Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Biogas / ଆଉ ଚିନ୍ତା ନାହିଁ ଅଳିଆ ଆବର୍ଜନାରୁ ରୋଷେଇ ଗ୍ୟାସ୍

Rashmita Mishra
Browse all articles by Rashmita Mishra
·3 months ago·2 min read
ଆଉ ଚିନ୍ତା ନାହିଁ ଅଳିଆ ଆବର୍ଜନାରୁ ରୋଷେଇ ଗ୍ୟାସ୍
Biogas

Key Points

ଅଳିଆ ଆବର୍ଜନାରୁ ରୋଷେଇ ଗ୍ୟାସ୍
LPG ସଂକଟ ମେଣ୍ଟାଇବ ଶୁଖିଲା ପତ୍ର
IIT ବମ୍ବେର ମାଷ୍ଟର ଷ୍ଟ୍ରୋକ୍
'ବାୟୋମାସ୍ ଗ୍ୟାସିଫିକେସନ୍'

ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଚାରିଆଡ଼େ ହାହାକାର ! ସାରା ବିଶ୍ୱରେ ଏବେ LPG ବା ରନ୍ଧନ ଗ୍ୟାସ୍‌ର ଉତ୍କଟ ସଙ୍କଟ । ହେଲେ ଏହି ବଡ଼ ସମସ୍ୟାର ସମାଧାନ ବାହାର କରିଛି ଭାରତ । ଆମ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIT ବମ୍ବେ ଏମିତି ଏକ ଚମତ୍କାର କରିଛି, ଯାହା ଏବେ ସାରା ଦୁନିଆ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେଉଁ ଶୁଖିଲା ପତ୍ରକୁ ଆମେ ଅଳିଆ ଭାବି ଫିଙ୍ଗିଦେଉ କିମ୍ବା ଜାଳିଦେଉ, ସେହି ପତ୍ର ଏବେ ରୋଷେଇ ଗ୍ୟାସ୍‌ର ବିକଳ୍ପ ସାଜିଛି । ବଞ୍ଚାଉଛି ଲକ୍ଷ ଲକ୍ଷ ଟଙ୍କା ଏବଂ ପ୍ରଦୂଷଣରୁ ଦେଉଛି ମୁକ୍ତି ।

ବର୍ତ୍ତମାନ ସମୟରେ ରୋଷେଇ ଗ୍ୟାସ୍‌ର ଦର ଆକାଶଛୁଆଁ ହେଉଥିବା ବେଳେ, ଏହାର ଅଭାବ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ସଂକଟ ସମୟରେ IIT ବମ୍ବେର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱଦେଶୀ ଜ୍ଞାନକୌଶଳ । ଏହାର ନାଁ ହେଉଛି ‘ବାୟୋମାସ୍ ଗ୍ୟାସିଫିକେସନ୍’। ଏହି ଟେକ୍ନୋଲୋଜି ସାହାଯ୍ୟରେ ଶୁଖିଲା ପତ୍ରରୁ ଏମିତି ଗ୍ୟାସ୍ ତିଆରି କରାଯାଉଛି, ଯାହା ସିଧାସଳଖ ବଡ଼ ବଡ଼ କ୍ୟାଣ୍ଟିନ୍‌ରେ ରୋଷେଇ ପାଇଁ ବ୍ୟବହାର ହେଉଛି ।

୨୦୧୪ରୁ ୨୦୨୬ର ସଫଳ କାହାଣୀ
ପ୍ରଫେସର ସଞ୍ଜୟ ମହାଜନୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ପ୍ରୋଜେକ୍ଟ । କ୍ୟାମ୍ପସରେ ଜମା ହେଉଥିଲା କୁଢ଼ କୁଢ଼ ଶୁଖିଲା ପତ୍ର । ଏହାର ସଠିକ୍ ବ୍ୟବହାରର ଥିଲା ବଡ଼ ଲକ୍ଷ୍ୟ, ପ୍ରଥମେ ପ୍ରଥମେ ଏଥିରୁ ବହୁତ ଧୂଆଁ ବାହାରିଲା । ରୋଷେଇଆମାନେ ଏହାକୁ ବିରୋଧ କଲେ । କିନ୍ତୁ ବୈଜ୍ଞାନିକମାନେ ହାର୍ ମାନିଲେ ନାହିଁ । ୨୦୧୭ରେ ଏହି ପ୍ରୋଜେକ୍ଟରେ ସାମିଲ ହେଲେ ପ୍ରଫେସର ସନ୍ଦୀପ କୁମାର... ସେ ଏହାର ବର୍ଣ୍ଣର୍ ଡିଜାଇନ୍‌କୁ ଅଧିକ ଉନ୍ନତ କଲେ । ଆଜି ଏହି ସିଷ୍ଟମ ସଫଳତାର ସହ IIT କ୍ୟାମ୍ପସର ଷ୍ଟାଫ୍ କ୍ୟାଣ୍ଟିନ୍‌ରେ ଚାଲୁଛି । ଯେଉଁ ରୋଷେଇଆମାନେ ପୂର୍ବରୁ ବିରୋଧ କରୁଥିଲେ, ଏବେ ସେମାନେ ଏହି ନୂଆ ଚୁଲାରେ ଖୁବ୍ ଆରାମରେ ଶୀଘ୍ର ରୋଷେଇ କରିପାରୁଛନ୍ତି ।

ଏହି ଟେକ୍ନୋଲୋଜିର ବଡ଼ ଫାଇଦା
ଏହି ବିଶେଷ ପ୍ରକଳ୍ପ ଦ୍ୱାରା ଅନେକ ବଡ଼ ଫାଇଦା ମିଳୁଛି । କ୍ୟାଣ୍ଟିନ୍‌ରେ LPGର ବ୍ୟବହାର ପ୍ରାୟ ୪୦% କମିଯାଇଛି । ଏହାର ନିର୍ଗମନ ସ୍ତର ୨୦ PPMରୁ ମଧ୍ୟ କମ୍ । ଯାହା ପରିବେଶ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । ବାର୍ଷିକ ପ୍ରାୟ ୮ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ କମିଛି ।

IIT ବମ୍ବେ ଏହି ଟେକ୍ନୋଲୋଜିର ଲାଇସେନ୍ସ Infixen Energy Pvt. Ltd. ନାମକ ଏକ କମ୍ପାନୀକୁ ଦେଇଛି । ଏବେ ଏହାକୁ ବଡ଼ ବଡ଼ ହଷ୍ଟେଲରେ ଲଗାଇବାକୁ ପ୍ରସ୍ତୁତି ଚାଲିଛି । ଯଦି ଏହା ସମ୍ପୂର୍ଣ୍ଣ ଭାବେ ଲାଗୁ ହୁଏ, ତେବେ ବାର୍ଷିକ ପ୍ରାୟ ୫୦ ଲକ୍ଷ ଟଙ୍କା ବଞ୍ଚିବ । ୯୦ ଟନ୍ ଏଲ୍‌ପିଜି ଗ୍ୟାସ୍ ବଞ୍ଚାଯାଇ ପାରିବ । ୩୦୦ ଟନ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଯିବାରୁ ରକ୍ଷା ପାଇବ।

ଆଇଆଇଟି ବମ୍ବେର ଏହି ପ୍ରୟାସ ପ୍ରମାଣ କରିଛି ଯେ ଯଦି ଆମ ପାଖରେ ସଠିକ୍ ଜ୍ଞାନକୌଶଳ ଥାଏ, ତେବେ ଆମେ ବର୍ଜ୍ୟବସ୍ତୁରୁ ବି ଶକ୍ତି ଉତ୍ପନ୍ନ କରିପାରିବା । ଏହି ମଡେଲ୍ ଆଗାମୀ ଦିନରେ ସାରା ବିଶ୍ୱକୁ ଶକ୍ତି ସଙ୍କଟରୁ ମୁକ୍ତି ଦେବାରେ ଏକ ବଡ଼ ଦିଶା ଦେଖାଇବ । ଆଶା କରାଯାଉଛି ଏହି ଟେକ୍ନୋଲୋଜି ଖୁବ୍ ଶୀଘ୍ର ଆମ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଉପଯୋଗ ହେବ ଏବଂ ଏଲ୍‌ପିଜି ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Biogas | No More Worry: Cooking Gas Now Made from Waste | Argus News