Court Room Drama / ଅଜବ ମଣିଷ ! ଜଜ୍ଙ୍କ ଆଗରେ ଅର୍ଦ୍ଧ ନଗ୍ନ ହୋଇ ବସିଲେ, ହାତରେ ମଦ ଗ୍ଲାସ ଓଠରେ ସିଗାରେଟ୍...

Key Points
ବ୍ୟକ୍ତି ଜଣକ ସିଗାରେଟ୍ ଟାଣି ଧୁଆଁ ଛାଡ଼ିଲେ.. ସମସ୍ତେ ଆଶ୍ଚର୍ଯ୍ୟ ।
କିଛି ସମୟ ପାଇଁ କୋର୍ଟ ରୁମ୍ ଯେମିତି ନିଶବ୍ଦ ହୋଇଗଲା ।
କୋର୍ଟରେ ହାଜର ହେବା କଥା ଶୁଣିଲେ, ସମସ୍ତଙ୍କ ପିଳେହି ପାଣି ହୋଇଯାଏ । ମୁଣ୍ଡରୁ ଝାଳ ବାହାରେ । ଜଜ୍ଙ୍କ ଆଗରେ ଛିଡ଼ା ହେବା କଥା ଶୁଣିଲେ.. ଲୋକଙ୍କ ଗୋଡ଼ ହାତ ଥରେ । ଭୟରେ ପାଟି ବି ଫିଟେନି । କିନ୍ତୁ ଦିଲ୍ଲୀରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ... ଯେତିକି ଆଶ୍ଚର୍ଯ୍ୟ କରିଛି... ମନରେ ସେତିକି କୌତୁହଳ ମଧ୍ୟ ସୃଷ୍ଟି କରିଛି ।
ଦିଲ୍ଲୀର ଏକ କୋର୍ଟରେ ଜଜ୍ ଅନ୍ଲାଇନ୍ ମାଧ୍ୟମରେ ଶୁଣାଣି କରୁଥିବା ବେଳେ ଜଣେ ବ୍ୟକ୍ତି ଏମିତି ଢଙ୍ଗରେ ଭିଡିଓରେ ନଜର ଆସିଲେ ଯେ... ଜଜ୍ ବି ଦେଖି ଛାନିଆ । କେବଳ ଅନ୍ତବସ୍ତ୍ର ପିନ୍ଧି ଜଜ୍ଙ୍କ ଆଗରେ ବିସିଥିଲେ । ଖାଲି ସେତିକି ନୁହେଁ.. ପାଟିରେ ସିଗାରେଟ୍ ଆଉ ହାତରେ ମଦ ଗ୍ଲାସ ବି ଥିଲା । ହଠାତ୍ ସମସ୍ତେ ଏହାକୁ ଠଉରାଇ ପରିନଥିଲେ । ଭାବିଥିଲେ ଏହା କୌଣସି ଯାନ୍ତ୍ରିକ ତ୍ରୁଟି ହୋଇଥାଇ ପାରେ । କିନ୍ତୁ କିଛି ସମୟ ପରେ ଯେତେବେଳେ ବ୍ୟକ୍ତି ଜଣକ ସିଗାରେଟ୍ ଟାଣି ଧୁଆଁ ଛାଡ଼ିଲେ.. ସମସ୍ତେ ଆଶ୍ଚର୍ଯ୍ୟ । କିଛି ସମୟ ପାଇଁ କୋର୍ଟ ରୁମ୍ ଯେମିତି ନିଶବ୍ଦ ହୋଇଗଲା ।
ଏହି ମାମଲା କୌଣସି ଥଟା ମଜା ନୁହେଁ, ବରଂ ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ କରାଯାଇଥିବା ଏକ ପ୍ରକୃତ ମାମଲା। ଅଭିଯୁକ୍ତ ଜଣକ ହେଉଛନ୍ତି ମହମ୍ମଦ ଇମ୍ରାନ.. ଯିଏ କି ଗୋକୁଲପୁରୀର ବାସିନ୍ଦା। ପୋଲିସର କହିବା ଅନୁଯାୟୀ, ଏହି ବ୍ୟକ୍ତି ଜଣକ ୫୦ରୁ ଅଧିକ ଅପରାଧିକ ମାମଲା ସହ ଜଡ଼ିତ । ସେ ଜଣେ ହିଷ୍ଟ୍ରି-ସିଟର କହିଲେ ଭୁଲ ହେବନି । ଏବେ ଆଉ ଏକ ଅପରାଧ ଯୋଗୁଁ ତାକୁ ପୁଣି ଜେଲ୍ ଯିବାକୁ ପଡ଼ିଛି ।
