Murder Case / ଅଳିଆ ଫିଙ୍ଗିବାକୁ ନେଇ ବିବାଦ, ଦାଆରେ ମହିଳାଙ୍କୁ ଆକ୍ରମଣ ଆଉ ତା’ପରେ...

Key Points
କୁଡ଼ା ପାଇଁ ଝଗଡ଼ା… ଶେଷରେ ଚାଲିଗଲା ଜୀବନ ।
କୁଡ଼ା ପକାଇବାକୁ ନେଇ ରକ୍ତାକ୍ତ ସଂଘର୍ଷ ।
ସାମାନ୍ୟ ଝଗଡ଼ାରୁ ମର୍ଡର ମହିଳାଙ୍କ ଚାଲିଗଲା ଜୀବନ ।
ଘର ସାମ୍ନାରେ କୁଡ଼ା ଫିଙ୍ଗିବାକୁ ନେଇ ଆରମ୍ଭ ହୋଇଥିଲା ଏକ ମାମୁଲି ଝଗଡ଼ା । କିନ୍ତୁ କିଛି ସମୟ ମଧ୍ୟରେ ଏହା ଭୟଙ୍କର ରକ୍ତାକ୍ତ ସଂଘର୍ଷର ରୂପ ନେଲା । ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଜସପୁରା ଥାନା ଅଞ୍ଚଳର ବରେହଟା ଫକିରା ଗାଁରେ ଘଟିଥିବା ଏହି ଘଟଣାରେ ଗୀତା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ପୋଲିସର ସୂଚନା ଅନୁସାରେ, ସୋମବାର ଗୀତାଙ୍କ ପୁଅ ଘର ସାମ୍ନାରେ ଅଳିଆ ପକାଇଥିଲେ । ଏହାକୁ ନେଇ ତାଙ୍କ ଦାଦା ରାମବହାଦୁର ଆପତ୍ତି କରିଥିଲେ। କୁଡ଼ା କାହିଁକି ଘର ସାମ୍ନାରେ ପକାଯାଉଛି, ସେନେଇ ପ୍ରଥମେ କଥା କଟାକଟି ଏବଂ ପରେ ମାରପିଟ ଆରମ୍ଭ ହୋଇଥିଲା ।
ଦୁଇ ପକ୍ଷ ମଧ୍ୟରେ ଜୋରଦାର ମାରପିଟ
ବିବାଦ ବଢ଼ିବା ପରେ ଯୁବକ ନିଜ ବାପା-ମାଆଙ୍କୁ ଡାକିଥିଲେ । ଏହାପରେ ରାମବହାଦୁର ଓ ଗୀତାଙ୍କ ସ୍ୱାମୀ ରାଜବହାଦୁରଙ୍କ ମଧ୍ୟରେ ମଧ୍ୟ ଝଗଡ଼ା ଆରମ୍ଭ ହୋଇଥିଲା । ପରିବାରର ଅନ୍ୟ ଜଣେ ଯୁବକ ରାଜୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦେଖୁ ଦେଖୁ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ଲାଗିଥିଲେ ।
ଏହି ସମୟରେ କ୍ଷେତରୁ କାମ ସାରି ଗୀତା ଘରକୁ ଫେରିଥିଲେ । ତାଙ୍କ ହାତରେ ଏକ ଦାଆ ଥିଲା । ଅଭିଯୋଗ ଅନୁସାରେ, ରାମବହାଦୁର ଓ ତାଙ୍କ ଭତିଜା ଗୀତାଙ୍କ ହାତରୁ ଦାଆଟି ଛଡ଼ାଇ ନେଇ ସେହିଥିରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ।
ଛାତିରେ ଦାଆ ଆଘାତ, ଚାଲିଗଲା ଜୀବନ
ଦାଆର ଆଘାତ ଗୀତାଙ୍କ ଛାତିରେ ଲାଗିଥିଲା । ଏଥିରେ ତାଙ୍କ ଫୁସଫୁସ ଓ ପଞ୍ଜରାରେ ଗୁରୁତର ଆଘାତ ଲାଗିଥିଲା । ଗାଁର ଲୋକେ ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡ଼ିଆସି ଦୁଇ ପକ୍ଷଙ୍କୁ ଅଲଗା କରିଥିଲେ । ସୂଚନା ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲକୁ ପଠାଇଥିଲା । କିନ୍ତୁ ଡାକ୍ତର ଗୀତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସ୍ୱାମୀ ରାଜବହାଦୁର, ପୁଅ ଓ ଅନ୍ୟ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ପଠାଯାଇଛି ।
ପୋଲିସ ଗୀତାଙ୍କ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ରାମବହାଦୁର ଓ ତାଙ୍କ ଭତିଜାଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ପ୍ରାଥମିକ ତଦନ୍ତରେ ଦୁଇ ପରିବାର ମଧ୍ୟରେ କୌଣସି ପୁରୁଣା ଶତ୍ରୁତା ଥିବାର ପ୍ରମାଣ ମିଳିନାହିଁ । କେବଳ ଘର ସାମ୍ନାରେ କୁଡ଼ା ପକାଇବା ଭଳି ଏକ ଛୋଟ ଘଟଣା କିପରି ଏତେ ବଡ଼ ହିଂସାର ରୂପ ନେଲା ଏବଂ ଶେଷରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା, ସେନେଇ ପୋଲିସ ଆଗକୁ ତଦନ୍ତ ଜାରି ରଖିଛି ।
📱 Get Argus News App
✨Related Topics
Explore more stories