Videos
|
National

Building Collapse / ମାଟି ତଳୁ ଆସିଲା ଭିଡିଓ କଲ୍, ୧୧ ସେକେଣ୍ଡରେ ବଞ୍ଚିବାର ଆକୁଳ ନିବେଦନ

Rashmita Mishra
Browse all articles by Rashmita Mishra
·19 mins ago·3 min read
ମାଟି ତଳୁ ଆସିଲା ଭିଡିଓ କଲ୍, ୧୧ ସେକେଣ୍ଡରେ ବଞ୍ଚିବାର ଆକୁଳ ନିବେଦନ
Building Collapse

Key Points

ମୃତ୍ୟୁର ମଲବା ତଳୁ ଭିଡିଓ କଲ୍, ବଞ୍ଚିବାକୁ ଛାତ୍ରଙ୍କ ଆକୁଳ ନିବେଦନ
୧୧ ସେକେଣ୍ଡର ଭିଡିଓ ଦୋହଲାଇଦେଲା ଦେଶ, ମଲବା ତଳୁ ଛାତ୍ରଙ୍କ SOS
‘ମୁଁ ବଞ୍ଚିଛି, ମୋତେ ବଞ୍ଚାଅ’... ମଲବା ତଳୁ ଆସିଲା ଭିଡିଓ
୩ ମହଲାକୁ ଅନୁମତି, ହୋଇଥିଲା ୫ ମହଲା ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡିର ଭୟଙ୍କର ସତ 

ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିବା ପରେ ସାମ୍ନାକୁ ଆସିଥିବା ଏକ ଭିଡିଓ ଲୋକଙ୍କୁ ଭିତରୁ ଦୋହଲାଇ ଦେଇଛି । ଭିଡିଓଟି ମାଟି ତଳେ ଫସିଥିବା ଜଣେ ଛାତ୍ରଙ୍କର । ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିଲେ ମଧ୍ୟ ସେ ଆଶା ଛାଡ଼ିନଥିଲେ । ପ୍ରାୟ ୧୧ ସେକେଣ୍ଡର ଏକ SOS ଭିଡିଓ କଲ୍ ରେକର୍ଡ କରି ସେ ତାଙ୍କୁ ଜୀବନ୍ତ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିଲେ ।

ଭିଡିଓରେ ଛାତ୍ରଜଣକ ମଟିତଳେ ଶୋଇଥିବା ଦେଖାଯାଉଛି । ସେ ଧୀରେ ଧୀରେ ମୋବାଇଲ୍ କ୍ୟାମେରା ଘୁଞ୍ଚାଇ ନିଜେ ଫସିଥିବା ସଂକୀର୍ଣ୍ଣ ସ୍ଥାନଟି ଦେଖାଇଥିଲେ । ତାଙ୍କ ମୁହଁରେ ଧୂଳିମାଟି ଲାଗିଥିବା ସହ ରକ୍ତର ଦାଗ ମଧ୍ୟ ଦେଖାଯାଉଥିଲା । ଚାରିପଟେ ଥିଲା କଂକ୍ରିଟ୍ ଖଣ୍ଡ ଓ ଭଙ୍ଗା ବିଲ୍ଡିଂର ମଲବା । ଭୟଙ୍କର ପରିସ୍ଥିତି ମଧ୍ୟରେ ସେ କେବଳ ଗୋଟିଏ କଥା କହିବାକୁ ଚେଷ୍ଟା କରିଥିଲେ ତାଙ୍କୁ ଜୀବନ୍ତ ଉଦ୍ଧାର କରାଯାଉ ।

