୮ ବର୍ଷର ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ପୂରିଲା ୮ ବର୍ଷ । ଗତ ୮ ବର୍ଷରେ ବଦଳିଛି ଉତ୍ତରପ୍ରଦେଶର ଛବି । ସେବା, ସୁରକ୍ଷା ଏବଂ ଗୁଡ୍ ଗଭର୍ଣ୍ଣାନ୍ସ ଦେଖିଛି ଉତ୍ତପ୍ରଦେଶ । ଏକ୍ସପ୍ରେସ ୱେ'ଠାରୁ ମେଡକାଲ୍ କଲେଜ ପର୍ଯ୍ୟନ୍ତ ଏୟାରପୋର୍ଟଠାରୁ ଅର୍ଥନୀତି, ସବୁଥିରେ ନୂଆ ରୂପ ଦେଖିବାକୁ ପାଇଛି ଉତ୍ତରପ୍ରଦେଶ । ନିଜର ୮ ବର୍ଷର ପୂରଣ ହେବା ପରେ ଏକ ପ୍ରେସ କନଫରେନ୍ସରେ ଉତ୍ତରପ୍ରଦେଶ ସରକାରଙ୍କ ରିପୋର୍ଟ କାର୍ଡ ନିଜେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ରାଜ୍ୟରେ ଗରୀବ କଲ୍ୟାଣ ଯୋଜନା ହେଉ କିମ୍ବା ଭିତ୍ତିଭୂମିର ବିକାଶ ସବୁଥିରେ ବଡ଼ ଉପଲବ୍ଧି ହାସଲ କରିଛି ଉତ୍ତପ୍ରଦେଶ । ରାଜ୍ୟର ୧୫ କୋଟି ଲୋକଙ୍କୁ ମାଗଣାରେ ମିଳୁଛି ରାସନ୍। ଯାହା ସୁନିଶ୍ଚିତ କରୁଛି ଯେ ରାଜ୍ୟରେ କେହି ବି ଭୋକିଲା ରହିବ ନାହିଁ । ୫୬ ଲକ୍ଷ ଲୋକଙ୍କୁ ଆବାସ, ୧ କୋଟି ୬ ଲକ୍ଷ ମହିଳା ଏବଂ ବୃଦ୍ଧବୃଦ୍ଧାଙ୍କୁ ମିଳୁଛି ପେନସନ୍ । ଇଏ ସେହି ଉତ୍ତରପ୍ରଦେଶ ଯେଉଁଠି ୨୦୧୭ ପୂର୍ବରୁ ଲୋକଙ୍କୁ ପରିଚୟ ଲୁଚାଇବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଲୋକେ ଗର୍ବର ସହ ଉତ୍ତରପ୍ରଦେଶବାସୀ ବୋଲି କହିପାରୁଛନ୍ତି ।
ରାଜ୍ୟରେ ନିବେଶ ବଢ଼ିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଆଇନଶୃଙ୍ଖଳା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଛି । ଯାହାର ପ୍ରମାଣ ହେଉଛି, ୪୫ ଦିନ ଧରି ଚାଲିଥିବା ବିଶ୍ବର ମହାକୁମ୍ଭରେ କୌଣସି ପ୍ରକାରର ଆଇନଶୃଙ୍ଖଳା ବ୍ୟବସ୍ଥା ଦେଖିବାକୁ ମିଳିନଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ରାଜ୍ୟରେ ଯୁବ ପିଢ଼ିଙ୍କୁ ନିଯୁକ୍ତି, ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।
ରାମ ମନ୍ଦିର ନିର୍ମାଣଠାରୁ କାଶୀ କରିଡର ପର୍ଯ୍ୟନ୍ତ ଲୋକଙ୍କୁ ଦେଉଛି ବିକାଶର ବାର୍ତ୍ତା । ୧୯ ମାର୍ଚ୍ଚ ୨୦୧୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଯୋଗୀ । ଦ୍ଵିତୀୟ ଥର ୨୫ ମାର୍ଚ୍ଚ ୨୦୨୨ରେ ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଶପଥ ।