ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ, ବାଜିଲା ରାଷ୍ଟ୍ରପତିଙ୍କ ମୋହର

ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ । ବାଜିଲା ରାଷ୍ଟ୍ରପତିଙ୍କ ମୋହର । କଡ଼ା ବିରୋଧ ଭିତରେ ସାଧାରଣ ଗରିବ ମୁସଲମାନଙ୍କ ସ୍ବାର୍ଥରେ ସଂଶୋଧିତ ବିଲ। ଏବେ ସୁରକ୍ଷିତ ହେବ ଗରିବ ଓ ମହିଳାଙ୍କ ଅଧିକାର । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓ୍ୱାକ୍ଫ ନାଁରେ କିଛି ଲୋକ ମୁସଲିମ ଭାଇ, ଭଉଣୀଙ୍କୁ କରୁଥିଲେ ଶୋଷଣ । ଏଥିରେ ପୁର୍ଣ୍ଣଛେଦ ପକାଇଛି ବିଜେପି ସରକାର ।
ୱାକଫ୍ ସଂଶୋଧନ ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ଅନୁମୋଦନ । ଏହା ଏବେ ଆଇନରେ ପରିଣତ ହୋଇଛି । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ପୂର୍ବରୁ ଓ୍ୱାକଫ୍ ସଂଶୋଧନ ବିଲକୁ ନେଇ ଲୋକସଭା ଓ ରାଜ୍ୟସଭାରେ ବିସ୍ତୃତ ଆଲୋଚନା ହୋଇଥିଲା । ଲୋକସଭାରେ ୧୨ଘଣ୍ଟାର ଆଲୋଚନା ପରେ ବିଲ୍ ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ଟି ଭୋଟ୍ ପଡିଥିଲା । ରାଜ୍ୟସଭାରେ ୧୭ ଘଣ୍ଟାରୁ ଅଧିକ ସମୟ ହୋଇଥିଲା ବିତର୍କ । ଏହାପରେ ସପକ୍ଷରେ ୧୨୮ ଓ ବିପକ୍ଷରେ ୯୫ଟି ଭୋଟ ପଡିଥିଲା। ଓ୍ବାକଫ୍ ସଂଶୋଧନ ବିଲ୍ ସଂସଦରେ ଆଗତ ପୂର୍ବରୁ ୬ମାସ ଧରି ବିସ୍ତୃତ ଆଲୋଚନା ହୋଇଥିଲା । ଏଥିପାଇଁ ଜଗଦମ୍ବିକା ପାଲଙ୍କ ନେତୃତ୍ବରେ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇଥିଲା ।
ବିଲକୁ ନେଇ ଆଲୋଚନା ବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, କିପରି ଓ୍ୱାକଫ ସମ୍ପତ୍ତିକୁ ବିଭିନ୍ନ ସମୟରେ ଭଡାରେ ଦିଆଯାଇଥିଲା । ଓ୍ବାକ୍ଫ ସଂଶୋଧନ ଆଇନକୁ ସ୍ବାଗତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି- 'ଓ୍ୱାକଫ ନାଁରେ କିଛି ଲୋକ ମୁସଲିମ ଭାଇ, ଭଉଣୀଙ୍କୁ ଶୋଷଣ କରୁଥିଲେ' । ବିଜେପି ସରକାର ଏଥିରେ ପୁର୍ଣ୍ଣଛେଦ ପକାଇଛି ।
