Videos
|
National

Fish Safety Alert / ନେପାଳ ବନ୍ୟାରେ ଭାସିଯାଇଥିବା ମାଛ ଖାଇବାକୁ ବିହାର ସରକାର କାହିଁକି ମନା କରୁଛନ୍ତି ?

Rashmita Mishra
Browse all articles by Rashmita Mishra
·38 mins ago·2 min read
ନେପାଳ ବନ୍ୟାରେ ଭାସିଯାଇଥିବା ମାଛ ଖାଇବାକୁ ବିହାର ସରକାର କାହିଁକି ମନା କରୁଛନ୍ତି ?
Fish Safety Alert

Key Points

ବନ୍ୟା ପାଣିର ମାଛ ଖାଇବା ମନା, ବିହାର ସରକାରଙ୍କ ହେଲ୍ଥ ଆଡଭାଇଜରି
ନେପାଳ ବନ୍ୟା ପରେ ସତର୍କତା, ବନ୍ୟା ପାଣିର ମାଛଠୁ ଦୂରେଇ ରହିବାକୁ ପରାମର୍ଶ
ବନ୍ୟା ଆଣିଲା ସ୍ୱାସ୍ଥ୍ୟ ବିପଦ! ଅଜଣା ମାଛ ନଖାଇବାକୁ ସରକାରଙ୍କ ଚେତାବନୀ
ଗଣ୍ଡକ-କୋସି ବନ୍ୟା ପରେ ମାଛ ଉପରେ ରୋକ, ରୋଗ ଆଶଙ୍କା ନେଇ ସତର୍କ କଲା ପ୍ରଶାସନ 

ବିହାରରେ ବନ୍ୟା ପରିସ୍ଥିତି ମଧ୍ୟରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ସରକାରଙ୍କ ପକ୍ଷରୁ ହେଲ୍ଥ ଆଡଭାଇଜରି ଜାରି କରାଯାଇଛି । ବନ୍ୟା ପାଣିରୁ ଧରାଯାଇଥିବା ମାଛ ନଧରିବା, ନକିଣିବା, ନବିକିବା ଏବଂ ନଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷକରି ମାଛର ପ୍ରଜାତି କିମ୍ବା ଏହା କେଉଁଠାରୁ ଆସିଛି ତାହା ଜଣାନଥିଲେ ଖାଇବାରୁ ଦୂରେଇ ରହିବାକୁ କୁହାଯାଇଛି ।

ନେପାଳରେ ହଠାତ୍ ବନ୍ୟା ଆସିବା ପରେ ତ୍ରିଶୁଳୀ ନଦୀର ଜଳସ୍ତର ବଢ଼ିଥିବା ବେଳେ ଗଣ୍ଡକ ଓ କୋସି ନଦୀ ପ୍ରଣାଳୀ ଦେଇ ବିହାରକୁ ଜଳ ପ୍ରବାହ ବଢ଼ିଛି । ବନ୍ୟା ପାଣିରେ ଅଜଣା ପ୍ରଜାତିର ମାଛ ଦେଖାଯାଉଥିବା ନେଇ ମଧ୍ୟ ଲୋକେ ସୂଚନା ଦେଇଛନ୍ତି ।

ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ଅନୁସାରେ ବନ୍ୟା ପାଣିରେ ନର୍ଦ୍ଦମା ପାଣି, ବ୍ୟାକ୍ଟେରିଆ, ଭାଇରସ୍ ଓ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ ରହିପାରେ । ପୋଖରୀ, ନଦୀ ଓ ଜଳାଶୟରୁ ଭାସିଆସୁଥିବା ମାଛ ଅଳିଆ ଆବର୍ଜନା, ନର୍ଦ୍ଦମା, ମୃତ ପଶୁ ଏବଂ ବିଭିନ୍ନ ପ୍ରଦୂଷକ ସଂସ୍ପର୍ଶରେ ଆସିଥାଇପାରେ ।

ଏଭଳି ମାଛ ଖାଇବା ପରେ ବାନ୍ତି, ଝାଡ଼ା, ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା କିମ୍ବା ଶ୍ୱାସକଷ୍ଟ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଅଜଣା ପ୍ରଜାତିର ମାଛ ଦେଖିଲେ ସ୍ଥାନୀୟ ମତ୍ସ୍ୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ମଧ୍ୟ ପରାମର୍ଶ ରହିଛି ।

ବନ୍ୟା ପରେ ବଢ଼ିପାରେ ରୋଗ ଆଶଙ୍କା
ଗଣ୍ଡକ ଓ କୋସି ନଦୀର ବନ୍ୟାଜଳ ସହ ମାଟି, ଆବର୍ଜନା, ଗଛର ଗଣ୍ଡି ଓ ମୃତ ମାଛ ଭାସିଆସୁଛି । ଦୂଷିତ ବନ୍ୟାପାଣି କୂଅ ଓ ନଳକୂପରେ ପଶିଲେ ଡାଇରିଆ, ହଇଜା, ଟାଇଫଏଡ୍ ଏବଂ ହେପାଟାଇଟିସ୍-ଏ ଓ ଇ ଭଳି ରୋଗର ଆଶଙ୍କା ବଢ଼ିପାରେ । ଅନ୍ୟପଟେ ଜମା ପାଣି ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ଓ ଚିକୁନଗୁନିଆ ଭଳି ମଶାବାହିତ ରୋଗ ବଢ଼ିବାର ଆଶଙ୍କା ରହିଛି ।

ସୀମାନ୍ତ ଅଞ୍ଚଳରେ ଭୂତଳ ଜଳରେ ଆର୍ସେନିକ୍ ଓ ଆଇରନ୍ ପ୍ରଦୂଷଣ ସମସ୍ୟା ଥିବାରୁ ବନ୍ୟା ପରେ ଜଳର ଗୁଣବତ୍ତାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ଏଭଳି ସ୍ଥିତିରେ ଲୋକଙ୍କୁ ଅଫବାହ ଉପରେ ବିଶ୍ୱାସ ନକରି କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ ଅପିଲ୍ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: