ଓ୍ୱାକଫ୍ ସଂଶୋଧନ ବିଲ୍ ଉପରେ ୮ ଘଣ୍ଟିଆ ଆଲୋଚନା

ଏପ୍ରିଲ ଦୁଇ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ସଂଶୋଧନ ବିଧେୟକ । ବିଲ୍ ଉପରେ ୮ ଘଣ୍ଟାର ହେବ ବିତର୍କ । ଆଲୋଚନା ପରେ ଲୋକସଭାରେ କାଲି ହୋଇପାରେ ବିଲ୍ ପାସ୍ । ଗୁରୁବାର ରାଜ୍ୟସଭାରେ ବିଲ୍ ପାସ ପାଇଁ ସରକାର କରିବେ ପ୍ରୟାସ । ବିଲ୍କୁ ବିରୋଧ କରିବା ନେଇ ବିପକ୍ଷ ଦେଇସାରିଛନ୍ତି ସଙ୍କେତ । ବିଲ୍ ସଂଶୋଧନ ହେଲେ ୱାକଫ୍ ବୋର୍ଡର ଏକଛତ୍ରବାଦ ଉପରେ ଲାଗିବ ରୋକ୍ ।
ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ବହୁ ବିତର୍କିତ ୱାକଫ୍ ସଂଶୋଧନ ବିଧେୟକ। ମଧ୍ୟାହ୍ନ ୧୨ଟାରେ ବିଲ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ବିଲ ଉପରେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଜନେସ ଆଡଭାଇଜରୀ କମିଟି ବୈଠକରେ ବିରୋଧୀଙ୍କ ପକ୍ଷରୁ ୧୨ ଘଣ୍ଟା ଚର୍ଚ୍ଚା ପାଇଁ ଦାବି କରାଯାଇଥିଲା। ଯଦି ଆବଶ୍ୟକ ପଡ଼େ ଆଲୋଚନା ସମୟ ବଢିପାରେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଆସନ୍ତାକାଲି ହିଁ ଲୋକସଭାରେ ବିଲ୍ ପାସ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର।
ଏହାପରେ ବିଲକୁ ରାଜ୍ୟସଭାରେ ବି ଉପସ୍ଥାପନ କରାଯିବ। ଏପ୍ରିଲ ୪ରେ ସଂସଦର କାର୍ଯ୍ୟକାଳ ଶେଷ ହେଉଥିବାରୁ, ଏହା ପୂର୍ବରୁ ବିଲକୁ ଉଭୟ ସଦନରେ ପାସ କରାଇବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର।
ଲୋକସଭାରେ ବିଲ୍ ପାସ କରିବାକୁ ସରକାରଙ୍କୁ ବିଶେଷ କିଛି ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିନପାରେ। କାରଣ ସରକାରଙ୍କ ସପକ୍ଷରେ ଆବଶ୍ୟକଠାରୁ ଅଧିକ ସାଂସଦଙ୍କ ସମର୍ଥନ ରହିଛି। ସେହପିର ରାଜ୍ୟସଭାରେ ବିଲ ପାସ କରାଇବାରେ ମଧ୍ୟ ବିଶେଷ ଅସୁବିଧା ହୋଇନପାରେ। ରାଜ୍ୟସଭାରେ କଣ ରହିବ ଭୂମିକା ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ନଜ ଆଭିମୁଖ୍ୟ ସ୍ପଷ୍ଚ କରିନାହିଁ। ଆସନ୍ତାକାଲି ନିଜର ସବୁ ସାଂସଦଙ୍କୁ ଦିନ ତମାମ ଗୃହରେ ଉପସ୍ଥିତ ରହିବାକୁ ତିନି ଲାଇନ୍ ହ୍ୱିପ୍ ଜାରି କରିଛି ବିଜେପି।
୧୯୫୪ ମସିହାରେ ତତକାଳୀନ ଜବାହାରଲାଲ ନେହରୁ ସରକାର ଓ୍ବାକଫ୍ ଆଇନ୍ ଆଣିଥିଲେ । ୧୯୯୫ ମସିହାରେ ଏଥିରେ ସଂଶୋଧନ ଅଣାଯାଇ ସବୁ ରାଜ୍ୟରେ ଓ୍ବାକଫ୍ ବୋର୍ଡ ଗଠନ କରାଯାଇଥିଲା । ଅନେକ ସମ୍ପତ୍ତିକୁ ବିନା ଅନୁମତିରେ ଜବରଦଖଲ କରିବା ନେଇ ଅଭିଯୋଗ ପରେ ଏହାର କାର୍ଯ୍ୟପ୍ରଣାଳୀକୁ ନେଇ ସୃଷ୍ଟି ହୋଇଥିଲା ବଡ଼ ପ୍ରଶ୍ନ । ତେଣୁ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ୱାକଫ୍ ବୋର୍ଡ଼ ସଂଶୋଧନ ବିଧେୟକ ଉପସ୍ଥାପନ କରି ଏହାକୁ ଜେପିସିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ବିଲରେ ଥିବା ପ୍ରସ୍ତାବିତ ୪୪ ସଂଶୋଧନ ମଧ୍ୟରୁ ୧୪ ସଂଶୋଧନ ଜେପିସି ସ୍ବୀକାର କରିଥିଲା । ଯେଉଁ ବର୍ଗଙ୍କୁ ୱାକଫ୍ ବୋର୍ଡରେ ଆଜି ପର୍ଯ୍ୟନ୍ତ ସ୍ଥାନ ମିଳିପାରିନଥିଲା ସେମାନଙ୍କୁ ହକ୍ ଦେବା ଉଦ୍ଦେଶ୍ୟରେ ଅଣାଯାଇଛି ଏହି ବିଧେୟକ । ବିଲ ସଂଶୋଧିତ ହେଲେ ୱାକଫ୍ ବୋର୍ଡର ଏକଛତ୍ରବାଦ ଉପରେ ଲାଗିବ ରୋକ୍।
