ସଂସଦର ଉଚ୍ଚ ସଦନରେ ୱାକଫ୍ ବିଲ୍ ବିତର୍କ: ହ୍ଵିପ୍ ଜାରି କଲାନି ବିଜେଡି, ସାଂସଦଙ୍କ ବିବେକ ଅନୁଯାୟୀ ଭୋଟ୍ ଦେବାକୁ ନିଷ୍ପତ୍ତି

ରାଜ୍ୟସଭାରେ ଐତିହାସିକ ୱାକଫ୍ ସଂଶୋଧନ ବିଲ୍କୁ ନେଇ ଚର୍ଚ୍ଚା । ସଂଖ୍ୟାବଳ ନ ଥିଲେ ବି ଲୋକସଭା ଭଳି ରାଜ୍ୟସଭାରେ ବି ବିଲ୍କୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ । ତେବେ ସଚାର କମିଟି ରିପୋର୍ଟ ଦେଖାଇ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।
କମିଟି ରିପୋର୍ଟ ଅନୁସାରେ, ୨୦୦୬ରେ ୱାକଫ୍ ବୋର୍ଡ ହାତରେ ଥିଲା ମୋଟ ୪.୯ ଲକ୍ଷ ସମ୍ପତ୍ତି ରହଥିଲା । ଯାହାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ରହିଥିଲା । କିନ୍ତୁ ୨୦୨୪ ସୁଦ୍ଧା ୱାକଫ୍ ବୋର୍ଡର ସମ୍ପତ୍ତି ସଂଖ୍ୟା କେମିତି ୮.୭୨ ଲକ୍ଷ ଅତିକ୍ରମ କଲା ବୋଲି ପ୍ରଶ୍ନ କରିଛନ୍ତି କିରଣ ରିଜିଜୁ ।
ୱାକଫ୍ ସଂଶୋଧନ ବିଲ୍କୁ ନେଇ ଆଭିମୁଖ୍ୟ ବଦଳାଇଛି ବିଜେଡି । ବିରୋଧ ନ କରି ବିବେକ ଅନୁଯାୟୀ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ପାର୍ଟି ପକ୍ଷରୁ କୌଣସି ହ୍ଵିପ୍ ଜାରି ହୋଇ ନାହିଁ ବୋଲି ସେ ଲେଖିଛନ୍ତି ।
ଗତକାଲି ଲୋକସଭାରେ ୱାକଫ୍ ବିଲ୍ ଉପରେ ହୋଇଥିଲା ଦୀର୍ଘ ୧୨ ଘଣ୍ଟାର ମାରାଥନ ଚର୍ଚ୍ଚା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ରାତି ୨ଟାରେ ପାରିତ ହେଲା ବିଲ୍ । ସପକ୍ଷରେ ୨୮୮ ଓ ବିପକ୍ଷରେ ପଡ଼ିଲା ୨୩୨ ଭୋଟ୍ । ଏପଟେ ରାଜ୍ୟସଭାରେ ବି ସଂଖ୍ୟା ଗଣିତରେ ଢେର ଆଗରେ ରହିଛି ଏନଡିଏ । ରାଜ୍ୟସଭାରେ ୯୮ ବିଜେପି ସଦସ୍ୟ ରହିଥିବାବେଳେ ସହଯୋଗୀ ଜେଡିୟୁର ୪, ଏନସିପିର ୩ , ଟିଡିପିର ଦୁଇ ଓ ଛଅଜଣ ମନୋନୀତ ସଦସ୍ୟଙ୍କୁ ମିଶାଇଲେ ଏନଡିଏ ସଦସ୍ୟ ସଂଖ୍ୟା ୧୨୫ ରହିଛି ।
📱 Get Argus News App
✨
ବିରୋଧୀ ଇଣ୍ଡି ମେଣ୍ଟ ସପକ୍ଷରେ ଅଛନ୍ତି ମାତ୍ର ୮୮ ଜଣ ସାଂସଦ । ବିଲକୁ ଆଇନରେ ପରିଣତ କରି ୱାକଫ୍ ବୋର୍ଡ ଗୁଡିକରେ ଦୁର୍ନୀତି ଓ ପରିଚାଳନାରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଲ୍ ଅନୁସାରେ କେବଳ ପଞ୍ଜୀକୃତ ଜମି ମାଲିକ ହିଁ ୱାକଫ ବୋର୍ଡକୁ ଜମି ଦାନ କରିପାରିବେ ।
୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ୱାକଫ୍ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ-ପ୍ରାୟୋଜିତ ଅଡିଟରଙ୍କ ଦ୍ୱାରା ଅଡିଟ୍ କରାଯିବ । ଏକ କେନ୍ଦ୍ରୀୟ ପୋର୍ଟାଲ୍ ୱାକଫ୍ ସମ୍ପତ୍ତି ପରିଚାଳନାକୁ ସ୍ୱୟଂଚାଳିତ କରିବ । ସଂଶୋଧିତ ବିଲରେ ଅଣ-ମୁସଲମାନ ଓ ମହଳା ସଦସ୍ୟଙ୍କୁ କେନ୍ଦ୍ରୀୟ ଏବଂ ରାଜ୍ୟ ୱାକଫ୍ ବୋର୍ଡରେ ସାମିଲ କରିବାକୁ ରହିଛି ପ୍ରସ୍ତାବ ।
ସଂସଦରେ ୱାକଫ ବିଲ୍ କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଭୋପାଳ, ଜମ୍ମୁ କାଶ୍ମୀର ସମେତ ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ସଂଗଠନ ସଂଶୋଧିତ ବିଲକୁ ସମର୍ଥନ କରିବା ସହ ସରକାରଙ୍କୁ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି । ବଜେଟ ଅଧିବେଶନର ଆଜି ଶେଷ ଦିନ ହୋଇଥିବାରୁ ଚର୍ଚ୍ଚା ପରେ ରାଜ୍ୟସଭାରେ ୱାକଫ ବିଲ୍ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।