Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

TMC Leader Aroop Biswas Resigned / ମେସିଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା, ମନ୍ତ୍ରୀ ପଦ ହରାଇଲେ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ମେସିଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା, ମନ୍ତ୍ରୀ ପଦ ହରାଇଲେ
Lionel Messi

Key Points

ବିଧାନନଗର ପୋଲିସ କମିଶନରଙ୍କୁ ମଧ୍ୟ ଅଫିସିଆଲି କୈଫତ ମାଗିଛନ୍ତି ସରକାର ।

ମେସିଙ୍କ ଭାରତ ଗସ୍ତ ସାରା ବିଶ୍ୱ ଦେଖିଲା । ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଲା । ଆଉ ମେସିଙ୍କ ପାଇଁ ପଶ୍ଚିମବଙ୍ଗର ଏକ ଷ୍ଟାଡିୟମରେ ଯାହା ଘଟିଲା, ତା' ଉପରେ ବି ସାରା ଦେଶର ନଜର ରହିଲା । ଏହି ବିଶୃଙ୍ଖଳା କାଳ କାଳ ପାଇଁ ଲୋକଙ୍କ ମନରେ ରହିଯିବ । ତେବେ ଏହାରି ଭିତରେ ଆଉ ଏକ ବଡ଼ ଘଟଣା ଘଟିଯାଇଛି । ଆଉ ତାହା ହେଲା ପଶ୍ଚିମବଙ୍ଗରେ ଆୟୋଜିତ ମେସି କାର୍ଯ୍ୟକ୍ରମରେ ଯେଉଁ ବିଭ୍ରାଟ ଘଟିଲା, ସେଥିପାଇଁ ଜଣେ ମନ୍ତ୍ରୀଙ୍କ ପଦ ଗଲା ।

ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ବାସ ଏଥିପାଇଁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ମମତାଙ୍କ ସରକାର ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାପ ପକାଇଲେ । ଯାହାଫଳରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଖାଲି ସେତିକି ନୁହେଁ ଏହି ଘଟଣା ପାଇଁ ବେଙ୍ଗଲ ପୋଲିସ ମହାନିର୍ଦ୍ଦେଶକଙ୍କୁ ସୋ କଜ୍‌ ନୋଟିସ ମଧ୍ୟ ଦିଆଯାଇଛି । ବିଧାନନଗର ପୋଲିସ କମିଶନରଙ୍କୁ ମଧ୍ୟ ଅଫିସିଆଲି କୈଫତ ମାଗିଛନ୍ତି ସରକାର ।

ଉଭୟଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ସରକାର । ସେହିଭଳି ବିଧାନନଗର ଡିସିପିଙ୍କୁ ମଧ୍ୟ ଏହି ଘଟଣା ପାଇଁ ସସ୍‌ପେଣ୍ଡ କରାଯାଇଛି । ଆଉ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ମେସିଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ଯାହା ଘଟିଲା, ତାହା ଭାରତର ସମ୍ମାନ ପ୍ରତି ଆଞ୍ଚ ବୋଲି କହିଲେ ଭୁଲ ହେବନି । କାରଣ ବିଶ୍ୱର ଜଣେ ବଡ଼ ଖେଳାଳି ଭାରତକୁ ଅତିଥି ଭାବେ ଆସିଥିଲେ । ଏଥିପାଇଁ ପ୍ରାୟ ଦେଢ଼ ଶହ କୋଟି ଖର୍ଚ୍ଚ ହୋଇଥିଲା ବୋଲି ମଧ୍ୟ କୁହାଯାଉଛି । ହେଲେ ସେଠାରେ ଷ୍ଟାଡିୟମରେ ଦର୍ଶକମାନେ ଚେୟାର ଭାଙ୍ଗିଲେ, ହୋର୍ଡିଂ ଚିରିଲେ, ପାଣି ବୋତଲ ମାରିଲେ, ପଡ଼ିଆ ମଧ୍ୟକୁ ପ୍ରବେଶ କରି ହଙ୍ଗାମା କଲେ, ଷ୍ଟାଡିୟମକୁ ଛିନ୍‌ଛତ୍ର କଲେ । ଯାହା ଫଳରେ ଅତିଥିଙ୍କ ଆଗରେ ଲଜ୍ଜିତ ହେଲା ପଶ୍ଚିମବଙ୍ଗ ଓ ଭାରତ ।

ମେସିଙ୍କୁ ଦେଖିବା ପାଇଁ ୫ ହଜାରରୁ ଆରମ୍ଭ କରି ୨୫ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରି ଟିକେଟ କିଣିଥିଲେ ଦର୍ଶକ । ହେଲେ ମେସିଙ୍କର ଝଲକ୍‌ ଟିକେ ବି ପାଇଲେନି । କେତେବେଳେ ମେସି ପଡ଼ିଆକୁ ଆସିଲେ ଆଉ କେତେବେଳେ ଚାଲିଗଲେ ତାହା ଦର୍ଶକ ଜାଣିପାରିଲେନି । କାରଣ ମେସିଙ୍କ ଚାରିପଟେ ଘେରି ରହିଥିଲେ, ରାଜନେତା ଓ ଅନ୍ୟ ବ୍ୟକ୍ତିମାନେ । ଯେଉଁଥିପାଇଁ ଚିହିଁକି ଉଠିଥିଲେ ଦର୍ଶକ । ଆଉ ଷ୍ଟାଡିୟମରେ କରିଥିଲେ ହଙ୍ଗାମା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
TMC Leader Aroop Biswas Resigned | West Bengal Sports Minister Aroop Biswas Resigns After Chaos At Messi Event In Kolkata | Argus News