Interesting Story / ଶ୍ଵଶୁର-ବୋହୂ ମିଶି ଝିଅକୁ ନିଶା ଦେଇ ଘରେ ବୁଲାଇଲେ କଳାକନା !

Key Points
ଯେତେବେଳେ ଘରକୁ ଫେରିଲି, ଦେଖିଲି ମୋ ସ୍ତ୍ରୀ ଚେତାଶୂନ୍ୟ ଅବସ୍ଥାରେ ଘରେ ପଡ଼ିଛନ୍ତି ।
ହେ.. ଭଗବାନ କି ଯୁଗ ହେଲା । ଶେଷରେ ନିଜ ଝିଅ ଘରେ କଳା କନା ବୁଲାଇଲା ବାପା । ତାହାପୁଣି ନିଜ ବୋହୂ ଆଉ ୧୬ ବର୍ଷର ପୁଅ ସହ ମିଶି । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ । ଏହି ଚୋରିର ଯିଏ ନେତୃତ୍ୱ ନେଇଥିଲେ ସିଏ ହେଉଛନ୍ତି ବାପା । ଯାହାଙ୍କର ବୟସ ୭୦ । କଥାଟା ଅଶ୍ଚର୍ଯ୍ୟ ଲାଗିଲେ ବି ସତ ।
ଉତ୍ତର ପ୍ରଦେଶର ବହରାଇଚରେ ଏହି ଘଟଣା ଘଟିଛି । ବୃଦ୍ଧ ଜଣକ ପୂରା ପରିବାର ସହ ଝିଅ ଘରକୁ ଯାଇଥିଲେ । ସେଠାରେ ଝିଅକୁ ନିଶା ଦେଇ ଶୁଆଇ ଦେଇଥିଲେ । ତାପରେ ଘରେ କଳା କନା ବୁଲାଇଥିଲେ । ଝିଅର ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିନେଇଥିଲେ । ଏହି ଘଟଣାରେ ପୋଲିସ ବୋହୂକୁ ଗିରଫ କରିସାରିଛି । ବୃଦ୍ଧ ବାପା ଓ ନାବାଳକ ପୁଅକୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।
ପୋଲିସ ଅନୁଯାୟୀ, ଘଟଣାଟି ବହରାଇଚ ଜିଲ୍ଲାର ଦରଗାହ ସରିଫ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ବୃଦ୍ଧ ବାପା ରବିନ୍ଦ୍ର ଖେତାନ, ତାଙ୍କ ୧୬ ବର୍ଷୀୟ ପୁଅ ଏବଂ ବୋହୂ ଶିବାନୀ ଖେତାନଙ୍କୁ ନେଇ ଝିଅ ସୋନୀ ବଂଶଲଙ୍କ ଘରକୁ ଆସିଥିଲେ ରହିବାକୁ । ସୋନୀ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ତାଙ୍କ ନାଁ ମନୋଜ ତୁଲସିୟାନ । ତାଙ୍କ ଘର ସେହି ଅଞ୍ଚଳର DSL ଗ୍ରୀନ୍ ସିଟି କଲୋନୀରେ ।
ମନୋଜ ଅଭିଯୋଗ କରିଛନ୍ତି, 'ନଭେମ୍ବର ୧୮ ତାରିଖରେ ମୁଁ ମୋ ପୁଅ ସହ ଦୋକାନରେ ଥିଲି । କିନ୍ତୁ ଯେତେବେଳେ ଘରକୁ ଫେରିଲି, ଦେଖିଲି ମୋ ସ୍ତ୍ରୀ ଚେତାଶୂନ୍ୟ ଅବସ୍ଥାରେ ଘରେ ପଡ଼ିଛନ୍ତି । ସେଠାରୁ ତାଙ୍କୁ ନେଇ ପ୍ରଥମେ ବହରାଇଚରେ ଚିକିତ୍ସା କରାଇଥିଲି ତାପରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲା ନାହିଁ, ତାଙ୍କୁ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଭତ୍ତିର୍ତ୍ତି କରାଗଲା ।
ତୁଲସିୟାନ କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯିବା ପରେ, ତାଙ୍କ ଶ୍ୱଶୁର ଘର ଲୋକେ କାହାକୁ ନଜଣାଇ ଘରୁ ଚାଲିଯାଇଥିଲେ। ନଭେମ୍ବର ୨୧ ତାରିଖରେ ପରିବାର ବହରାଇଚ ଫେରିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ଲକରରୁ ପ୍ରାୟ ୫୦ ଲକ୍ଷ ମୂଲ୍ୟର ସୁନା, ରୂପା ଏବଂ ହୀରା ଅଳଙ୍କାର ଚୋରି ହୋଇଯାଇଛି।
ଅତିରିକ୍ତ ପୋଲିସ ଅଧୀକ୍ଷକ ଅଶୋକ କୁମାର ସିଂହ କହିଛନ୍ତି ଯେ ଅଭିଯୋଗ ଆଧାରରେ, ନଭେମ୍ବର ୨୨ରେ ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ସମୟରେ ପୋଲିସ, ଫୋନ୍ ଡିଟେଲ୍ସ,ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ଯାଞ୍ଚ କରିଥିଲା ।
ଆଗ ଘର ବୁଲିଲେ ତାପରେ ଯୋଜନା କଲେ !
ASP କହିଛନ୍ତି, 'ସୋମବାର ପୋଲିସ ଗୁଲ୍ଲାବୀର ମନ୍ଦିର ନିକଟରୁ ଶିବାନୀ ଖେତାନଙ୍କୁ ଗିରଫ କରିଛି । ତାଙ୍କଠାରୁ ଚୋରି ଅଳଙ୍କାର ଉଦ୍ଧାର କରାଯାଇଛି ।' ବୃଦ୍ଧ ବ୍ୟକ୍ତି ଏବଂ ସାନ ପୁଅ ଏବେ ବି ଫେରାର ଅଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ଶିବାନୀ ମହଙ୍ଗା ଅଳଙ୍କାର ଦେଖି ପ୍ରଲୋଭିତ ହୋଇପଡ଼ିଥିଲେ । ତେଣୁ ସେ ଘରକୁ ପୁରା ତନ୍ନ ତନ୍ନ କରି ଦେଖିବା ପରେ ଚୋରି କରିବାର ଯୋଜନା ପ୍ରସ୍ତୁତ କରିଥିଲେ।
ପୋଲିସ କହିଛି ଯେ ସେ ତାଙ୍କ ଶାଳୀଙ୍କ ଚା'ରେ ଡିପ୍ରେସନ୍ ବଟିକା ମିଶାଇ ତାଙ୍କୁ ଚେତାଶୂନ୍ୟ କରିଦେଇଥିଲେ । ତା'ପରେ ମୂଲ୍ୟବାନ ଜିନିଷ ନେଇ ପଳାଇ ଯାଇଥିଲେ। ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଅଭିଯୁକ୍ତମାନେ ବିଭିନ୍ନ ଦୋକାନରେ ଅଳଙ୍କାର ବିକ୍ରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଳଙ୍କାର ବ୍ୟବସାୟୀମାନେ ପରିଚୟ ପତ୍ର ମାଗିବା ଯୋଗୁଁ ସେମାନେ ଆଉ ବିକ୍ରି କରିପାରିନଥିଲେ । ଏବେ ଶିବାନୀ ଜେଲ୍ରେ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।
📱 Get Argus News App
✨Related Topics
Explore more stories