ଭୟଙ୍କର ପରିସ୍ଥିତିରେ ହାର ମାନିନଥିଲେ
ମଲବା ତଳେ ଫସିଥିବା ସମୟରେ ମଣିଷର ମନରେ ଭୟ ଓ ନିରାଶା ଛାଇଯିବା ସ୍ୱାଭାବିକ । କିନ୍ତୁ ଏହି ଛାତ୍ର ନିଜ ମୋବାଇଲ୍ ବାହାର କରି ଭିଡିଓ ରେକର୍ଡ କରିବା ସହ ମାନବିକ ସାହାଯ୍ୟ ପାଇଁ ଆହ୍ୱାନ କରିଥିଲେ । ତାଙ୍କର ଏହି ସାହସ ସୋସିଆଲ୍ ମିଡିଆରେ ଲୋକଙ୍କୁ ଭାବବିହ୍ୱଳ କରିଛି ।

ଛାତ୍ର ସଂଗଠନ NSUI ମଧ୍ୟ ଏହି ଭିଡିଓକୁ ନିଜ ଅଫିସିଆଲ୍ X ହ୍ୟାଣ୍ଡଲରେ ସେୟାର କରିଥିଲା । ଭିଡିଓଟି ବାହାରେ ଥିବା ଉଦ୍ଧାରକାରୀ ଓ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି କରିଥିଲା ଯେ ମଲବା ତଳେ ଫସିଥିବା ଛାତ୍ରମାନେ ଜୀବିତ ଅଛନ୍ତି । ଏହାପରେ ଅନ୍ୟ କିଛି ଛାତ୍ର ମଧ୍ୟ ଫୋନ୍ ମାଧ୍ୟମରେ ବାହାରେ ଥିବା ନିଜ ପରିଜନଙ୍କ ସହ ଯୋଗାଯୋଗ କରିଥିଲେ ।

ମଲବା ତଳେ ଦବିଥିଲେ ୪୦ରୁ ୫୦ ଛାତ୍ର
ରବିବାର ଦିନ ପ୍ରାୟ ଦିନ ୧ଟା ୩୦ ମିନିଟ୍ ସମୟରେ ସତ୍ୟ ନିକେତନ ଅଞ୍ଚଳରେ ପ୍ରାୟ ୫୦ ବର୍ଷ ପୁରୁଣା ଏକ ବିଲ୍ଡିଂ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହି ବିଲ୍ଡିଂରେ ‘ହଷ୍ଟେଲ୍ ଡେଜ୍’ ନାମରେ ଏକ ପେଇଂ ଗେଷ୍ଟ ହାଉସ୍ ଚାଲୁଥିଲା । ଦୁର୍ଘଟଣା ସମୟରେ ଏଠାରେ ପ୍ରାୟ ୪୦ରୁ ୫୦ ଜଣ ଛାତ୍ର ଥିବା କୁହାଯାଇଛି ।

ବିଲ୍ଡିଂର ବେସମେଣ୍ଟରେ ରେନୋଭେସନ୍ କାମ ଚାଲିଥିବା ସମୟରେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା । ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅଧିକାଂଶ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ଅନୁମତି ଥିଲା ୩ ମହଲା, ହୋଇଗଲା ୫ ମହଲା
ଏହି ଦୁର୍ଘଟଣା ପରେ ବିଲ୍ଡିଂର ନିର୍ମାଣ ଓ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି । ପୋଲିସ ଅଭିଯୋଗ ଅନୁସାରେ, ବିଲ୍ଡିଂଟି ୩ ମହଲା ପର୍ଯ୍ୟନ୍ତ ନିର୍ମାଣ ପାଇଁ ଅନୁମୋଦିତ ଥିଲା । କିନ୍ତୁ ଅଭିଯୋଗ ରହିଛି ଯେ ନିୟମ ଉଲ୍ଲଂଘନ କରି ଏହାକୁ ୫ ମହଲା ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିଲା । ବିଲ୍ଡିଂ ମାଲିକ ହରିରାମ ଓ ଅନ୍ୟମାନଙ୍କ ବିରୋଧରେ ପୋଲିସ ଅନିଚ୍ଛାକୃତ ହତ୍ୟା, ବିଲ୍ଡିଂର ରକ୍ଷଣାବେକ୍ଷଣରେ ଅବହେଳା ଏବଂ ଜନସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗରେ FIR ରୁଜୁ କରିଛି ।

