Viral Video / 'ମୋ ସ୍ତ୍ରୀ ମୋତେ ବହୁତ ହଇରାଣ କରୁଥିଲେ'... ମୃତ୍ୟୁ ପୂର୍ବରୁ ଯୁବକଙ୍କ ଭିଡିଓ, ତା'ପରେ ଆତ୍ମହତ୍ୟା କରିଥିଲେ

Key Points
‘ମୋତେ ବହୁତ ହଇରାଣ କରୁଥିଲେ’ ଭିଡିଓରେ କହିଗଲେ ଅଜୟ ।
ପ୍ରେମ ବିବାହର ବର୍ଷେ ପରେ କାହିଁକି ନେଲେ ଚରମ ପଦକ୍ଷେପ ?
ମୃତ୍ୟୁ ପୂର୍ବରୁ ଖୋଲିଲେ ରହସ୍ୟ ପୋଲିସ ଖୋଜୁଛି ସତ
ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ମୃତକଙ୍କ ପରିଚୟ ଅଜୟ ସିଂହ ଜଣାପଡ଼ିଛି । ସେ ମୂଳତଃ କାନପୁର ଦେହାତର ବାସିନ୍ଦା ଥିବା ବେଳେ ଗ୍ରେଟର ନୋଏଡାର ମିଲ୍କ ଲଚ୍ଛି ଗାଁରେ ଭଡ଼ା ଘରେ ରହୁଥିଲେ । ଅଜୟ ଅନଲାଇନ୍ ଡେଲିଭରି କାମ କରି ପରିବାର ଚଳାଉଥିଲେ ।
ଆତ୍ମହତ୍ୟା ପୂର୍ବରୁ ଅଜୟ ଏକ ଭିଡିଓ ରେକର୍ଡ କରିଥିଲେ । ଭିଡିଓରେ ସେ ପତ୍ନୀଙ୍କ ଉପରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିବା ସହ ନିଜ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଥିବା ଜଣାପଡ଼ିଛି । ତେବେ ଏହି ଅଭିଯୋଗଗୁଡ଼ିକର ଯାଞ୍ଚ ଏପର୍ଯ୍ୟନ୍ତ ହୋଇନାହିଁ ।
ଏକ ବର୍ଷ ପୂର୍ବରୁ ହୋଇଥିଲା ପ୍ରେମ ବିବାହ
ଅଜୟଙ୍କ ପ୍ରାୟ ଏକ ବର୍ଷ ପୂର୍ବରୁ ବିବାହ ହୋଇଥିଲା । ଉଭୟ ପ୍ରେମ ବିବାହ କରିଥିବା କୁହାଯାଉଛି । ବିବାହ ପରେ ସେମାନେ ଗ୍ରେଟର ନୋଏଡାରେ ଭଡ଼ା ଘରେ ରହୁଥିଲେ। ପୋଲିସର ସୂଚନା ଅନୁସାରେ, ଘଟଣାର ପ୍ରାୟ ଏକ ସପ୍ତାହ ପୂର୍ବରୁ ଅଜୟଙ୍କ ପତ୍ନୀ ନିଜ ବାପଘର ଉନ୍ନାଓ ଯାଇଥିଲେ । ଏହାପରେ ଅଜୟ ଘରେ ଏକା ରହୁଥିଲେ। ଏହି ସମୟରେ ସେ ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।
ଆତ୍ମହତ୍ୟା ପୂର୍ବରୁ ରେକର୍ଡ କରିଥିଲେ ଭିଡିଓ
ପୋଲିସ ଅନୁସାରେ, ଫାଶି ଲଗାଇବା ପୂର୍ବରୁ ଅଜୟ ଏକ ଭିଡିଓ ରେକର୍ଡ କରିଥିଲେ । ସେଥିରେ ସେ ପତ୍ନୀଙ୍କ ସହ ଚାଲିଥିବା ବିବାଦ ଏବଂ ନିଜ ମାନସିକ ଚାପ ବିଷୟରେ କହିଥିଲେ । ଅଜୟଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପତ୍ନୀ ଅନ୍ୟ କିଛି ଯୁବକଙ୍କ ସହ ଫୋନରେ କଥା ହେଉଥିଲେ । କଲ୍ ହିଷ୍ଟ୍ରିରୁ ସେ ଏହା ଜାଣିଥିବା ଭିଡିଓରେ କହିଥିବା ଦାବି କରାଯାଇଛି । ଏହାକୁ ନେଇ ସେ ପତ୍ନୀଙ୍କୁ ଅନ୍ୟ ଯୁବକଙ୍କ ସହ କଥା ନହେବାକୁ କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିବା ସେ ଅଭିଯୋଗ କରିଥିଲେ ।
ଅଜୟ ପତ୍ନୀଙ୍କ ଉପରେ ଗାଳିଗୁଲଜ ଏବଂ ମାନସିକ ଭାବେ ହଇରାଣ କରିବାର ଅଭିଯୋଗ ମଧ୍ୟ ଆଣିଥିଲେ । ଦୀର୍ଘଦିନ ଧରି ଚାଲିଥିବା ବିବାଦ ଯୋଗୁଁ ସେ ଅତ୍ୟନ୍ତ ଚାପରେ ଥିବା ଭିଡିଓରେ କହିଥିବା ଜଣାପଡ଼ିଛି ।
ଭଡ଼ା ଘରୁ ମିଳିଲା ମୃତଦେହ
ଘଟଣା ସମ୍ପର୍କରେ ସୂଚନା ପାଇ ବିସରଖ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହକୁ ତଳକୁ ଓହ୍ଲାଇ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତକଙ୍କ ପରିବାରକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ବିସରଖ ଥାନା ପ୍ରଭାରୀ ରଣଜିତ ସିଂହଙ୍କ କହିବା ଅନୁସାରେ, ଜଣେ ଯୁବକ ଫାଶି ଲଗାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।
ବର୍ତ୍ତମାନ ପୋଲିସ ଅଜୟଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓ ସହ ଅନ୍ୟାନ୍ୟ ତଥ୍ୟ ଓ ପରିସ୍ଥିତିର ଯାଞ୍ଚ କରୁଛି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଏବଂ ଅଭିଯୋଗଗୁଡ଼ିକର ସତ୍ୟତା ସ୍ପଷ୍ଟ ହେବ ।
📱 Get Argus News App
✨Related Topics
Explore more stories