ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ ?

ଅର୍ଗସ ବ୍ୟୁରୋ: ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ହେବ । ଏନେଇ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାଓ୍ବନକୁଲେ ସୂଚନା ଦେଇଛନ୍ତି । ସେପଟେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଛି ସସପେନସ । ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନବୀସ ଦୌଡରେ ଆଗରେ ରହିଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ ?
ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନ ତଳେ ନୂଆଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଏଥିରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିଜେପି ନେତା ଦେବେନ୍ଦ୍ର ଫଡନବୀସ ଓ ଏନସିପି ନେତା ଅଜିତ ପାଓ୍ବାର ଯୋଗ ଦେଇଥିଲେ । ଏଥିରେ ସରକାର ଗଠନ ନେଇ ବିସ୍ତୃତ ଅଲୋଚନା ହୋଇଥିଲା । କିନ୍ତୁ କାହାକୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ସେପଟେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କର ଚିକିତ୍ସା ଚାଲିଛି ।