କୋର୍ଟ, କେନ୍ଦ୍ର ସରକାର, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଠାରୁ ଜବାବ ତଲବ କରିଛନ୍ତି।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟମାନେ ଜାଣିଶୁଣି ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲେ ବୋଲି ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତା'ଉପରେ ସୁପ୍ରିମକୋର୍ଟ କଡ଼ା ଆପତ୍ତି ଉଠାଇଛନ୍ତି। ଶୁଣାଣି ସମୟରେ ବିଚାରପତି ସୂର୍ଯ୍ୟକାନ୍ତ ଏପରି ଦାବିକୁ "ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦାୟିତ୍ୱହୀନ" ବୋଲି କହିଥିଲେ।

ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ଖବର ଛପିଲା କେମିତି ?

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟକୁ କହିଥିଲେ, 'ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ' ଏହି ଦୁର୍ଘଟଣା ପାଇଁ ପାଇଲଟମାନଙ୍କୁ ଦାୟୀ କରି ଏକ ରିପୋର୍ଟ ପ୍ରକାଶ କରିଛି। ସେ ଅଭିଯୋଗ କରିଛନ୍ତି ଯେ, ସୂତ୍ର ଅନୁଯାୟୀ ପ୍ରକାଶ ପାଇଥିବା ଏହି ରିପୋର୍ଟ, ସରକାରଙ୍କୁ ପ୍ରଦାନ କରାଯିବା ପୂର୍ବରୁ ପ୍ରକାଶିତ ହୋଇଛି । ଭୂଷଣ କହିଛନ୍ତି ଯେ 'ପାଇଲଟ୍‌ଙ୍କ ତ୍ରୁଟି' ଯୋଗୁଁ ଏଭଳି ଘଟିଛି ବୋଲି ଏବେ ସବୁଠି ଚର୍ଚ୍ଚା । କିନ୍ତୁ ବାସ୍ତବରେ ସେମିତି ନୁହେଁ, କାରଣ ପାଇଲଟମାନେ ଖୁବ୍ ଅନୁଭବୀ ଥିଲେ ।

ରିପୋର୍ଟରେ କ୍ୟାପ୍ଟେନ୍ ସୁମିତ ସବରୱାଲ୍ ଏବଂ ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦରଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଉଲ୍ଲେଖ ଥିଲା। କକପିଟ୍ ଅଡିଓ ଅନୁସାରେ, ଜଣେ ପାଇଲଟ୍ ପଚାରିଥିଲେ, "ତୁମେ ଏହାକୁ କାହିଁକି କାଟିଲ?" ଅନ୍ୟ ପାଇଲଟ୍ ଉତ୍ତର ଦେଇଥିଲେ, "ମୁଁ ଏହା କରିନାହିଁ।" ଏହାକୁ ଆଧାର କରି, ପ୍ରାରମ୍ଭିକ ଅନୁମାନ କରାଯାଇଥିଲା ଯେ ଦୁର୍ଘଟଣା ସମ୍ଭବତଃ ପାଇଲଟ୍‌ଙ୍କ ତ୍ରୁଟି ଯୋଗୁଁ ହୋଇଛି।

ସୁପ୍ରିମକୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନକେ ସିଂହଙ୍କ ଏକ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରୁଥିଲେ । ଯେଉଁଥିରେ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାର କୋର୍ଟ-ତଦାରଖରେ ସ୍ୱାଧୀନ ତଦନ୍ତ ଦାବି କରାଯାଇଛି । ଏହି ଦୁର୍ଘଟଣାରେ ୨୬୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୧୯ ଜଣ ବାହାର ଲୋକଙ୍କ ମୃତ୍ୟୁ ହୋଇଛି ।

ଭୂଷଣ ଏହି ମାମଲାରେ ସ୍ୱଚ୍ଛତା ଦାବି କରି ଯୁକ୍ତି ରଖିଥିଲେ ଯେ ପ୍ରକୃତ କାରଣ ଜାଣିବାକୁ ହେଲେ, ସ୍ୱତନ୍ତ୍ର ବିଶେଷଜ୍ଞମାନଙ୍କୁ ଫ୍ଲାଇଟ୍ ଡାଟା ରେକର୍ଡର ଯାଞ୍ଚ କରିବାକୁ ଅନୁମତି ଦିଆଯିବା ଉଚିତ। ଅନ୍ୟପଟେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏପରି ମାମଲାରେ ଗୋପନୀୟତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ମାମଲାରେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରଶାନ୍ତ ଭୂଷଣ ଦର୍ଶାଇଥିଲେ ଯେ ଜୁନ୍ ୧୨ ଏୟାର ଇଣ୍ଡିଆ ଦୁର୍ଘଟଣାକୁ ୧୦୦ ଦିନରୁ ଅଧିକ ସମୟ ବିତିଯାଇଛି, ହେଲେ ଏବେ ଯାଏଁ କେବଳ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି।

