Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India vs Bangladesh / ବଡ଼ ରୂପ ନେବାକୁ ଯାଉଛି ବାଂଲାଦେଶ ହିଂସା, ଜାଣିଶୁଣି ଉସକାଉଛନ୍ତି ଚରମପନ୍ଥୀ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ବଡ଼ ରୂପ ନେବାକୁ ଯାଉଛି ବାଂଲାଦେଶ ହିଂସା, ଜାଣିଶୁଣି ଉସକାଉଛନ୍ତି ଚରମପନ୍ଥୀ
India vs Bangladesh

Key Points

ଦୀପୁଙ୍କୁ ଅମାନୁଷିକ ନିର୍ଯାତନା ଦେବା ପରେ ମାଡ଼ ମାରି ତାଙ୍କ ମୃତଦେହକୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ।

ଜଳୁଛି ବାଂଲାଦେଶ । ଥମିବାର ନାଁ ନେଉନି ଉସମାନ୍ ହାଦି ନିଆଁ । ସରିଫ୍ ଉସମାନ୍ ହାଦି ହତ୍ୟା ପ୍ରତିବାଦରେ ଏବେ ବି ବିରୋଧ ଜାରି ରହିଛି । ଗତକାଲି କଡ଼ା ସୁରକ୍ଷା ଭିତରେ ଉସମାନ୍ ହାଦିର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ହଜାର ହଜାର ସମର୍ଥକ ତାର ଶେଷକୃତ୍ୟରେ ସାମିଲ ହୋଇଥିଲେ । ଯେଉଁଠାରେ ISIS ର ପତାକା ବି ଉଡୁଥିଲା । ବିଭିନ୍ନ ଆତଙ୍କୀ ସଂଗଠନ ବି ତାର ସମର୍ଥନରେ ବାହାରିଥିଲେ । ଏବେ ବି ଉସମାନ୍ ହାଦିର ସମର୍ଥକମାନେ ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ନିଆଁ ଜାଳୁଛନ୍ତି । ଉସମାନ୍ ହାଦିର ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ସେପଟେ ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା ଘଟଣାର ଆଉ ଏକ ଖୁଲାସା ହୋଇଛି । ହତ୍ୟା ମାମଲାର ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି, ଦୀପୁ ଚନ୍ଦ୍ର ଦାସ ମୁସଲିମ୍‌ ବିରୋଧୀ କୌଣସି ମନ୍ତବ୍ୟ ଦେଇନଥିଲେ । ତଥାପି ଦୀପୁଙ୍କୁ ଅମାନୁଷିକ ନିର୍ଯାତନା ଦେବା ପରେ ମାଡ଼ ମାରି ତାଙ୍କ ମୃତଦେହକୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ।

ମିଳିଥିବା ଖବର ଅନୁସାରେ ଯୋଜନାବଦ୍ଧ ଭାବେ ଭାରତ ବିରୋଧୀ ଉତ୍ତେଜନା ବଢ଼ାଇବାକୁ ବିଭିନ୍ନ ଚରମପନ୍ଥୀ ଗୋଷ୍ଠୀ ପ୍ରୟାସ କରୁଛନ୍ତି। ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ହାଦିର ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କରିବା ସହ ହିଂସାକୁ ନିନ୍ଦା କରିଛନ୍ତି। ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଅନ୍ତରୀଣ ସରକାରର କେତେକ ପଦାଧିକାରୀ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ବାସ୍ତବ ସ୍ଥିତିରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ସଂଖ୍ୟାଲଘୁ ହିନ୍ଦୁଙ୍କ ଏଭଳି ସ୍ଥିତି ନେଇ ଭାରତର କଂଗ୍ରେସ ସାଂସଦ ଶଶୀ ଥରୁର ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ୟୁନୁସ୍ ସରକାର ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ପ୍ରତିବଦ୍ଧ କି ବୋଲି ପ୍ରଶ୍ନ କରିଛନ୍ତି।

ଗତକାଲିର ଭୀଷଣ ହିଂସାକୁ ଦେଖି ଢାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରଖାଯାଇଥିବା ବେଳେ ଡ୍ରୋନ୍ ନିଷିଦ୍ଧ କରାଯାଇଛି। ସମସ୍ତ ସମ୍ଭେଦନଶୀଳ ଅଂଚଳରେ ପୋଲିସ ସୁରକ୍ଷା କଡ଼ାକଡ଼ି ହୋଇଛି। ଆଜି ମଧ୍ୟ ହଜାର ହଜାର ଜନତା କଟକଣାକୁ ବେଖାତିର କରି ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାଦିଙ୍କ ମୃତ୍ୟୁ ବୃଥା ଯିବ ନାହିଁ ବୋଲି କଠୋରପନ୍ଥୀ ନେତାମାନେ କହିଛନ୍ତି।

ଗତକାଲି ଚଟ୍ଟଗ୍ରାମରେ ଭାରତୀୟ ହାଇକମିଶନରଙ୍କ କାର୍ଯ୍ୟାଳୟ ତଥା ବାସଭବନ ଉପରେ ପଥର ମାଡ଼ ଘଟଣାକୁ ଭାରତ ଗମ୍ଭୀରତାର ସହ ନେଇଛି ଏବଂ ଦୂତାବାସ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛି। ସୂଚନାଯୋଗ୍ୟ, ହାଦିଙ୍କ ହତ୍ୟାକାରୀମାନେ ଭାରତ ପଳାଇଥିବା ଦାବି କରି କେତେକ ଚରମପନ୍ଥୀ ଗୋଷ୍ଠୀ ଲୋକଙ୍କ ଭାରତ ବିରୋଧୀ ମନୋଭାବକୁ ଉସୁକାଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Bangladesh | Violence in Bangladesh is going to take a big shape, extremists are deliberately inciting it | Argus News