କିଏ ଦେଲେ ବାପୁଙ୍କୁ ମହାତ୍ମାର ଉପାଧି ?

ଅର୍ଗସ ବ୍ୟୁରୋ: ଆଜି ସହିଦ ଦିବସ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି। ସାରା ଦେଶ ମନେ ପକାଉଛି, ବାପୁଙ୍କ ତ୍ୟାଗ ଓ ତପସ୍ୟାର କଥା। ଦେଶ ସ୍ବାଧୀନ ହେବାର ୫ ମାସ ପରେ ସନ୍ଧ୍ୟା ପ୍ରାର୍ଥନା ସମୟରେ ନାଥୁରାମଙ୍କ ଗୁଳିରେ ଟଳି ପଡିଥିଲେ ମହାତ୍ମା। ଆଜି ମହାତ୍ମାଙ୍କ ଏହି ପୁଣ୍ୟ ତିଥିରେ ରାଜନେତାଙ୍କ ଠାରୁ ନେଇ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଅହିଂସାର ପ୍ରତୀକଙ୍କୁ ଝୁରି ହେଉଛି ବିଶ୍ବ। ତେବେ ଆପଣ ଜାଣିଛନ୍ତି କି ମୋହନଦାସ କମରଚାନ୍ଦ ଗାନ୍ଧୀଙ୍କୁ କିଏ ଦେଲେ ମହାତ୍ମାର ଉପାଧି ।
କିଏ ଦେଲେ ବାପୁଙ୍କୁ ମହାତ୍ମାର ଉପାଧି ?
ବାପୁଙ୍କୁ ମହାତ୍ମାର ଆଖ୍ୟା କିଏ ଦେଲେ ତାକୁ ନେଇ ଆଜିବି ଅନେକ ଦ୍ବନ୍ଦ ରହିଛି। କେହିକେହି କୁହନ୍ତି ବାପୁଙ୍କୁ ମହାତ୍ମାର ଆଖ୍ୟା ରବିନ୍ଦ୍ରନାଥ ଟାଗୋର ଦେଇଛନ୍ତି। ଗୁଜରାଟର ଲୋକେ କୁହନ୍ତି ବାପୁଙ୍କୁ ମହାତ୍ମାର ଆଖ୍ୟା ବିଦେଶର ଜଣେ ସାମ୍ବାଦିକ ଦେଇଛନ୍ତି। ଦକ୍ଷିଣ ଆଫ୍ରିକାରେ ବାପୁ ଅଧିକ ସକ୍ରିୟ ଥିବାରୁ ସେଠାରେ ତାଙ୍କୁ ଜଣେ ସମ୍ବାଦିକ ମହାତ୍ମାର ଆଖ୍ୟା ଦେଇଥିଲେ। ହେଲେ ଏନେଇ ଆଜିବି କୌଣସି ପ୍ରାମାଣିକ ତଥ୍ୟ ନାହିଁ। ତେବେ ରବିନ୍ଦ୍ର ନାଥ ଟାଗୋର ବାପୁଙ୍କୁ ମହାତ୍ମା ଆଖ୍ୟାକୁ ଅନୁଶୀଳନ କଲେ ଜଣାଯାଏ । ୧୯୧୯ ମସିହା ଏପ୍ରିଲ ୧୨ ରେ ବାପୁଙ୍କୁ ରବିନ୍ଦ୍ର ନାଥ ଟାଗୋର ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ବାପୁଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ। ସେହିଭଳି ଗାନ୍ଧୀଙ୍କୁ ଜାତିର ପିତା ବୋଲି ପ୍ରଥମେ ସୁଭାଷ ବୋଷ ସମ୍ଭୋଧିତ କରିଥିଲେ।
📱 Get Argus News App
✨ଫଟୋ ଉଠାଇବାକୁ ପସନ୍ଦ କରୁନଥିଲେ ଗାନ୍ଧୀ
ଯଦି ପ୍ରଶ୍ନ ଆସେ ଦେଶରେ ସୁବଠାରୁ ଅଧିକ କେଉଁ ମହାପୁରୁଷଙ୍କ ଫଟୋ କିମ୍ବା ପ୍ରତିମୂର୍ତ୍ତି ରହିଛି, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ତେବେ ଆପଣ ଜାଣିଛନ୍ତି କି ମହାତ୍ମା ଗାନ୍ଧୀ ଫଟୋ ଉଠାଇବାକୁ ପସନ୍ଦ କରୁନଥିଲେ। ଯେତେବେଳେ ଦେଶ ସ୍ବାଧୀନ ହୋଇଥିଲା ସେତେବେଳେ ମହାତ୍ମା ଗାନ୍ଧୀଙ୍କର ସର୍ବାଧିକ ଫଟୋ ଉଠାଯାଇଥିଲା।
ଭାରତୀୟ ନୋଟରେ କେବେ ଛପା ହେଲା ମହାତ୍ମା ଗାନ୍ଧୀଙ୍କ ଫଟୋ ?
୧୯୩୮ ମସିହାରେ ଆରବିଆଇ ତାର ପ୍ରଥମ ପାଞ୍ଚ ଟଙ୍କିଆ ନୋଟ ପ୍ରଚଳନ କରିଥିଲା। ଏହି ନୋଟରେ କିଙ୍ଗ ଜର୍ଜ ଷଷ୍ଠଙ୍କ ଫଟୋ ଲାଗିଥିଲା। ତେବେ ସ୍ବାଧୀନତା ପରେ ୧୯୪୯ ମସିହାରେ ଦେଶରେ ପ୍ରଥମେ ଏକ ଟଙ୍କିଆ ନୋଟ ଛପା ଯାଇଥିଲା। ଏହି ନୋଟରେ ଅଶୋକ ସ୍ତମ୍ଭ ଫଟୋ ରହିଥିଲା। ତେବେ ମହାତ୍ମା ଗାନ୍ଧୀ ଜୀବିତ ଥିବା ସମୟରେ ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲାଗିନଥିଲା। ୧୯୬୯ ମସିହାରେ ତାଙ୍କର ୧୦୦ ତମ ଜନ୍ମ ଦିବସରେ ଭାରତୀୟ ନୋଟରେ ପ୍ରଥମଥର ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋ ଲାଗିଥିଲା।