କେନ୍ଦ୍ରମନ୍ତ୍ରୀ ଖୋଲିଲେ ମମତାଙ୍କ ମନ୍ଦ ଉଦ୍ଦେଶ୍ୟର ପୋଲ୍

ଅର୍ଗସ ବ୍ୟୁରୋ: ବୁଦ୍ଧି ନଦିଶଇ ଘରକୁ କହି ହେଉଥାଏ ପରକୁ। ଓଡ଼ିଆରେ ଥିବା ଏ ଲୋକକଥାର ଅସଲ ଅର୍ଥ ସାଜିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତାର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାରଙ୍କ ନକରାତ୍ମକ ଆଭିମୁଖ୍ୟକୁ ନେଇ ଛି ଛି କରୁଛନ୍ତି ଦେଶବାସୀ। ଏହି ମାମଲାରେ ପଶ୍ଚିମବଙ୍ଗ ସରକାର, ପ୍ରଶାସନ ଓ ପୋଲିସର ଲାପରବାହି ବିରୋଧରେ ପ୍ରତିବାଦ ତୀବ୍ର ହୋଇଥିବା ବେଳେ ନିଜ ଦୋଷ ଘୋଡ଼ାଇବାକୁ ମମତା କରିଥିବା ଚିଠି ଚାଲ୍ ର ପର୍ଦ୍ଦାଫାସ୍ କରିଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ଅପରାଧ ମାମଲାରେ କଠୋର ଆଇନ ଆଣିବାକୁ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଦୁଇ ଦୁଇଟି ଚିଠି ଲେଖିଥିଲେ ମମତା। ଯାହାର ଉତ୍ତର ରଖି ମମତାଙ୍କୁ ଦାୟିତ୍ବବୋଧତାର ପାଠ ପଢ଼ାଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ।
ଦେଶରେ ମହିଳା ବିରୋଧୀ ଅପରାଧ ଉପରେ ରୋକ୍ ଲଗାଇବାକୁ ନୂଆ ଆଇନରେ କଠୋର ଦଣ୍ଡବିଧାନ କରିଛନ୍ତି କେନ୍ଦ୍ର ସରକାର। ଏହିଭଳି ମାମଲାର ତ୍ବରିତ୍ ବିଚାର ଲାଗି ଦେଶର କୋଣ ଅନୁକୋଣରେ ସ୍ଥାପନ ହେଉଛି ଫାଷ୍ଟ ଟ୍ରାକ୍ କୋର୍ଟ। ପଶ୍ଚିମବଙ୍ଗରେ ମହିଳା ସୁରକ୍ଷାରେ ଫେଲ୍ ମାରିଥିବା ମମତା ନାରୀଙ୍କୁ ନ୍ୟାୟ ଦେବାରେ ମଧ୍ୟ ଫେଲ୍ ହୋଇଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ 123ଟି ପାଷ୍ଟଟ୍ରାକ୍ କୋର୍ଟ ସ୍ଥାପନର ଅନୁମତି ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର 6ଟି ସ୍ଥାପନ କରିପାରିଛନ୍ତି ମମତା ସରକାର। ସବୁଠୁ ଚିନ୍ତାର ବିଷୟ ହେଉଛି ମହିଳା ବିରୋଧୀ ଅପରାଧର ତ୍ବରିତ୍ ଶୁଣାଣି ଲାଗି ପଶ୍ଚିମବଙ୍ଗରେ ନାହିଁ ଗୋଟିଏ ହେଲେ ଫାଷ୍ଟଟ୍ରାକ୍ କୋର୍ଟ। ଯେଉଁ 6ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ ହୋଇଛି ତାହା କେବଳ ପକସୋ ମାମଲାର ଶୁଣାଣି ପାଇଁ ଉଦ୍ଦିଷ୍ଟ। ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ମମତାଙ୍କ ଅସଲ ଚେହେରାକୁ ପଦାରେ ପକାଇଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଜବାବ।
ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ବଦ୍ଧ ମଦି ସରକାର। ଯାହାର ଏକ ଝଲକ୍ ଦେଖିବାକୁ ମିଳିଛି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଚିଠିରେ। ମହିଳା ବିରୋଧୀ ମାମଲାର ତ୍ବରିତ ବିଚାର କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଲାଗି କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍ ସ୍ଥାପନ ବ୍ୟବସ୍ଥା ଆପଣାଇଛନ୍ତି। ଏହି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ ନାବାଳିକା ଯୌନ ନିର୍ଯାତନାର ବିଚାର ପାଇଁ ସ୍ବତନ୍ତ୍ର ପକ୍ସୋ କୋର୍ଟ ସ୍ଥାପନ କରାଯାଉଛି। ଦେଶରେ ଏବେ ୭୫୨ଟି ଫାଷ୍ଟଟ୍ରାକ୍ କୋର୍ଟ କାର୍ଯ୍ୟକ୍ଷମ ରହିଛି। ଏହି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ ୪୦୯ଟି ହେଉଛି ପକ୍ସୋ କୋର୍ଟ। ଏହିସବୁ ଫାଷ୍ଟଟ୍ରାକ୍ କୋର୍ଟରେ ୨ଲକ୍ଷ ୫୩ହଜାର ମାମଲାର ବିଚାର କରାଗଲାଣି। ପଶ୍ଚିମବଙ୍ଗରେ ଏବେ 48 ହଜାର 6 ଶହଟି ଦୁଷ୍କର୍ମ ମାମଲା ବିଚାରାଧୀନ ରହିଛି। ଅଥଚ ୨୦୨୩ରେ ପଶ୍ଚିମବଙ୍ଗ ସରକାର ଫାଷ୍ଟଟ୍ରାକ୍ କୋର୍ଟ ଗଠନରେ ସମ୍ମତି ପ୍ରକାଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାତ୍ର 6ଟି ହିଁ ବନି ପାରିଛି। ଯାହା ମମତା ରାଜରେ ମହିଳା ସୁରକ୍ଷାର ସତକୁ ପଦାରେ ପକାଇଛି।
📱 Get Argus News App
✨କୋଲକାତାରେ ବର୍ବରତାର ଶିକାର ହୋଇ ଜୀବନ ହାରିଥିବା ମହିଳା ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ଜାରି ରଖିଛନ୍ତି ଡାକ୍ତର। ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ ପକ୍ଷରୁ ଜନ୍ତରମନ୍ତର ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି। କୋଲକାତାରେ ମଧ୍ୟ ନ୍ୟାୟ ଦାବିରେ ଅଡି ବସିଛି ବିଜେପି। ମାମଲାରେ ଆରମ୍ଭରୁ ମମତା ପୀଡିତା ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଏହି ଅପରାଧ ଘୋଡ଼ାଇବାକୁ ଚିଠି ଲେଖି ଚାଲ୍ ଖେଳିଥିବାର ଅଭିଯୋଗ କରିଛନ୍ତି ବିରୋଧୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
