ଲୋକସଭା ପରେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଧେୟକ ପାରିତ, ବିଳମ୍ବିତ ରାତି ଯାଏଁ ଚାଲିଲା ବିତର୍କ

ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ସଂଶୋଧନ ବିଧେୟକ । ବିଳମ୍ବିତ ରାତି ଯାଏଁ ମାରାଥନ ଆଲୋଚନା ପରେ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ୧୨୮ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଛି ୯୫ ଭୋଟ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।
ଗତକାଲି ଦିନ ଗୋଟାଏରେ ରାଜ୍ୟସଭାରେ ଆରମ୍ଭ ହୋଇଥିଲା ଆଲୋଚନା । ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟର ଚର୍ଚ୍ଚା ପରେ ସଂଶୋଧନ ପ୍ରସ୍ତାବ ଉପରେ ପ୍ରଥମେ ଭୋଟିଂ ହୋଇଥିଲା । ତା ପରେ ହୋଇଥିଲା ବିଲ୍ ଉପରେ ଭୋଟିଂ । ରାଜ୍ୟସଭାରେ ସଂଖ୍ୟାବଳ ନ ଥିଲେ ବି ଲୋକସଭା ଭଳି ରାଜ୍ୟସଭାରେ ବି ବିଲ୍କୁ ଜୋରଦାର ବିରୋଧ କରିଥିଲେ ବିରୋଧୀ ।
ତେବେ ସଚାର କମିଟି ରିପୋର୍ଟ ଦେଖାଇ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସେ କହିଥିଲେ, ସଂଶୋଧିତ ୱାକଫ୍ ଆଇନ ମୁସଲମାନଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେବ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ବିରୋଧୀ ଦଳ କେବଳ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ।
📱 Get Argus News App
✨
ମୁସଲିମ ସମ୍ପ୍ରଦାୟ ସ୍ଵାର୍ଥର ସୁରକ୍ଷା ସହିତ ମୁସଲିମ୍ ମହିଳାଙ୍କ ସଶକ୍ତିକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ୱାକଫ୍ ସମ୍ପତ୍ତିର ସୁପରିଚାଳନା ଲାଗି ୱାକଫ ବୋର୍ଡ ଓ ପରିଷଦରେ ଅଣ ମୁସଲିମଙ୍କୁ ସଭ୍ୟ ରଖାଯାଇଛି । ଅଧିକାଂଶ ସଭ୍ୟ ମୁସଲିମ ସମ୍ପ୍ରଦାୟରୁ ହିଁ ରହିବେ । ସେମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରାଯିବାର ପ୍ରଶ୍ନ ଉଠୁନାହିଁ ।
ରାଜ୍ୟସଭା ପୂର୍ବରୁ ଲୋକସଭାରେ ବୁଧବାର ୱାକଫ୍ ବିଲ୍ ଉପରେ ହୋଇଥିଲା ଦୀର୍ଘ ୧୨ ଘଣ୍ଟାର ମାରାଥନ ଚର୍ଚ୍ଚା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ରାତି ୨ଟାରେ ପାରିତ ହୋଇଥିଲା ବିଲ୍ । ସପକ୍ଷରେ ୨୮୮ ଓ ବିପକ୍ଷରେ ପଡ଼ିଥିଲା ୨୩୨ ଭୋଟ୍ ।
ବିଲ୍ ଅନୁସାରେ କେବଳ ପଞ୍ଜୀକୃତ ଜମି ମାଲିକ ହିଁ ୱାକଫ ବୋର୍ଡକୁ ଜମି ଦାନ କରିପାରିବେ । ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ୱାକଫ୍ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ-ପ୍ରାୟୋଜିତ ଅଡିଟରଙ୍କ ଦ୍ୱାରା ଅଡିଟ୍ କରାଯିବ । ଏକ କେନ୍ଦ୍ରୀୟ ପୋର୍ଟାଲ୍ ୱାକଫ୍ ସମ୍ପତ୍ତି ପରିଚାଳନାକୁ ସ୍ୱୟଂଚାଳିତ କରିବ । ସଂଶୋଧିତ ବିଲରେ ଅଣ-ମୁସଲମାନ ଓ ମହଳା ସଦସ୍ୟଙ୍କୁ କେନ୍ଦ୍ରୀୟ ଏବଂ ରାଜ୍ୟ ୱାକଫ୍ ବୋର୍ଡରେ ସାମିଲ କରିବାକୁ ପ୍ରସ୍ତାବ ରହିଛି ।