ବିଦେଶ ମାଟିରେ ଭାରତର ଗାରିମା କ୍ଷୂର୍ଣ୍ଣ କଲେ ରାହୁଲ

ବିଦେଶରେ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସୋସିଆଲ୍ ମିଡିଆରେ ପୋଷ୍ଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାହୁଲ ଗାନ୍ଧି ପୁଣି ବିଦେଶ ମାଟିରେ ଭାରତର ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ ଯେ ରାହୁଲ ଗାନ୍ଧି ଯେତେବେଳେ ବି ବିଦେଶରେ ଥାଆନ୍ତି ସେତେବେଳେ ଭାରତ ଓ ଭାରତର ଲୋକତାନ୍ତ୍ରିକ ବ୍ୟବସ୍ଥା ପ୍ରତି ନିଜର ଘୃଣାପୂର୍ଣ୍ଣ ଚିନ୍ତାଧାରା ବ୍ୟକ୍ତ କରିବାରୁ ବିରତ ହୁଅନ୍ତି ନାହିଁ।
ଦଶକ ଦଶକ ଧରି କ୍ଷମତାରେ ରହିଥିବା ରାଜସାହି ପରିବାରର ଯୁବରାଜ ଭାରତର ଗୌରବଶାଳୀ ଲୋକତାନ୍ତ୍ରିକ ପରମ୍ପରାକୁ ବିଶ୍ବ ସ୍ତରରେ ମିଳୁଥିବା ପରିଚୟ ଫଳରେ ଚିଡ଼ିଯାଉଛନ୍ତି। ଏହି କାରଣରୁ ସେ ଦେଶ ଓ ଦେଶବାସୀଙ୍କୁ ଅପମାନିତ କରିବାର କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। କେବଳ ଦେଶ ନୁହେଁ ବିଶ୍ବ ବି ଆମର ମହାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ତାର ବିଶ୍ୱସନୀୟତାରେ ବିଶ୍ୱାସ ରଖେ । କିନ୍ତୁ ଲଗାତାର ମିଳୁଥିବା ପରାଜୟ ଫଳରେ ରାହୁଲ ଗାନ୍ଧିଙ୍କ ମୁହଁରେ ଅସ୍ତବ୍ୟସ୍ତତା ସ୍ପଷ୍ଟ ଦେଖାଯାଉଛି। ନିର୍ବାଚନୀ ଜୟ-ପରାଜୟ ମାନକରେ ଭାରତର ଲୋକତାନ୍ତ୍ରିକ ଗାରିମାକୁ ଆଘାତ ନ କରିବାକୁ ରାହୁଲ ଗାନ୍ଧିଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଅନ୍ୟପଟେ ମୋଦି ସରକାରଙ୍କ ତୃତୀୟ ପାଳିକୁ ନେଇ ସୋସିଆଲ ମିଡିଆରେ ବିଜେପି ଏକ ଭିଡିଓ ପୋଷ୍ଟ କରିଛି । ତୃତୀୟ ପାଳିରେ କ'ଣ ସବୁ ବଡ଼ ଘଟଣା ଘଟିଛି ତାକୁ ନେଇ ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ଓ୍ବାକଫ୍ ସଂଶୋଧନ ବିଲ୍ ପାରିତ ହୋଇଥିବା କଥା କୁହାଯାଇଛି । ଖୁବଶୀଘ୍ର ୟୁନିଫର୍ମ ସିଭିଲ କୋଡ୍ ପାରିତ ହେବାକୁ ଯାଉଛି। ନ୍ୟାସନାଲ ହେରାଲଡ୍ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜସିଟ୍ ହୋଇଛି । ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ବେଲଜିୟମରୁ ଗିରଫ କରାଯାଇଛି ।
ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣାକୁ ଭାରତକୁ ଅଣାଯାଇଛି । ଜମି ଦୁର୍ନୀତିରେ ରବର୍ଟ ଭଦ୍ରାଙ୍କୁ ଜେରା ଚାଲିଛି । ଏଥିସହ ମୋଦି ସରକାରଙ୍କ ସଫଳତାକୁ ପାଥେୟ କରି ଦିଲ୍ଲୀ, ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ।