ଓଡ଼ିଶାର ଇତିହାସ ଗବେଷକ ଏବଂ ନ୍ୟାସନାଲ ବୁକ ଟ୍ରଷ୍ଟ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଅର୍ଗସ ବ୍ୟୁରୋ: ମୁକ୍ତିଯୁଦ୍ଧରେ ଜୀବନ ଆହୂତି ଦେଇଥିବା ଅନେକ ବୀରଙ୍କୁ ମିଳିନଥିଲା ଇତିହାସ ପୃଷ୍ଠାରେ ସ୍ଥାନ । ହଜିଯାଇଥିଲା କିମ୍ବା ହଜାଇଦିଆଯାଇଥିଲା ତାଙ୍କ ବୀରତ୍ବର ଗାଥା, ତାଙ୍କ ବଳିଦାନର ଇତିହାସ । ହେଲେ ସେହି ସଂଗ୍ରାମୀଙ୍କୁ ସମ୍ମାନିତ କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶକୁ ସ୍ୱତନ୍ତ୍ରତା ଦେବାରେ ଶହୀଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଗବେଷଣା ପରିଷଦ ବା ଆଇସିଏଚଆର, ଓଡ଼ିଶାର ଇତିହାସ ଗବେଷକଗଣ ଏବଂ ନ୍ୟାସନାଲ ବୁକ ଟ୍ରଷ୍ଟ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି।
ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୂଦତ୍ତ ମିଶ୍ରଙ୍କ ସମେତ ଆଇସିଏଚଆର ଓ ନ୍ୟାସନାଲ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ମାନଙ୍କ ଅବଦାନକୁ ଗବେଷଣା କରିବା ସହ ପୁର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶଙ୍କ ଗୁଳିରେ ଶହୀଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ତାଙ୍କର ୫୭ ଜଣ ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଗବେଷଣା ତଥା ଅଧ୍ୟୟନ କରିବା ସହ ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ସେହିପରି କୁଦୋପାଲି ବ୍ୟତୀତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା ରଇଣ୍ଡା, କୁଲୁଣ୍ଡା, ଗଡପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ୍ କରି ଏହି ସ୍ଥାନ ଗୁଡିକର ନେତୃତ୍ୱ ନେଇଥିବା ସଂଗ୍ରାମୀଙ୍କ ଅବଦାନ ଉପରେ ତଥ୍ୟ ଯୋଗାଡ କରିବା ପାଇଁ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି । ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି ।
📱 Get Argus News App
✨
