Vice President Election: ଉପରାଷ୍ଟ୍ରପତି ପଦ ପାଇଁ ଦକ୍ଷିଣୀ ଲଢ଼େଇ, ରାଧାକ୍ରିଷ୍ଣନ VS ସୁଦର୍ଶନ

Key Points
ଅବସରପ୍ରାପ୍ତ ବିଚାରପତି ବି ସୁଦର୍ଶନ ରେଡ୍ଡୀ INDI ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ NDAର ମନ୍ଥନ
ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ କାଲି କରିବେ ନାମାଙ୍କନ
NDA ପାଖରେ ବିଜୟ ପାଇଁ ଅଛି ଆବଶ୍ୟକ ସଂଖ୍ୟା, ବହୁ ପଛରେ ବିରୋଧୀ ମେଣ୍ଟ
ସି.ପି.ରାଧାକ୍ରିଷ୍ଣନ ବନାମ ସୁଦର୍ଶନ ରେଡ୍ଡୀ । ଉପରାଷ୍ଟ୍ରପତି ପଦ ପାଇଁ ଦକ୍ଷିଣୀ ଲଢ଼େଇ । ଦୁଇ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛନ୍ତି AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ । ଆଜି ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ NDA ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି.ରାଧାକ୍ରିଷ୍ଣନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ NDAର ସମସ୍ତ ସାଂସଦ ସମର୍ଥନ ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି ମୋଦି । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ NDA ଉପରାଷ୍ଟ୍ରପତି ପ୍ରାର୍ଥୀ । ଆଉ ମାତ୍ର ୨୦ ଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ ହେଉଥିବାରୁ ଏବେ ସଂଖ୍ୟା ଗଣିତରେ ବିଜୟ ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ପକ୍ଷରୁ କସରତ୍ ଆରମ୍ଭ ହୋଇଛି ।
କିଏ ହେବେ ଦେଶର ୧୭ତମ ଉପରାଷ୍ଟ୍ରପତି ...ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ହେବାକୁ ଯାଉଛି ନିର୍ବାଚନ । ଶାସକ ଓ ବିରୋଧୀ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଥିବାବେଳେ ଏବେ ସଂଖ୍ୟା ଗଣିତକୁ ନେଇ ଲାଗି ରହିଛି ଚର୍ଚ୍ଚା । ଗୁରୁବାର NDA ପ୍ରାର୍ଥୀଙ୍କ ନାମାଙ୍କନ ପୂର୍ବରୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି.ରାଧାକ୍ରିଷ୍ଣନଙ୍କୁ ଭବ୍ୟ ସ୍ବାଗତ ସହ NDAର ସମସ୍ତ ସାଂସଦ ସମର୍ଥନ ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି ପିଏମ ମୋଦି। ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ଅଗଷ୍ଟ ୨୧ । ଅଗଷ୍ଟ ୨୨ରେ ହେବ ନାମାଙ୍କନ ଯାଞ୍ଚ ।
ରାମକ୍ରିଷ୍ଣନ VS ସୁଦର୍ଶନ । ଜନସେବାରେ ୪ ଦଶକର ଅଭିଜ୍ଞତା ଥିବା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ NDA ପ୍ରାର୍ଥୀ ହୋଇଥିବାବେଳେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ଇଣ୍ଡିମେଣ୍ଟ । ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ବି.ସୁଦର୍ଶନ ରେଡ୍ଡୀ ପୂର୍ବରୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇଛନ୍ତି । NDA ପକ୍ଷରୁ ଦୁଇଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଇଣ୍ଡିମେଣ୍ଟ ପ୍ରାର୍ଥୀ ଘୋଷଣା କରିଛନ୍ତି ।
ଆଉ ମାତ୍ର ୨୦ ଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ ହେଉଥିବାରୁ ଏବେ ସଂଖ୍ୟା ଗଣିତରେ ବିଜୟ ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ପକ୍ଷରୁ କସରତ୍ ଆରମ୍ଭ ହୋଇଛି । ସମ୍ବିଧାନର ଧାରା ୬୬ ଅନୁସାରେ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ ଓ ରାଜ୍ୟସଭାର ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜରେ ମୋଟ ସଦସ୍ୟ ସଂଖ୍ୟା ୭୮୮ ରହିଥିବାବେଳେ ଏବେ ୬ ଜଣ ସାଂସଦଙ୍କ ପଦ ଖାଲି ରହିଛି ।
📱 Get Argus News App
✨ରାଜ୍ୟସଭାର ମୋଟ ନିର୍ବାଚିତ ସଂଖ୍ୟା ୨୩୩ ହୋଇଥିବାବେଳେ ୧୨ ଜଣ ମନୋନୀତ ହୁଅନ୍ତି। ସେହିପରି ଲୋକସଭାର ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ୫୪୩ । କିନ୍ତୁ ଏବେ ରାଜ୍ୟସଭାର ୫ଟି ଆସନ ଖାଲି ରହିଥିବାବେଳେ ଲୋକସଭାରେ ମଧ୍ୟ ଗୋଟିଏ ଆସନ ଖାଲି ପଡ଼ିଛି । ତେଣୁ ଆସନ୍ତା ନିର୍ବାଚନରେ 782 ଜଣ ସଦସ୍ୟ ଭୋଟ ଦେବେ । ବିଜୟ ପାଇଁ ମ୍ୟାଜିକ ନମ୍ବର ରହିଛି ୩୯୪ । NDA ପାଖରେ ଏବେ 422 ସାଂସଦଙ୍କ ସମର୍ଥନ ରହିଥିବାରୁ ସି.ପି ରାଧାକ୍ରିଷ୍ଣନଙ୍କ ବିଜୟ ସମ୍ଭାବନା ଉଜ୍ଜ୍ବଳ ରହିଛି ।