ଏହି ଘଟଣା ସେପ୍ଟେମ୍ବର ୧୬ ଏବଂ ୧୭ ତାରିଖରେ ଘଟିଥିଲା, ଯେତେବେଳେ ତିସ୍ ହଜାରୀ କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ଚାଲିଥିଲା। କୋର୍ଟ ରେକର୍ଡ କିପର ଅଂଶୁଲ ସିଂହଲଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗ ଏହା ଥିଲା କି... ଜଣେ ବ୍ୟକ୍ତି "ଆକିବ୍ ଅଖଲାକ୍" ନାମରେ ଏକ ଫେକ୍ ଆଇଡି ଖୋଲି ଅନ୍ଲାଇନ୍ କୋର୍ଟ ଶୁଣାଣିରେ ଅନୁପ୍ରବେଶ କରିଥିଲା। ଆଉ କ୍ୟାମେରା ସାମ୍ନାରେ କେବଳ ଅନ୍ତଃବସ୍ତ୍ର ପିନ୍ଧିଥିଲା, ସିଗାରେଟ୍ ଟାଣୁଥିଲା ଏବଂ ମଦ୍ୟପାନ କରୁଥିଲା । ଏମିତିକି କୋର୍ଟଙ୍କୁ ଡିସ୍ଟର୍ବ ମଧ୍ୟ କରୁଥିଲା। ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ବି ସେ ଭିଡିଓ କଲରୁ ବାହାରୁ ନଥିଲା ।
ଏହି ଅଭିଯୁକ୍ତକୁ ଧରିବା ଖୁବ୍ କଷ୍ଟକର ଥିଲା । କାରଣ ସେ ଭିନ୍ନ ଭିନ୍ନ ଫେକ୍ ଆଇଡି ବ୍ୟବହାର କରୁଥିଲା ଓ ବାରମ୍ବାର ଲୋକେସନ୍ ବଦଳାଉଥିଲା ବୋଲି ଡିସିପି ରାଜା ବନ୍ଥିଆ କହିଛନ୍ତି । ସାଇବର ତଦନ୍ତ ଏବଂ କଲ୍ ଡାଟା ରେକର୍ଡ ମାଧ୍ୟମରେ, ପୋଲିସ ଶେଷରେ ତାକୁ ପୁରୁଣା ମୁସ୍ତାଫାବାଦର ଚମନ ପାର୍କ ଅଞ୍ଚଳରୁ ଗିରଫ କରିଥିଲା। ତା'ଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ ଏବଂ ୱାଇ-ଫାଇ ରାଉଟର୍ ଜବତ କରାଯାଇଛି।
ପଚରାଉଚରା ସମୟରେ, ଇମ୍ରାନ ସ୍ୱୀକାର କରିଛି ଯେ ସେ ଜଣେ ବନ୍ଧୁଙ୍କଠାରୁ ଭିଡିଓ କନଫରେନ୍ସିଂ ଆପ୍ WebEx ବିଷୟରେ ଜାଣିଥିଲା। କୌତୁହଳବଶତଃ, ସେ "ମଜା ମସ୍ତି କରିବା ମୁଡ୍"ରେ କୋର୍ଟ ଶୁଣାଣିରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଇମ୍ରାନ ଏହା ମଧ୍ୟ ସ୍ୱୀକାର କରିଛି ଯେ... ସେ ଜାଣିଶୁଣି ମଦ୍ୟପାନ କରିଥିଲା ଏବଂ ସିଗାରେଟ୍ ଲଗାଇଥିଲା । କିନ୍ତୁ ଏହି ମଜାମସ୍ତି ତା'ପାଇଁ ଏବେ କାଳ ସାଜିଲା । ପୁଣି ଥରେ ତାକୁ ଏବେ ଜେଲ ଯିବାକୁ ପଡ଼ିଛି ।
📱 Get Argus News App
✨Related Topics
Explore more stories