ଭୂଷଣ କହିଛନ୍ତି, "ଆଜି ପର୍ଯ୍ୟନ୍ତ, କ'ଣ ଘଟିଛି ସେ ବିଷୟରେ କୌଣସି ରିପୋର୍ଟ ନାହିଁ, କୌଣସି ନିର୍ଦ୍ଦେଶାବଳୀ ନାହିଁ। ବୋଇଂ 787 ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏବେ ବି ବିପଦରେ ଅଛନ୍ତି।" ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତଦନ୍ତ ଟିମ୍‌ରେ ତିନି ଜଣ ସଦସ୍ୟ ବର୍ତ୍ତମାନର DGCA ଅଧିକାରୀ ମଧ୍ୟ ରହିଛନ୍ତି । ଯେତେବେଳେ କି DGCA ର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି।

ଫ୍ଲାଇଟ୍ ଡାଟା ରେକର୍ଡରକୁ ସାର୍ବଜନୀନ କରିବାକୁ ଭୂଷଣ ଜୋର ଦେଇଛନ୍ତି । ସେ କହିଛନ୍ତି ଏହି ଦୁର୍ଘଟଣାରେ ପାଇଲଟ୍ ଏବଂ କ୍ରୁ ମେମମ୍ବର ସମସ୍ତଙ୍କ ମୃତ୍ୟୁ ହୋଇଛି। ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିବାର ଲୋକେ ଏବେ ବି ଭୟଭୀତ ଅଛନ୍ତି । ଯେଉଁମାନେ ସେହିଭଳି ବିମାନରେ ଯାତ୍ରା କରୁଛନ୍ତି ସେମାନେ ବି ବିପଦରେ ରହିଛନ୍ତି । ତେଣୁ ଲୋକଙ୍କ ପାଖକୁ ପ୍ରକୃତ ସତ୍ୟ ପହଞ୍ଚିବା ଆବଶ୍ୟକ । ଯଦି ପାଇଲଟଙ୍କୁ ସବୁଥିପାଇଁ ଦାୟୀ କରାଯାଏ, ତେବେ ଏହା ନିଶ୍ଚୟ ଭୁଲ ହେବ ।

ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ ଅଯଥା କଳ୍ପନାଜଳ୍ପନାରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, "ଏକ ନିରପେକ୍ଷ ଏବଂ ସ୍ୱାଧୀନ ତଦନ୍ତ ଜରୁରୀ, କିନ୍ତୁ ଆପଣ ଏତେ ଟିକିନିଖି ବିବରଣୀ ପ୍ରକାଶ କରିବାକୁ କାହିଁକି ଦାବି କରୁଛନ୍ତି? ଯଦି ଡାଟା ରେକର୍ଡ ସାର୍ବଜନୀନ କରାଯାଏ, ତେବେ ଲୋକମାନେ ସେମାନଙ୍କର ପଡକାଷ୍ଟ ରୁମରୁ ନାନା ପ୍ରକାର କାହାଣୀ ତିଆରି କରିବେ । ଯଦି ଭବିଷ୍ୟତରେ କେହି ଦାୟିତ୍ୱହୀନ ଭାବରେ କହିବେ ଯେ ପାଇଲଟଙ୍କ ଭୁଲ ଥିଲା ଏବଂ ପରେ ରିପୋର୍ଟ ତାଙ୍କୁ କ୍ଲିନ୍ ଚିଟ୍ ଦେବ, ତେବେ ପରିବାର ସହିତ କ'ଣ ବିତିବ ?"

ପ୍ରଶାନ୍ତ ଭୂଷଣ ପ୍ରତିକ୍ରିୟା ଦେଇଥିଲେ ଯେ ପ୍ରାରମ୍ଭିକ ରିପୋର୍ଟରେ ବିମାନରେ ତ୍ରୁଟି ଥିବା ଦର୍ଶାଯାଇଥିଲା, ଯାହାକୁ ଡିଜିସିଏ ଗମ୍ଭୀରତାର ସହ ନେଇ ନଥିଲା। ସେ କହିଥିଲେ ଯେ ପୂର୍ଣ୍ଣ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବା ଉଚିତ। ସୁପ୍ରିମକୋର୍ଟ ଏବେ ଏହି ପିଆଇଏଲ ଉପରେ ନୋଟିସ ଜାରି କରିଛନ୍ତି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଡିଜିସିଏ ଠାରୁ ଜବାବ ମାଗିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
"Unfortunate": Supreme Court On Pilot's "Fuel Cut-Off" Mention In Air India Crash Report | Argus News