ୱାକଫ୍ ସଂଶୋଧନ ବିଲ୍ ପାସ୍, ଉତ୍ତରପ୍ରଦେଶରେ ହଇଚଇ !

ୱାକଫ୍ ସଂଶୋଧନ ବିଲ୍ ପାସ୍ ହେବା ପରେ ଉତ୍ତରପ୍ରଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅବୈଧ ୱାକଫ୍ ସମ୍ପତ୍ତି ଗୁଡିକ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ହେଉଛି। ଅବୈଧ ଭାବେ ୱାକଫ୍ ବୋର୍ଡ ପାଖରେ ଥିବା ସମ୍ପତ୍ତି ଜବତ କରାଯିବ ।
ଉତ୍ତରପ୍ରଦେଶ ରାଜସ୍ୱ ବିଭାଗ ଅନୁସାରେ ଉତ୍ତରପ୍ରଦେଶରେ ଅଧିକାଂଶ ୱାକଫ୍ ସମ୍ପତ୍ତିର କୌଣସି ସରକାରୀ ରେକର୍ଡ ନାହିଁ। ଅନେକ ସରକାରୀ ସମ୍ପତ୍ତିକୁ ଅବୈଧ ଭାବେ ୱାକଫ୍ ସମ୍ପତ୍ତି ଘୋଷିତ କରାଯାଇଛି। ଜିଲ୍ଲା ଅଧିକାରୀମାନଙ୍କୁ ଏଭଳି ସମ୍ପତ୍ତି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ ଉତ୍ତରପ୍ରଦେଶରେ ୨୯୬୩ ୱାକଫ୍ ସମ୍ପତ୍ତିର ହିଁ ରେକର୍ଡ ରହିଛି। ଯେତେବେଳେ କି ସୁନ୍ନି ୱାକଫ୍ ବୋର୍ଡର ୧ ଲକ୍ଷ ୨୪ ହଜାର ୩୫୫ ଏବଂ ସିୟା ୱାକଫ୍ ବୋର୍ଡ ପାଖରେ ୭,୭୮୫ ସମ୍ପତ୍ତି ରହିଛି । ଏହା ଭିତରେ ଅଧିକାଂଶ ସରକାରୀ ସମ୍ପତ୍ତିକୁ ଅବୈଧ ଭାବେ ୱାକଫ୍ ସମ୍ପତ୍ତି ଘୋଷିତ କରାଯାଇଛି ।
ତେବେ ନିୟମ ଅନୁସାରେ ଦାନ କରାଯାଇଥିବା ସମ୍ପତ୍ତିକୁ ହିଁ ୱାକଫର ବିବେଚନା କରାଯାଏ । କିନ୍ତୁ ସରକାରୀ ଜମି ୱାକଫର ହୋଇପାରିବନି ବୋଲି ନିୟମ ରହିଛି । ଉତ୍ତରପ୍ରଦେଶର ବାରବାଙ୍କୀ, ସୀତାପୁର, ବରେଲି, ଜୈନପୁର, ସହରାନପୁର, ବିଜନୌର, ବଳରାମପୁର, ମୁଜାଫରନଗର, ବୁଲନ୍ଦସହର, ମୁରାଦାବାଦ ଏବଂ ରାମପୁର ଭଳି ଜିଲ୍ଲାରେ ୱାକଫ୍ ବୋର୍ଡର ଅଧିକ ସମ୍ପତ୍ତି ରହିଛି ।

