ଇନକମ୍ ଟ୍ୟାକ୍ସରୁ ନେଇ UPI , ଏପ୍ରିଲ ୧ରୁ ବଦଳିଯିବ ଏହି ସବୁ ନିୟମ...

ଏପ୍ରିଲ ୧ରୁ ବଦଳିବ ନିୟମ
ଟ୍ୟାକ୍ସ, ବ୍ୟାଙ୍କିଂ, ୟୁପିଆଇ, କ୍ରେଡିଟ କାର୍ଡ କ୍ଷେତ୍ରରେ ବଡ ପରିବର୍ତ୍ତନ
ମଧ୍ୟବିତ୍ତଙ୍କୁ ମିଳିବ ଆଶ୍ବସ୍ତି
୧ ଏପ୍ରିଲ ୨୦୨୫ରୁ ଆରମ୍ଭ ହୋଇଯିବ ନୂଆ ଅର୍ଥନୈତିକ ବର୍ଷ । ବଜେଟରେ ସ୍ଥିର କରାଯାଇଥିବା କିଛି ନିଷ୍ପତ୍ତି ଲାଗୁ ହେବ । ଯାହାର ସିଧା ପ୍ରଭାବ ପଡିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ । ଟ୍ୟାକ୍ସ, ବ୍ୟାଙ୍କିଂ, ୟୁପିଆଇ, କ୍ରେଡିଟ କାର୍ଡ ସହ ଯୋଡି ହୋଇଥିବା ଅନେକ ନୂଆ ନିୟମ ଲାଗୁ କରାଯିବ । ଗ୍ରାହକମାନଙ୍କ ସୁବିଧା ପାଇଁ ସରକାରଙ୍କ ଦ୍ବାରା ଏପରି କିଛି ନିୟମ ଲାଗୁ କରାଯିବା ନେଇ ସ୍ଥିର କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ କି ପରିବର୍ତ୍ତନ ଲାଗୁ କରାଯିବ ।
ଟ୍ୟାକ୍ସ ନିୟମରେ ପରିବର୍ତ୍ତନ:
ଟିକସ ଦେଉଥିବା ନାଗରିକଙ୍କ ପାଇଁ ମୋଦି ସରକାରଙ୍କ ବଡ ଉପହାର । ଏହି ପରିବର୍ତ୍ତନ ଅନେକଙ୍କ ପାଇଁ ଆଶ୍ବସ୍ତି ଆଣିଛି । ନୂଆ ଟ୍ୟାକ୍ସ ସିଷ୍ଟମ ଅନୁସାରେ ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରାଯିବ । ବାର୍ଷିକ ୧୨.୭୫ ଲକ୍ଷ ବେତନ ପାଉଥିବା ଆୟକରଦାତାଙ୍କ ଲାଗି ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କା ରଖା ଯାଇଛି । ତେବେ ନ୍ୟୁ-ଟାକ୍ସ ରେଜିମିରେ ଏହି ଲାଭ ମିଳିବ । ନ୍ୟୁ ଟାକ୍ସ ରେଜିମିରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ । ବାର୍ଷିକ ଆୟ ୧୨ ଲକ୍ଷରୁ ଅଧିକ ଥିଲେ ଟିକସ ସ୍ଲାବ ହିସାବରେ ଆୟକର ଦାଖଲ କରିବାକୁ ପଡ଼ିବ । ପୂର୍ବରୁ ବାର୍ଷିକ ୭ ଲକ୍ଷ ଆୟ ଥିବା ବ୍ୟକ୍ତିଙ୍କୁ ଟ୍ୟାକ୍ଲ ଦେବାକୁ ପଡୁଥିଲା, ଯାହା ବର୍ତ୍ତମାନ ପାଇଁ ପରିବର୍ତ୍ତନ ହୋଇ ୧୨ ଲକ୍ଷ ହୋଇଛି । କେବଳ ସେତିକି ନୁହେଁ, ଧନୀକ ଶ୍ରେଣୀର ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଆଶ୍ବସ୍ତି ମିଳିବ । କାରଣ ୨୪ ଲକ୍ଷରୁ ଅଧିକ ଆୟ ଥିବା ବ୍ୟକ୍ତିଙ୍କୁ ମାତ୍ର ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ, ଯାହା ପୂର୍ବରୁ ୧୫ ଲକ୍ଷ ଆୟ ଥିବା ବ୍ୟକ୍ତିଙ୍କ ପାଇଁ ଲାଗୁ ଥିଲା ।
ୟୁପିଆଇ ନିୟମରେ ପରିବର୍ତ୍ତନ :
ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ(NPCI) ୟୁପିଆଇ ସିଷ୍ଟମକୁ ସୁରକ୍ଷିତ କରିବା ପାଇଁ ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାଦ୍ବାରା ୟୁପିଆଇ ନେଣଦେଣ ପ୍ରକ୍ରିୟାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଏପ୍ରିଲ ୧ରୁ ଯେଉଁ ମୋବାଇଲ ନମ୍ବରରେ ଥିବା ୟୁପିଆଇ ଅଧିକ ଦିନ ହେବ କୌଣସି ବ୍ୟବହାର କରାଯାଉନାହିଁ, ତାକୁ ହଟାଇ ଦିଆଯିବ । ସେମାନଙ୍କ ପାଇଁ ୟୁପିଆଇ ସେବା ବନ୍ଦ ରହିବ । ସେଥିପାଇଁ ଯଦି ଆପଣଙ୍କ ନମ୍ବର ୟୁପିଆଇ ସହ ଅଛି, ଏବଂ ଆପଣ ଏହାର ବ୍ୟବହାର ଅନେକ ଦିନ ହେବ କରୁ ନାହାନ୍ତି, ତେବେ ଖୁବଶୀଘ୍ର ଏହାକୁ ଆକ୍ଟିଭ କରନ୍ତୁ ।
ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ:
ଜମାଖାତାରେ ଆବଶ୍ୟକ ସର୍ବନିମ୍ନ ବାଲାନ୍ସ ରଖିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ନାହିଁ ତେବେ ଆଫଣଙ୍କୁ ଜୋରିମାନା ଦେବାକୁ ପଡିବ । ତେବେ ଏଥିପାଇଁ ଅଲଗା ଅଲଗା ବ୍ୟାଙ୍କରେ ଅଲଗା ନିୟମ ରହିଛି । ଯେପରି ସହରରେ ଥିବା ବ୍ୟାଙ୍କ ଶାଖାରେ ୫୦୦୦ ଟଙ୍କା, ଗ୍ରାମୀଣ ବ୍ୟାଙ୍କରେ ୨ହଜାର ସର୍ବନିମ୍ନ ଟଙ୍କା ରଖିବା ଆବଶ୍ୟକ । ସେହପରି ମେଟ୍ରୋ ସହର, ଏବଂ ଅନ୍ୟ ସହରରେ ସର୍ବନିମ୍ନ କେତେ ଜମା ରଖିବାକୁ ହେବ ସେନେଇ ନିଜ ଅଞ୍ଚଳର ବ୍ୟାଙ୍କରେ ପଚାରିବାକୁ ପଡିବ । କିନ୍ତୁ ଏନେଇ ବର୍ତ୍ତମାନ ସୁଧା ବ୍ୟାଙ୍କର ଅଫିସିଆଲ ଆକାଉଣ୍ଟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ :
