'ଏନଆଇଟି, ରାଉରକେଲା ଦେଶର ଗୌରବ ଏବଂ ଓଡ଼ିଶାର ବୌଦ୍ଧିକ ପରିପ୍ରକାଶର ପରିଚୟ ପତ୍ର '

ଅର୍ଗସ ବ୍ୟୁରୋ: ନୂତନ ସୃଷ୍ଟି ପାଇଁ ନୂତନ ସ୍ରଷ୍ଟାଙ୍କୁ ସୃଷ୍ଟି କରିବାକୁ ପଡ଼ିବ । ଆତ୍ମନିର୍ଭର ଯୁବକ ହିଁ ନୂଆ ସୃଷ୍ଟି କରିବାରେ ସକ୍ଷମ ହୋଇପାରିବ । ଉଦ୍ୟମୀ ହୁଅ । ଜବ୍ କ୍ରିଏଟର ହୁଅ । ଏନଆଇଟି ରାଉରକେଲା ତାହାର ନେତୃତ୍ତ୍ୱ ନେଉ । ଏନଆଇଟି ରାଉକକେଲାରେ 6ଟି ପ୍ରକଳ୍ପର ଶିଲାନ୍ୟାସ କରିବା ସମୟରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନ୍. ଆଇ.ଟି ରାଉରକଲାରେ ହଜାରେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ୧.୫ ଏମ.ଏଲ୍. ଡି. ସ୍ବରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଅଧ୍ୟାପକ ଆବାସ, MCL ଦ୍ଵାରା ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ୫୦୦ ଶଯ୍ୟା ବିଶଷ୍ଟ ଆର୍ଥିକ ରୂପେ ପଛୁଆ ବର୍ଗ ଛାତ୍ରୀ ନିବାସର ଭୂମି ପୂଜନ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସମୟରେ ଆମ ଯୁବପିଢ଼ିଙ୍କ ପାଇଁ ରହିଛି ଅନେକ ନୂଆ ଆହ୍ବାନ । ଏହାର ମୁକାବିଲା ପାଇଁ ଆମକୁ ନୂଆ ସୃଷ୍ଟିରେ ଧ୍ୟାନ ଦେବାକୁ ହେବ । ଦାସତ୍ବର ମନୋଭାବରୁ ମୁକ୍ତ ହେଲେ ଯୁବପିଢ଼ି ଆତ୍ମନିର୍ଭର ହୋଇପାରିବେ । ଆଗାମୀ ଦିନରେ ଦେଶକୁ ବିକଶିତ କରିବାକୁ ହେଲେ ଦେଶର ସବୁ ନାଗରିକଙ୍କର ଦାୟିତ୍ୱ ରହିଛି । ପ୍ରଧାନମନ୍ତ୍ରୀ ଅହୋରାତ୍ର ଦେଶ ପାଇଁ ପରିଶ୍ରମ କରୁଛନ୍ତି । ଦେଶ ଆଜି ଆଗକୁ ବଢୁଛି । ପିଲାମାନେ ମଧ୍ୟ ଏଥିରେ ଯୋଗଦାନ କରନ୍ତୁ । ଆଗକୁ ଆସନ୍ତୁ ।
ପିଲାମାନଙ୍କର ଦକ୍ଷତା ଅଛି । ଦୂର ଦୃଷ୍ଟି ଅଛି ଭଲ କ୍ରିଏଟର ହେବା ପାଇଁ । 2036 ହେଉ କି 2047 ହେଉ ଓଡିଶାରୁ ଅଧିକ ପିଲା ଜବ୍ କ୍ରିଏଟର୍ ବାହାରନ୍ତୁ । NIT ରାଉରକେଲା ତାହାର ନେତୃତ୍ୱ ନେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।