ଲୋକସଭାରେ ପାରିତ ହେଲା ୱାକଫ୍ ସଂଶୋଧନ ବିଧେୟକ

ଲୋକସଭାରେ ପାରିତ ହେଲା ୱାକଫ୍ ସଂଶୋଧନ ବିଧେୟକ। ବିଲ୍ ସପକ୍ଷରେ ପଡ଼ିଲା 288 ଭୋଟ୍। ବିପକ୍ଷରେ 232 ଭୋଟ୍। 12 ଘଣ୍ଟାରୁ ଅଧିକ ସମୟର ଆଲୋଚନାରେ ମୋଦି ସରକାର ରଖିଲେ କଡ଼ା ଆଭିମୁଖ୍ୟ। ଗୃହମନ୍ତ୍ରୀ କହିଲେ, ଦେଶରେ ୮.୭୨ ଲକ୍ଷ ୱାକଫ୍ ସଂପତ୍ତି ଥିବା ସତ୍ବେ ସଂଖ୍ୟାଲଘୁ ଗରିବ କାହିଁକି। ମୁସଲମାନଙ୍କ ଧାର୍ମିକ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଯାଉଥିବା ବିରୋଧୀଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ କଲେ ଖଣ୍ଡନ ।
ବହୁଚର୍ଚ୍ଚିତ ଓ୍ବାକଫ୍ ବିଲକୁ ଲୋକସଭାରେ ପାସ ହୋଇଛି। ବିଲ୍ ଉପରେ ୮ ଘଣ୍ଟା ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଦାବି ମୁତାବକ ଏହା ୧୨ ଘଣ୍ଟାକୁ ବୃଦ୍ଧି ପାଇଥିଲା। ଶାସକ ଏନ୍ଡିଏ ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ବିତର୍କ ପରେ ରାତି ସାଢ଼େ ୧୨ଟାରେ ଭୋଟ୍ ଗ୍ରହଣ ହୋଇଥିଲା ଏବଂ ବାଚସ୍ପତି ଓମ୍ ବିର୍ଲା ଏହାପରେ ଫଳାଫଳ ଘୋଷଣା କରିଥିଲେ। ବିଲ ସପକ୍ଷରେ ୨୮୮ କିଏ ମତଦାନ କରିଥିବା ବେଳେ ଏହାକୁ ୨୩୨ ଜଣ ବିରୋଧ କରିଥିଲେ।
ବିଲ୍ ସପକ୍ଷରେ ସରକାର ଦୃଢ଼ ଯୁକ୍ତି ରଖିଥିଲେ। ସଂଖ୍ୟାଲଘୁ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିକୁ କହିଛନ୍ତି ମୁସଲମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରିବା ଏହି ବିଲର ଉଦ୍ଦେଶ୍ୟ ନୁହେଁ। ଏହି ବିଲ୍ ଅସାମ୍ବିଧାନିକ ନୁହେଁ। ୱାକଫ୍ ସଂପତ୍ତିର ପରିଚାଳନାରେ ସ୍ବଚ୍ଛତା ଆଣିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ବାରା ଲକ୍ଷଲକ୍ଷ ଗରିବ ମୁସଲିମ ଲାଭବାନ ହେବେ । ଆଲୋଚନାରେ ଅଂଶ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ମୁସଲିମ ସମୁଦାୟକୁ ଆତଙ୍କିତ କରିବା ଲାଗି ବିରୋଧୀ ଦଳ ଏହି ବିଲକୁ ନେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି।