ପୁଣି ୧୧୯ ବେଆଇନ ପ୍ରବାସୀଙ୍କୁ ଧରି ଅମୃତସରରେ ପହଞ୍ଚିଲା ଆମେରିକା ବିମାନ

ପୁଣି ୧୧୯ ଜଣଙ୍କୁ ଧରି ଅମୃତସର ବିମାନବନ୍ଦରରେ ଲ୍ୟାଣ୍ଡ କଲା ଆମେରିକା ବିମାନ । ଆମେରିକାରେ ଅବୈଧ ପ୍ରବେଶ କରିଥିବା ୧୧୯ ଜଣ ଭାରତୀୟଙ୍କୁ ଧରି ଗତକାଲି ଆମେରିକାର ଦ୍ବିତୀୟ ସ୍ବତନ୍ତ୍ର ବିମାନ ଭାରତରେ ପହଁଚିଛି । ଗତକିଛି ଦିନ ପୂର୍ବରୁ ପ୍ରଥମ ବିମାନ ଆମେରିକାରୁ ଆସି ଭାରତ ପହଁଚିଥିଲା । ଯେଉଁଥିରେ ୧୦୪ ଜଣଙ୍କୁ ଧରି ଅମୃତସରରେ ଲ୍ୟାଣ୍ଡ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଶପଥ ନେବା ପରେ ବିନା ତଥ୍ୟ ପ୍ରମାଣରେ ରହୁଥିବା ପ୍ରବାସୀଙ୍କୁ ବିତାଡିତ କରାଯିବ ବୋଲି ଘୋଷଣା କରିଥିଲେ । ଆମେରିକାରେ ଏବେ ୧୮ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ବିନା ତଥ୍ୟ ପ୍ରମାଣରେ ବେଆଇନ ଭାବେ ରହୁଥିବା ସୂଚନା ମିଳିଛି ।
ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା କ୍ଷଣି ବେଆଇନ ପ୍ରବାସୀଙ୍କୁ ୱାଶିଂଟନରୁ ବିଦା କରିବାରେ ଲାଗିଛନ୍ତି। ଏହିକ୍ରମରେ ଆମେରିକାରେ ରହୁଥିବା ବେଆଇନ ଭାରତୀୟଙ୍କୁ ମଧ୍ୟ ସେ ବିଦା କରୁଛନ୍ତି। ପ୍ରବାସୀ ଭାରତୀୟଙ୍କ ହାତରେ ହ୍ୟାଣ୍ଡକଫ ଓ ଗୋଡ଼ରେ ଜଞ୍ଜିର ବାନ୍ଧି ଟ୍ରମ୍ପ ପଠାଉଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଥିଲା।
୧୧୯ ଜଣଙ୍କ ମଧ୍ୟରେ ୬୭ ଜଣ ପଞ୍ଜାବରୁ, ୩୩ ଜଣ ହରିୟାଣାରୁ, ଗୁଜରାଟରୁ ୮ ଜଣ, ୩ ଜଣ ଉତ୍ତର ପ୍ରଦେଶରୁ, ଗୋଆ ଓ ମହାରାଷ୍ଟ୍ରରୁ ୨ ଜଣ ଲେଖାଏଁ, ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଆସନ୍ତାକାଲି ମଧ୍ୟ ଆଉ କିଛି ଭାରତୀୟଙ୍କୁ ଧରି ଆଉ ଗୋଟିଏ ବିମାନ ଆମେରିକାରୁ ଆସିବ। ଉକ୍ତ ବିମାନ ମଧ୍ୟ ଅମୃତସରରେ ଅବତରଣ କରିବ।
ତେବେ ଅମୃତସରରେ କାହିଁକି ଅବତରଣ କରିବ ବିମାନ । ସେନେଇ ବିରୋଧୀ ଦଳ ନେତାମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, 'ବିଜେପି ପଞ୍ଜାବ ପ୍ରତି ଆରମ୍ଭରୁ ପାତରଅନ୍ତର କରୁଥିଲା । ଏବେ ପଞ୍ଜାବକୁ ବଦ୍ନାମ କରିବାକୁ ଚେଷ୍ଟା କରୁଛି । ତେଣୁ ଆମେରିକାର ବିମାନକୁ ପଞ୍ଜାବ ଅମୃତସରରେ ଲ୍ୟାଣ୍ଡ କରାଯାଉଛି' ।
ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଆମେରିକାରୁ ଭାରତକୁ ପ୍ରବେଶ କରୁଥିବା ବିମାନ ପାଇଁ ନିକଟତମ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଅମୃତସର। ସେଥିପାଇଁ ବେଆଇନ ପ୍ରବାସୀଙ୍କୁ ନେଇ ଆମେରିକାର ବିମାନ ସେଠାରେ ଅବତରଣ କରୁଛି ।