କୋଲକତା ଗଣଦୁଷ୍କର୍ମ : ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Key Points
- କୋଲକତା ଗଣଦୁଷ୍କର୍ମ : ଆସିଲା ପୋଷ୍ଟମର୍ଟମ ରିପୋର୍ଟ
- ପୀଡ଼ିତାଙ୍କ ଶରୀରର ୧୪ ଜାଗାରେ ଅଛି କ୍ଷତ ଚିହ୍ନ
- ଦୁଷ୍କର୍ମ ପରେ ତଣ୍ଟି ଚିପି କରାଯାଇଛି ହତ୍ୟା
ଅର୍ଗସ ବ୍ୟୁରୋ : କୋଲକତା ଦୁଷ୍କର୍ମକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯିବା ପରେ ତଣ୍ଟି ଚିପି ଅତି ନୃଶଂସ ଭାବରେ କରାଯାଇଛି ହତ୍ୟା । ଖାଲି ଏତିକି ନୁହେଁ ବରଂ ମୁହଁ, ଓଠ, ଗାଲ, କାନ୍ଧ, ଆଣ୍ଠୁ ସହିତ ଶରୀରରେ ମୋଟ୍ ୧୪ ଟି ଗଭୀର କ୍ଷତ ରହିଛି । ଏହାସହ ସମ୍ବେଦନଶୀଳ ଅଙ୍ଗରେ ରହିଛି ଗଭୀର କ୍ଷତ ଚିହ୍ନ ଏବଂ ଫୁସଫୁସରେ ହୋଇଛି ପ୍ରବଳ ରକ୍ତସ୍ରାବ । ପୋଷ୍ଟମର୍ଟମ ରିପୋର୍ଟରୁ ଏ ସବୁ ତଥ୍ୟ ମିଳିବା ପରେ ଆପଣ ବି ଅନୁମାନ କରିପାରୁଥିବେ କେଉଁ ପରି ଭାବରେ ପୀଡ଼ିତାଙ୍କ ସହ ଅମାନବୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ ।
ଛାତି ଧରାଇଦେଲା ପରି, ବର୍ବରତାର ସବୁ ସୀମା ପାର, ନୃଶଂସ ପାଲିଟିଯାଇଥିଲା ମଣିଷ । ସେଇଥି ଲାଗି ତ ନିଜ ଯୌନ ଭୋକ ମେଣ୍ଟାଇବାକୁ ସାଧରଣ ଯୁବତୀଙ୍କ ଉପରେ ପକାଇଥିଲା ଲୋଲୁପ ଦୃଷ୍ଟି । କେବଳ ଯେ ଦୁଷ୍କର୍ମ କଲା ତାହା ନୁହେଁ ବରଂ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ବି ପଛାଇଲା ନାହିଁ । ପ୍ରଥମେ ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା । ହେଲେ ପରିବାର ଲୋକ ଏହାକୁ ମାନିବାକୁ ନାରାଜ ଥିଲେ । ଆଉ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା କି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଛି । ବାସ୍ ମାମଲା ଜଣାପଡ଼ିବା ପରେ କେବଳ କୋଲକତା ନୁହେଁ ବରଂ ପୁରା ଦେଶରେ ଦେଖାଯାଇଥିଲା ଆନ୍ଦୋଳନ । କେମିତି ପୀଡ଼ିତା ନ୍ୟାୟ ପାଇବେ ସେନେଇ ଜୋରଦାର ଦାବି କରିଥିଲା । ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ଆଉ ଏହାରି ଭିତରେ ରିପୋର୍ଟ ଆସିଥିବାରୁ ପୋଲିସ ପ୍ରଥମେ ମିଛ କହିଥିବାର ପ୍ରମାଣ ମିଳିଲା ।
ଦିନ ଯେତିକି ଯେତିକି ଗଡୁଛି, ଆନ୍ଦୋଳନ ବି ସେତିକି ବଢୁଛି । ଅଭିଯୋଗ ହୋଇଛି କି, ମାମଲାକୁ ଚାପି ଦେବାକୁ ପୁରା ଚେଷ୍ଟା କରିଥିଲେ ପଶ୍ଚିମବଙ୍ଗ ସରକାର । ଏହାସହ ଦିଦି କୁଆଡ଼େ ମୁହଁ ବନ୍ଦ କରିବାକୁ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଦେଇଥିବା ନେଇ ଅଭିଯୋଗ ଆସିଥିଲା । ତେବେ ଗତ ବୁଧବାର ରାତିରେ ମେଡିକାଲରେ ପଶି ଯେଉଁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ ସେମାନେ ମମତାଙ୍କ ଦଳର ଲୋକ ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ଦିଦିଙ୍କ ଉପରେ ସନ୍ଦେହ ବଢିଛି । ଏପଟେ, ପୋଷ୍ଟ ମର୍ଟମ ରିପୋର୍ଟରୁ ଅନେକ କଥା ସ୍ପଷ୍ଟ ହୋଇଥିବା ବେଳେ ଆହୁରି ଅଧିକ ତଥ୍ୟ ପାଇଁ ଭିସେରା ଓ ରକ୍ତନମୁନା ରିପୋର୍ଟକୁ ଅପେକ୍ଷା ରହିଛି। ସେପଟେ ପୀଡିତାଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ଜାରି ରଖିଛନ୍ତି ଡାକ୍ତର। ଏମ୍ସର ଡାକ୍ତରଙ୍କ ସମେତ ଦେଶର କୋଣ ଅନୁକୋଣରେ ଅନ୍ୟଡାକ୍ତରୀ ଛାତ୍ରଛାତ୍ରୀ ଏହି ପ୍ରତିବାଦ ଜାରି ରଖିଛନ୍ତି। ଏମିତିକି ପ୍ରତିବାଦ ଜାରି ରଖିବା ସହ ରାସ୍ତାରେ ରୋଗୀଙ୍କୁ ଓପିଡି ସେବା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ଡାକ୍ତରୀ ସଂଗଠନ। ସେପଟେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଲୋଜିକାଲ ଟେଷ୍ଟ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ସିବିଆଇ ।
📱 Get Argus News App
✨ସୂଚନା ଅନୁସାରେ, କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଏବେ ସୁଦ୍ଧା ସମୁଦାୟ ୩୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଅଗଷ୍ଟ ୧୪ ତାରିଖ ରାତିରେ ଘଟିଥିବା ଭଙ୍ଗାରୁଜା ଘଟଣାର ଯାଞ୍ଚ ପାଇଁ କୋଲକାତା ପୁଲିସ ଏକ ୧୫ ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛି । ଏହି ସମୟରେ ସିବିଆଇ ଟିମ୍ ପୀଡିତାଙ୍କ ଘରେ ପହଞ୍ଚି ସେମାନଙ୍କ ବିବୃତି ରେକର୍ଡ କରିଛି ।