୩ଟି କଲେଜର ଛାତ୍ର ରହୁଥିଲେ
ପୋଲିସ କର୍ମଚାରୀ ରାଜେନ୍ ଛେତ୍ରୀଙ୍କ ସୂଚନା ଅନୁସାରେ, ବିଲ୍ଡିଂରେ ପ୍ରାୟ ୧୫ଟି ରୁମ୍ ଥିଲା ଏବଂ ପ୍ରତ୍ୟେକ ରୁମ୍‌ରେ ୨ରୁ ୩ ଜଣ ଛାତ୍ର ରହୁଥିଲେ । ଏଠାରେ ରହୁଥିବା ଅଧିକାଂଶ ଛାତ୍ର କେରଳ, ହରିୟାଣା ଓ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ସେମାନେ ମୋତିଲାଲ ନେହରୁ କଲେଜ, ଆତ୍ମା ରାମ ସନାତନ ଧର୍ମ କଲେଜ ଏବଂ ଶ୍ରୀ ଭେଙ୍କଟେଶ୍ୱର କଲେଜରେ ପଢ଼ୁଥିଲେ ।

ଏବେ ପ୍ରଶ୍ନ ଦିଲ୍ଲୀର ସବୁ ଅବୈଧ ବିଲ୍ଡିଂର ହିସାବ କିଏ ନେବ ?
ଘଟଣା ପରେ MCD ପକ୍ଷରୁ ୪ ମହଲାରୁ ଅଧିକ ଉଚ୍ଚତାର ଅବୈଧ ବିଲ୍ଡିଂଗୁଡ଼ିକୁ ତୁରନ୍ତ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଦୁର୍ଘଟଣାଗ୍ରସ୍ତ ବିଲ୍ଡିଂ ନିକଟରେ ଥିବା ଅନ୍ୟ ଏକ ବିଲ୍ଡିଂକୁ ମଧ୍ୟ ଖାଲି କରାଯାଇ ସିଲ୍ କରାଯାଇଛି । କିନ୍ତୁ ଏହି ଘଟଣା ଦିଲ୍ଲୀର ଆଉ ଏକ ବଡ଼ ସମସ୍ୟାକୁ ସାମ୍ନାକୁ ଆଣିଛି ସହରରେ ଏଭଳି କେତେ ଅବୈଧ ଓ ଅସୁରକ୍ଷିତ ବିଲ୍ଡିଂ ରହିଛି ? କେବଳ ଦୁର୍ଘଟଣା ପରେ କିଛି ବିଲ୍ଡିଂ ସିଲ୍ କରିଦେଲେ କି ସମସ୍ୟାର ସମାଧାନ ହେବ ?

ସତ୍ୟ ନିକେତନର ଏହି ଦୁର୍ଘଟଣା ମଲବା ତଳେ ଫସିଥିବା ଛାତ୍ରଙ୍କ ୧୧ ସେକେଣ୍ଡର SOS ଭିଡିଓ ମାଧ୍ୟମରେ ଯେତିକି ମାନବିକ ସାହସର କାହାଣୀ କହୁଛି, ସେତିକି ପ୍ରଶାସନିକ ଅବହେଳା ଓ ଅବୈଧ ନିର୍ମାଣକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଉଛି । ଆଗକୁ ଏଭଳି ଘଟଣା ରୋକିବା ପାଇଁ କେବଳ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ, ଦିଲ୍ଲୀର ଅସୁରକ୍ଷିତ ଓ ଅବୈଧ ବିଲ୍ଡିଂଗୁଡ଼ିକର ବ୍ୟାପକ ଯାଞ୍ଚ ମଧ୍ୟ ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: