ଖୁବଶୀଘ୍ର ଇରାନ ଉପରେ ଆମେରିକା ଆକ୍ରମଣ କରିବା ଆଶଙ୍କା

Key Points
ଆଠ ଦିନ ଧରି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା
ଖୁବଶୀଘ୍ର ଇରାନ ଉପରେ ଆମେରିକା ଆକ୍ରମଣ କରିବା ଆଶଙ୍କା
ଭୟାନକ ହେଉଛି ସ୍ଥିତି, ଇରାନକୁ ସମର୍ଥନ ଜଣାଇଲା ହିଜବୁଲ୍ଲା
ଇସ୍ରାଏଲ ହମଲାରେ ଇରାନରେ ଆଉଜଣେ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟଙ୍କ ମୃତ୍ୟୁ
ତେଲ ଅଭିଭ ଉପରେ କ୍ଲଷ୍ଟର ବୋମା ମାଡ଼ କରି ତେହେରାନର କଡ଼ା ଜବାବ
ଇରାନ ବିରୋଧରେ ଯୁଦ୍ଧ ନିଷ୍ପତ୍ତି ନେବାରେ କାହିଁକି ଟ୍ରମ୍ପ କରୁଛନ୍ତି ବିଳମ୍ବ ?
ଇସ୍ରାଏଲ-ଇରାନ ଯୁଦ୍ଧରେ ଖୁବଶୀଘ୍ର ଆମେରିକାର ଏଣ୍ଟ୍ରି । ଆସନ୍ତା 2 ସପ୍ତାହ ମଧ୍ୟରେ ଇରାନ ଉପରେ ଆକ୍ରମଣ କରିବା ନେଇ ପରୋକ୍ଷ ସଂକେତ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯୁଦ୍ଧ ଆରମ୍ଭରୁ ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ କରିଥିଲେ ବି ଇରାନ ବିରୋଧରେ ଟ୍ରମ୍ପଙ୍କ ଯୁଦ୍ଧ ଧମକକୁ ନେଇ ବିଶ୍ବରେ ଚର୍ଚ୍ଚା ଜୋର ଧରିଛି । ଯୁଦ୍ଧରେ ଯୋଗଦେବେ କି ନାହିଁ ସେ ବିଷୟରେ ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଟ୍ରମ୍ପ । ନିଷ୍ପତ୍ତି ନେବାରେ ଟ୍ରମ୍ପଙ୍କ ବିଳମ୍ବ ପଛରେ ବଡ଼ କୁଟନୀତି ଥିବା ଆକଳନ କରୁଛନ୍ତି ବିଶେଷଜ୍ଞ । ଆମେରିକା ସହ ଆଣବିକ ବୁଝାମଣା ପାଇଁ ଇରାନକୁ 60 ଦିନ ସମୟ ଦେଇଥିଲେ ଟ୍ରମ୍ପ । 13 ଜୁନରେ ଏହି ଅବଧି ଶେଷ ହୋଇଥିଲେ ବି ଇରାନ-ଇସ୍ରାଏଲ ମଧ୍ୟରେ ବୁଝାମଣା ପାଇଁ ଟ୍ରମ୍ପ ଜାଣିଶୁଣି ଖାମନେଇଙ୍କୁ ଅଧିକ ସମୟ ଦେଉଥିବା ଚର୍ଚ୍ଚା ହେଉଛି । ଏପଟେ ଆଲୋଚନା ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି ।
ଘମାଘୋଟ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଥିବାବେଳେ ଇରାନକୁ ସମର୍ଥନ ଜଣାଇଛି ହିଜବୁଲ୍ଲା ଆତଙ୍କୀ ସଂଗଠନ। IDF ଆକ୍ରମଣରେ ଆଉଜଣେ ଇରାନୀ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟଙ୍କ ମୃତ୍ୟୁ ପରେ ରକ୍ତମୁଖା ଇରାନ, ତେଲ ଅଭିଭ ଉପରେ କରିଛି ପ୍ରଚଣ୍ଡ ଆକ୍ରମଣ। ତେହେରାନ କ୍ଲଷ୍ଟର ବୋମା ଆଟାକ କରି ଇସ୍ରାଏଲକୁ ଚେକ୍ ଦେବାକୁ ବଡ଼ ପ୍ରୟାସ କରିଛି । ଗୁରୁବାର ରାତିରେ ୬୦ଟି ଲଢ଼ୁଆ ବିମାନରେ ଇରାନର ପରମାଣୁ ଘାଟି, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘାଟିକୁ ଧ୍ୱଂସ କରିଥିବା ଦାବି କରିଛି ଇସ୍ରାଏଲ ସେନା । ୧୨୦ଟି ବିନାଶକାରୀ ବୋମା ମାଡ଼ରେ ଇରାନର କ୍ଷେପଣାସ୍ତ୍ର, କଞ୍ଚାମାଲ ତିଆରିରେ ବ୍ୟବହୃତ ଉପାଦାନ, ଇଞ୍ଜିନ, କାରଖାନା ଏବଂ ଉତ୍ପାଦନ ସ୍ଥାନଗୁଡ଼ିକ ନଷ୍ଟ ହୋଇଥିବା ଆଇଡିଏଫ କହିଛି । ଇସ୍ରାଏଲ ହମଲାରେ ଏଯାଏ ଇରାନର ୪୦ରୁ ଅଧିକ ନ୍ୟୁକ୍ଲିୟର ପ୍ଲାଷ୍ଟ ଧ୍ବସ୍ତ ହେବା ସହ ୧୦ ଜଣ ବରିଷ୍ଠ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ସାଂଘାତିକ ମୋଡ ନେଉଥିବାବେଳେ ଯୁଦ୍ଧରେ ଆମେରିକାର ଏଣ୍ଟ୍ରିକୁ ତୀବ୍ର ବିରୋଧ କରିଛନ୍ତି ଋଷ୍ ରାଷ୍ଟ୍ରପତି ପୁଟିନ । ଯୁଦ୍ଧରେ ଯୋଗ ନଦେବାକୁ ଟ୍ରମ୍ପଙ୍କୁ ଦେଇଛନ୍ତି ଚେତାବନୀ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛନ୍ତି । ଅପର ପକ୍ଷରେ ଏକ ସାକ୍ଷାତାକାରରେ ଇସ୍ରାଏଲକୁ ମିଳୁଥିବା ଯେକୌଣସି ସାହାଯ୍ୟକୁ ସେ ସ୍ୱାଗତ କରନ୍ତି ବୋଲି କହିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଯୁଦ୍ଧ ମାଧ୍ୟମରେ ବିଶ୍ୱର ରୂପ ବଦଳାଇ ଦେବାକୁ ନେତାନ୍ୟାହୁଙ୍କ ସନ୍ଦେଶ ଯୁଦ୍ଧ ସ୍ଥିତି ଆଗକୁ ଆହୁରୀ ଭୟାନକ ହେବାର ସଂକେତ ଦେଉଛି ।