୧ ଏପ୍ରିଲ ୨୦୨୫ରେ କ୍ରେଡିଟ କାର୍ଡ ନିୟମରେ ହେବ ପରିବର୍ତ୍ତନ । କ୍ରେଡିଟ କାର୍ଡର ରିୱାର୍ଡରେ କରାଯାଇଛି ସଂଶୋଧନ । ଏହାର ପ୍ରଭାବ ସିଧାସଳଖ ଏସବିଆଇ କ୍ରେଡିଟ କାର୍ଡ, ସିମ୍ପଲି କ୍ଲିକ କ୍ରେଡିଟ କାର୍ଡ , କ୍ଲବ ଭିସ୍ତାରା କ୍ରେଡିଟ କାର୍ଡ, ପ୍ରାଇମ ଏସବିଆଇ କ୍ରେଡିଟ କାର୍ଡ, ଏୟର ଇଣ୍ଡିଆ ଏସବିଆଇ ପ୍ଲାଟିନମ କ୍ରେଡିଟ କାର୍ଡ ଉପରେ ପଡିବ । ତେବେ ଏହି କ୍ରେଡିଟ କାର୍ଡ ଗୁଡିକ ସ୍ଵିଗି, ଏବଂ ଏୟର ଇଣ୍ଡିଆରେ ଟିକେଟ କିଣିବା ଦ୍ବାରା କମ ପଏଣ୍ଟ ଦେବ ଅର୍ଥାତ ୫ ଗୁଣା କମାଇଦେବ । ତେବେ ଯେଉଁମାନେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ସେମାନେ ଏହି ବଦଳୁଥିବା ନିୟମ ବିଷୟରେ ଜାଣିବା ନିହାତି ଆବଶ୍ୟକ ।
ଡିଜିଟାଲ ବ୍ୟାଙ୍କିଙ୍ଗରେ ଏଆଇର ବ୍ୟବହାର:
ଡିଜିଟାଲ ବ୍ୟାଙ୍ଗିଙ୍ଗରେ ମଧ୍ୟ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥିରେ ଏଆଇ(AI) ଆସିଷ୍ଟାଣ୍ଟ ଗ୍ରାହକଙ୍କୁ ଟଙ୍କା ଯୋଗାଡ କରିବାରେ ସାହାଯ୍ୟ କରିବ । ବ୍ୟାଙ୍କଗୁଡିକ ଗ୍ରାହକମାନଙ୍କୁ ସାହାଯ୍ୟ କରିବା ପାଇଁ ଏପରି ଏଆଇର ବ୍ୟବହାର କରିବାକୁ ସ୍ଥିର କରିଛନ୍ତି । ଡିଜିଟାଲ ଟ୍ରାନ୍ସଜାକସନକୁ ଅଧିକ ସୁରକ୍ଷିତ କରିବା ପାଇଁ ଏମିତି କିଛି ବ୍ୟବସ୍ଥା କରାଯାଇଛି ।
ପଜିଟିଭ୍ ପେ ସିଷ୍ଟମ ଲାଗୁ:
ଠକାମୀରୁ ରକ୍ଷା ପାଇବାକୁ ଆରବିଆଇ ଏକ ପଜିଟିଭ ପେ ସିଷ୍ଟମ ଲାଗୁ କରିଛି । ଅନେକ ବ୍ୟାଙ୍କ ଏହି ସିଷ୍ଟମକୁ ଲାଗୁ କରିଛି । ପଜିଟିଭ ପେ ସିଷ୍ଟମ ଅନୁସାରେ ଯଦି ଆପଣ ୫୦ ହଜାରରୁ ଅଧିକ ଟଙ୍କା ଚେକ ଜାରି କରୁଛନ୍ତି , ତାହେଲେ ଆପଣଙ୍କୁ ଏହି ଚେକ୍ ସମ୍ବନ୍ଧୀୟ କିଛି ସୂଚନା ଇଲେକ୍ଟ୍ରୋନିକ୍ସ ଜରିଆରେ ଦେବାକୁ ପଡିବ । ଏହାଦ୍ବାରା ଯଦି ଏଥିରେ କିଛି ଭୂଲ ଥାଏ , ତେବେ ବ୍ୟାଙ୍କ ଏହାର ସଠିକ ଯାଞ୍ଚ କରିବ । ଚେକରେ କରାଯାଉଥିବା ଠକାମୀକୁ ରୋକିବାକୁ ଏପରି ବ୍ୟବସ୍ଥା କରାଯାଇଛି ।