ଏବେ ସୁରକ୍ଷିତ ହେବ ମହିଳାଙ୍କ ଅଧିକାର । ବିଧବା, ଗରିବ, ଅସହାୟ ମହିଳାଙ୍କୁ ସହାୟତା । ଉପକୃତ ହେବେ ବିଧବା ମହିଳା, ଛାଡପତ୍ର ପାଇଥିବା ମହିଳା ଓ ଅସହାୟ ମହିଳା । ଓ୍ବାକଫ୍ ସମ୍ପତ୍ତିରୁ ସେମାନଙ୍କୁ ଏବେ ମିଳିପାରିବ ସହାୟତା । ଓ୍ବାକଫ୍ ପରିଚାଳନାରେ ମହିଳା ପ୍ରତିନିଧି ରହିବେ । ରାଜ୍ୟ ଓ୍ବାକଫ୍ ବୋର୍ଡରେ ଦୁଇ ଜଣ ମୁସଲିମ୍ ମହିଳା ସଦସ୍ୟ ରହିବେ । କେନ୍ଦ୍ରୀୟ ଓ୍ବାକଫ୍ କାଉନସିଲରେ ଦୁଇଜଣ ମୁସଲିମ୍ ମହିଳା ସଦସ୍ୟ ରହିବେ । ମହିଳା ଉତ୍ତରାଧିକାରୀଙ୍କୁ ଓ୍ବାକଫ୍ ବୋର୍ଡରୁ ସମ୍ପତ୍ତି ମିଳିବ । ଦୀର୍ଘଦିନରୁ ରହିଥିବା ଲିଙ୍ଗଗତ ବୈଷମ୍ୟ ଦୂର ହେବ ।
ମହିଳାଙ୍କୁ ମିଳିବ ସମାନତା ଓ ସାମାଜିକ ନ୍ୟାୟ । ଗରିବଙ୍କ ବିକାଶ ପାଇଁ ଅଧିକ ଅନୁଦାନ ମିଳିବ । ଡିଜିଟାଇଜେସନ ଯୋଗୁଁ ଆସିବ ସ୍ବଚ୍ଛତା । ଡିଜିଟାଲ ପୋର୍ଟାଲ ମାଧ୍ୟମରେ ଜମି ଚିହ୍ନଟ ଓ ପରିଚାଳନାରେ ସହାୟକ ହେବ । ସମ୍ପତ୍ତିର ଅପବ୍ୟବହାର ଓ ଜବରଦଖଲକୁ ରୋକାଯାଇପାରିବ । ଶିକ୍ଷା, ସ୍ବାସ୍ଥ୍ୟ, ଘର ନିର୍ମାଣ ଓ ଜୀବିକା ଉପାର୍ଜନ ପାଇଁ ଦିଆଯିବ ସହାୟତା । ନିୟମିତ ବ୍ୟବଧାନରେ ଅଡିଟ୍ ହେବା ଯୋଗୁଁ ଓ୍ବାକଫ୍ ବୋର୍ଡ ଉପରେ ବଢିବ ଆସ୍ଥା । ଓ୍ବାକଫ୍ ପରିଚାଳନାରେ ବିଭିନ୍ନ ମୁସଲିମ୍ ସମ୍ପ୍ରଦାୟର କର୍ମକର୍ତ୍ତା ସଦସ୍ୟ ରହିବେ । ୱାକଫ୍ ସଂଶୋଧନ ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବା ପରେ ସମଗ୍ର ରାଜ୍ୟରେ ଏହାକୁ ସ୍ବାଗତ କରାଯାଇଛି ।
ଅଲ ଇଣ୍ଡିଆ ମୁସଲିମ ଜାମାତର ପ୍ରେସିଡେଣ୍ଟ ମୌଲାନା ସାହାବୁଦ୍ଦିନ ରାଜଭୀ ୱାକଫ୍ ବିଲକୁ ନେଇ ପୂର୍ବରୁ କହିଥିଲେ ଏହି ବିଲ ଗରିବ ମୁସଲମାନଙ୍କୁ ଫାଇଦା ଦେବ। ଗରିବ ମୁସଲିମ ମହିଳା ଏହାଦ୍ବାରା ବିଶେଷ ଭାବେ ପ୍ରଭାବିତ ହେବ। ବର୍ତ୍ତମାନ ୱାକଫ୍ ବୋର୍ଡରେ ବ୍ୟାପକ ଦୁର୍ନୀତି ହେଉଛି। ଏହି ବିଲ ଆଇନରେ ପରିଣତ ହେଲେ ୱାକଫ ସମ୍ପତ୍ତି ପରିଚାଳନାକୁ ସୁବ୍ୟବସ୍ଥିତ ହେବ।
ପୂର୍ବରୁ ୱାକଫ୍ ବୋର୍ଡର ଏକଛତ୍ରବାଦ ଚାଲିଥିଲା । ଏପରିକି ୱାକଫ୍ ବୋର୍ଡ ବିରୋଧରେ କେହି କୋର୍ଟର ମଧ୍ୟ ଆଶ୍ରୟ ନେଇପାରୁନଥିଲେ । ଏହି ସଂଶୋଧିତ ବିଲ ଏବେ ଆଇନରେ ପରିଣତ ହେବା ପରେ ୱାକଫ୍ ବୋର୍ଡର ଏକଛତ୍ରବାଦ ଉପରେ ଲାଗିଛି ରୋକ ।