ଅପରାଧ ରୋକିବାକୁ ଓଡ଼ିଶାରେ ଆସିବ UP ଭଳି ଆଇନ !

Key Points
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉପବାଚସ୍ପତି ଦାବି ଜଣାଇବା ପରେ ବଢ଼ିଲା ଚର୍ଚ୍ଚା
ଗ୍ୟାଙ୍ଗଷ୍ଟର ନିରୋଧ ଭଳି ଆଇନ ଆଣି ଅପରାଧୀଙ୍କୁ ସାବାଡ଼ କରିବାକୁ ହୋଇଛି ଯୋଜନା
ଆଇନ ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ କହିଲେ ଅପରାଧ ଉପରେ ଗ୍ରହଣ କରାଯିବ କଠୋର ଆଭିମୁଖ୍ୟ
ଓଡ଼ିଶାରେ ଆସୁ ଉତ୍ତରପ୍ରଦେଶ ଭଳି ଆଇନ । ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପଦକ୍ଷେପ ନିଅନ୍ତୁ ସରକାର । ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜଣାଇଛନ୍ତି ଏଭଳି କିଛି ଦାବି । ଉପବାଚସ୍ପତି ଚିଠିରେ ଲେଖିଛନ୍ତି ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ ପ୍ରଣୟନ ଆବଶ୍ୟକ ରହିଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜମି ହଡ଼ପ, ଚାନ୍ଦା ଆଦାୟ, ସୁପାରି ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀମାନେ ଏସବୁ କାର୍ଯ୍ୟ ଘଟାଇ ଚାଲିଛନ୍ତି । ୟାକୁ ରୋକିବା ଲାଗି ୟୁପି ଭଳି ଆଇନ ଆଣିବା ଲାଗି ଉପବାଚସ୍ପତି ଦାବି କରିବା ପରେ ଆଇନ ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଉଭୟ କହିଛନ୍ତି ଅପରାଧ ଉପରେ ଗ୍ରହଣ କରାଯିବ କଠୋର ଆଭିମୁଖ୍ୟ ।
ଓଡ଼ିଶା ଗ୍ୟାଙ୍ଗଷ୍ଟର୍ସ ଓ ଅସାମାଜିକ ଗତିବିଧି ଆଇନରେ ରହିପାରେ କି ବ୍ୟବସ୍ଥା ।
୧ - ସଂଗଠିତ ଅପରାଧୀ ଗୋଷ୍ଠୀର ଗଠନ ଓ ଅପରାଧିକ ଗତିବିଧି ଉପରେ ଲଗାମ ଲାଗିବ । ଗ୍ୟାଙ୍ଗଷ୍ଟର ଓ ଗୁଣ୍ଡାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ।
୨ - ଗ୍ୟାଙ୍ଗ ନେଟୱାର୍କକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ପାଇଁ ସ୍ବତନ୍ତ୍ର ଆଇନ ଲାଗୁ ସହ କେନ୍ଦ୍ରୀଭୂତ ଆଇନଗତ ଢାଞ୍ଚା ମାଧ୍ୟମରେ ଜନତାଙ୍କ ଶାନ୍ତି, ସୁରକ୍ଷା ଓ ସମ୍ପତ୍ତିକୁ ସୁନିଶ୍ଚିତ କରିବ ।
୩ - ଅଭ୍ୟାସଗତ ଗୁଣ୍ଡାଙ୍କ ବିରୋଧରେ ନିବାରଣମୂଳକ ପଦକ୍ଷେପ ସହ ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠାକୁ ସୁଗମ କରିବ ତଥା ପୋଲିସ, ଗୁଇନ୍ଦା ଓ ରାଜସ୍ବ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ ।
📱 Get Argus News App
✨
୪ - ଆର୍ଥିକ ପ୍ରୋତ୍ସାହନ ଉପରେ ରୋକ ପାଇଁ ଗ୍ୟାଙ୍ଗଷ୍ଟରଙ୍କ ସମ୍ପତ୍ତି ବାଜ୍ୟାପ୍ତି ସହ ତ୍ବରିତ ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ MCOCA ଏବଂ ତାମିଲନାଡୁ ଗୁଣ୍ଡା ଆଇନ, ଗ୍ୟାଙ୍ଗ ହିଂସା ଓ ଅପରାଧୀଙ୍କୁ ରୋକିବାରେ ସକାରାତ୍ମକ ପ୍ରଭାବ ଦେଖାଇଛି । OGASAPA ଭଳି ଏକ ସ୍ୱତନ୍ତ୍ର ଆଇନ ଓଡ଼ିଶାର ସଂଗଠିତ ଅପରାଧ ବିରୋଧରେ ଲଢ଼େଇରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।