ପଦ୍ମ ପୁରସ୍କାର ପାଇଲେ କେତେ ଟଙ୍କା ମିଳେ ?

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୫ ଜାନୁୟାରୀ ୨୦୨୫ରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବା ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କୁ କ'ଣ ମିଳେ ସୁବିଧା ସୁଯୋଗ ?
ପଦ୍ମ ବିଜେତାଙ୍କୁ କ'ଣ ସୁବିଧା ମିଳେ ?
ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର। ଭାରତୀୟ ନାଗରିକଙ୍କ ତାଙ୍କ ଅସାଧାରଣ କାର୍ଯ୍ୟ ଓ ଉପଲବ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରିଥାନ୍ତି। ୧୯୫୪ ମସିହାରେ ପ୍ରଥମ ଥର କରି ପଦ୍ମ ପୁରସ୍କାର ପ୍ରଦାନ ଆରମ୍ଭ ହୋଇଥିଲା। ତେବେ ମଝିରେ ୧୯୭୮,୧୯୭୯,୧୯୯୩,୧୯୯୭ ରେ ବିଭିନ୍ନ କାରଣ ପାଇଁ ଦିଆଯାଇନଥିବା ବେଳେ ବାକି ବର୍ଷମାନଙ୍କରେ ପ୍ରଦାନ କରାଯାଇ ଆସୁଛି। ଏହା ସରକାରୀ କର୍ମଚାରୀମାନଙ୍କୁ ଦିଆଯାଏ ନାହିଁ। ବ୍ୟକ୍ତିଗତ ସ୍ତରରେ କରିଥିବା କାର୍ଯ୍ୟ ପାଇଁ ଦିଆଯାଏ।
📱 Get Argus News App
✨କେଉଁକେଉଁ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳେ ପଦ୍ମ ପୁରସ୍କାର?
ଶିକ୍ଷା, ସାହିତ୍ୟ, କ୍ରୀଡା, ଚିକିତ୍ସା, ବିଜ୍ଞାନ, ସାମାଜିକ କାର୍ଯ୍ୟ, ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟକରି ପାଇଥିବା ସଫଳତାକୁ ଭତ୍ତି କରି ପ୍ରଦାନ କରାଯାଇଥାଏ ପଦ୍ମ ପୁରସ୍କାର। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପ୍ରଦାନ କରାଯାଇଏ। ଭାରତ ରତ୍ନ ପରେ ଏହା ସର୍ବୋଚ୍ଚ ସମ୍ମାନ ବୋଲି ବିବେଚନା କରାଯାଏ। ଏହି ସମ୍ମାନ ଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଏଥିରେ ରାଷ୍ଟ୍ରପତିଙ୍କ ଦସ୍ତଖତ ଥିବା ଏକ ପ୍ରମାଣପତ୍ର ସହ ପଦକ ପ୍ରଦାନ କରାଯାଏ। ତେବେ କୌଣସି ଅର୍ଥରାଶି ପ୍ରଦାନ କରାଯାଏ ନାହିଁ। ତେବେ ଏଇ ନିକଟରେ ଓଡ଼ିଶା ସରକାର ପଦ୍ମ ବିଜେତାଙ୍କ ପାଇଁ ବଡ ଘୋଷଣା କରିଥିଲେ। ପଦ୍ମ ପୁରସ୍କାର ବିଜେତାଙ୍କ ପାଇଁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ଘୋଷଣା କରିଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଅତିରିକ୍ତ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ।